୩ୟ ଟେଷ୍ଟ : ମୋଟେରା ପିଚ୍‌ ସ୍ପିନର ସହାୟକ ହେବ

ଅହମ୍ମଦାବାଦ :  ଭ୍ରମଣକାରୀ ଇଂଲଣ୍ଡ ଓ ଘରୋଇ ଭାରତୀୟ କ୍ରିକେଟ୍‌ ଦଳ ମଧ୍ୟରେ ଖେଳାଯାଉଥିବା ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ୩ୟ ମ୍ୟାଚ୍‌ ଆସନ୍ତା ୨୪ରୁ ଦିବାରାତ୍ର ଭାବେ ନବନିର୍ମିତ ମୋଟେରା ଷ୍ଟାଡ଼ିୟମରେ ଖେଳାଯିବ।
ଏହି ଟେଷ୍ଟ ମ୍ୟାଚ୍‌ ପାଇଁ ଯେଉଁ ପିଚ୍‌ ପ୍ରସ୍ତୁତ କରାଯାଇଛି ତାହା ସ୍ପିନରଙ୍କୁ ସହାୟତା ଯୋଗାଇବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଇଂଲଣ୍ଡ ଓ ଦ୍ବିତୀୟ ମ୍ୟାଚ୍ ଭାରତୀୟ ଦଳ ଜିତିଥିଲା। ତୃତୀୟ ମ୍ୟାଚ୍ ଦିବାରାତ୍ର ଭାବେ ଖେଳାଯାଉଥିବା ବେଳେ ଦିବାରାତ୍ର ଟେଷ୍ଟ ଖେଳିବାରେ ଇଂଲଣ୍ଡର ଭାରତ ଠାରୁ ଅଭିଜ୍ଞତା ଅଧିକ। ଏହାକୁ ଆଧାର କରି ଇଂଲଣ୍ଡ ଦଳ ତୃତୀୟ ଟେଷ୍ଟ ଜିତିବାକୁ ଆଶା ରଖିଥିବା ବେଳେ ସ୍ପିନରଙ୍କୁ ସହାୟତା ଯୋଗାଇବାକୁ ଥିବା ପିଚ୍‌ରେ ଭାରତକୁ ପରାସ୍ତ କରିବା ଇଂଲଣ୍ଡ ପାଇଁ ନିଶ୍ଚିତ ଭାବେ କାଠିକର ପାଠ ହେବ। ଦିବାରାତ୍ର ଟେଷ୍ଟରେ ଗୋଲାପୀ ବଲ୍‌ ବ୍ୟବହାର କରାଯାଇଥାଏ। ଗୋଲାପୀ ବଲ୍‌ର ସିମ୍‌ ଯେପରି ଅଧିକ ସମୟ ତିଷ୍ଠି ରହିବ ସେଥିପାଇଁ ସାଧାରଣତଃ ଦିବାରାତ୍ର ମ୍ୟାଚ୍‌ ନିମନ୍ତେ ପ୍ରସ୍ତୁତ ପିଚ୍‌ରେ ୬ ମିଲିମିଟର ଘାସ ରହିଥାଏ, ତେବେ ମୋଟେରା ପିଚ୍‌ରେ ଘାସ ରହିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ତେଣୁ ଏହି ପିଚ୍‌ ସ୍ପିନରଙ୍କୁ ଅଧିକ ସୁହାଇବ ବୋଲି ଚର୍ଚ୍ଚା ହେଉଛି। ଆଇସିସି ଆନୁକୂଲ୍ୟରେ ଆୟୋଜିତ ହେଉଥିବା ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ଫାଇନାଲରେ ପ୍ରବେଶ କରିବାକୁ ହେଲେ ଭାରତ ନିମନ୍ତେ ବାକି ଥିବା ଦୁଇଟି ମ୍ୟାଚ୍ ବେଶ୍‌ ଗୁରୁତ୍ବପୂର୍ଣ୍ଣ। ଦୁଇଟି ମ୍ୟାଚ୍‌ରୁ କୌଣସି ଗୋଟିଏ ଭାରତୀୟ ଦଳ ହାରିବା ମହଙ୍ଗା ପଡ଼ିବ। ତେଣୁ ମୋଟେରା ପିଚ୍‌ ସ୍ପିନରଙ୍କୁ ସହାୟତା କରୁଥିବା ପିଚ୍‌ ପ୍ରସ୍ତୁତ କରି ଭାରତୀୟ ଦଳ ବିଜୟୀ ହେବା ସହ ନିଜ ସ୍ଥିତି ମଜଭୁତ୍‌ କରିବାକୁ ଆଶା ରଖିଛି।
ମୋଟେରା ପିଚ୍‌ ସଂପର୍କରେ ମତ ଦେଇ ଲେଗ୍‌ସ୍ପିନର କର୍ନ ଶର୍ମା କହିଛନ୍ତି ଫ୍ଲଡଲାଇଟ୍‌ରେ ଗୋଲାପୀ ବଲ୍‌ରେ ସ୍ପିନରଙ୍କୁ ମୁକାବିଲା କରିବା ଯେକୌଣସି ବ୍ୟାଟସମ୍ୟାନ୍‌ଙ୍କ ନିମନ୍ତେ କଷ୍ଟକର। ତୃତୀୟ ଟେଷ୍ଟ ମ୍ୟାଚ୍‌ରେ କୋକାବୁରା ବଲ୍ ପରିବର୍ତ୍ତେ ଏସ୍‌ଜି ବଲ୍ ବ୍ୟବହୃତ ହେବ। ଫ୍ଲଡଲାଇଟ୍‌ରେ ଏସ୍‌ଜି ବଲ୍ ପିଚ୍‌ରେ ପଡ଼ିବା ପରେ ଅଧିକ ଗତିରେ ବ୍ୟାଟସମ୍ୟାନ୍‌ଙ୍କ ନିକଟରେ ପହଞ୍ଚିବ, ଫଳରେ ଏସ୍‌ଜି ବଲ୍‌ର ମୁକାବିଲା କରିବା ବ୍ୟାଟସମ୍ୟାନ୍‌ଙ୍କ ନିମନ୍ତେ କଷ୍ଟକର ହେବ ବୋଲି ଆଲୋଚନା ହେଉଛି।
ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଦଳର ମଧ୍ୟଭାଗ ବ୍ୟାଟସମ୍ୟାନ୍‌ ଚେତେଶ୍ବର ପୂଜାରା କହିଥ​‌ିଲେ ଗୋଲାପୀ ବଲ୍‌ କିପରି ବ୍ୟବହାର କରିବ ତାହା ବର୍ତ୍ତମାନ ଠାରୁ କୁହାଯାଇ ପାରିବ ନାହିଁ। ମୂଳରୁ ବଲ୍‌ କିଛିଟା ସୁଇଙ୍ଗ କରିପାରେ, ତେବେ ପରବର୍ତ୍ତୀ ସମୟରେ ବଲ୍‌ ସୁଇଙ୍ଗ କମ୍‌ କରିବ। ଏପରି ହେଲେ ଦ୍ରୁତ ବୋଲର୍‌ଙ୍କୁ କମ୍‌ ସହାୟତା ମିିଳିବାକୁ ଥିବା ବେଳେ ସ୍ପିନରଙ୍କୁ ଅଧିକ ସହାୟତା ମିଳିବ।

Comments are closed.