ଭାରତ-ଇଂଲଣ୍ଡ ମ୍ୟାଚ୍‌ ୧-୧ରେ ଶେଷ

ଆମଷ୍ଟିଲଭିନ୍‌: ନେଦରଲଣ୍ଡ୍‌ସ ଓ ସ୍ପେନରେ ଚାଲିଥିବା ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ବକପ ୧୫ତମ ସଂସ୍କରଣରେ ଭାରତ ଅମୀମାଂସିତ ସହିତ ଅଭିଯାନ ଆରମ୍ଭ କରିଛି। ରବିବାର ନେଦରଲାଣ୍ଡ୍‌ସର ଆମଷ୍ଟିଲଭିନରେ ଗ୍ରୁପ -ବି ର ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳା ଯାଇଥିବା ମ୍ୟାଚ ୧-୧ ଅମୀମାଂସିତ ଭାବେ ଶେଷହୋଇଛି। ମ୍ୟାଚ ଡ୍ର ରହିବାରୁ ଉଭୟ ଦଳ ୧ ପଏଣ୍ଟ ଲେଖାଏଁ ପାଇଛନ୍ତି। ଭାରତ ୨ୟ ମ୍ୟାଚ ମଙ୍ଗଳବାର ଚୀନ୍ ସହ ଖେଳିବ।

୮ମିନିଟ୍‌ରେ ଇଂଲଣ୍ଡକୁ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏହାକୁ ପିଟର ଇସାବେଲ ଗୋଲରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରିଥିଲେ। ଗୋଟିଏ ଗୋଲ ବରଣ ପରେ ଭାରତ​‌ ଗୋଲ୍‌ ସୁଝାଇବା ନେଇ ଘନଘନ ଆକ୍ରମଣ କରିଥିଲେ ମଧ୍ୟ ସଫଳ ହୋଇନଥିଲା। ପ୍ରଥମ କ୍ବାର୍ଟର ଖେଳରେ ଇଂଲଣ୍ଡ ୧-୦ ଗୋଲରେ ଆଗୁଆ ରହିଥିଲା। ଦ୍ବିତୀୟ କ୍ବାର୍ଟର ତଥା ୨୭ ମିନିଟ୍‌ରେ ଭାରତକୁ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏହାକୁ ବନ୍ଦନା କଟାରିୟା ଗୋଲରେ ପରିଣତ କରି ସ୍କୋର୍‌କୁ ୧-୧ କରି ଦଳକୁ ପରାଜୟରୁ ବଞ୍ଚାଇ ପାରିଥିଲେ। ପ୍ରଥମାର୍ଦ୍ଧ ୧-୧ ଗୋଲ୍‌ରେ ବରାବର ରହିଥିଲା। ୩ୟ କ୍ବାର୍ଟର ଖେଳ ଗୋଲଶୂନ୍ୟ ରହିଥିଲା। ଅନ୍ତିମ କ୍ବାର୍ଟରରେ ଉଭୟ ଦଳ ଗୋଲ ଦେବା ନେଇ ଉଦ୍ୟମ କରିଥିଲେ ମଧ୍ୟ କେହି କାହାରିକୁ ଗୋଲ ଦେବାରେ ସକ୍ଷମ ହୋଇନଥିଲେ।

Comments are closed.