ସିରିଜ୍‌କୁ ଫେରିବା ଲକ୍ଷ୍ୟରେ ଭାରତ

ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ ଆଜିଠାରୁ

ଚେନ୍ନଇ : ଭ୍ରମଣକାରୀ ଇଂଲଣ୍ଡ ଓ ଘରୋଇ ଭାରତୀୟ କ୍ରିକେଟ୍‌ ଦଳ ମଧ୍ୟରେ ଖେଳାଯାଉଥିବା ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ ଶନିବାରରୁ ସ୍ଥାନୀୟ ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡ଼ିୟମରେ ଖେଳାଯିବ। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଦଳ ପରାସ୍ତ ହୋଇଥିବା ବେଳେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ ଜିତିବା ଲକ୍ଷ୍ୟରେ ଭାରତୀୟ ଦଳ ରହିଥିବା ବେଳେ ଇଂଲଣ୍ଡ ଦଳ ମ୍ୟାଚ୍‌ ଜିତି ୨-୦​‌େ​‌ର ଅଗ୍ରଣୀ ହେବାକୁ ଚେଷ୍ଟା କରିବ।
ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ନିମ​‌େ​‌ନ୍ତ ଭାରତୀୟ ଦଳରେ ଗୋଟିଏ କିମ୍ବା ଦୁଇଟି ପରିବର୍ତ୍ତନ ହେବା ନିଶ୍ଚିତ। ଆଘାତଜନିତ କାରଣରୁ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିପାରିନଥିବା ସ୍ପିନର ଅକ୍ଷର ପଟେଲ୍‌ ବର୍ତ୍ତମାନ ସଂପୂର୍ଣ୍ଣ ରୂପେ ଫିଟ୍‌ ଥିବାରୁ ସେ ଦ୍ବିତୀୟ ଟେଷ୍ଟରେ ଖେଳିବାର ସମ୍ଭାବନା ରହିଛି। ପ୍ରଥମ ଟେଷ୍ଟରେ ଖେଳିଥିବା ସାହାବାଜ୍‌ ନଦିମ୍‌ ଆଶାନୁରୂପ ପ୍ରଦର୍ଶନ କରିପାରିନଥିଲେ, ଯାହାକୁ ନେଇ ଅଧିନାୟକ ବିରାଟ କୋହଲି ଅସନ୍ତୋଷବ୍ୟକ୍ତ କରିଥିଲେ। ପ୍ରଥମ ଟେଷ୍ଟରେ ବରିଷ୍ଠ ଅଫ୍‌ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ଗୋଟିଏ ପଟେ ଇଂଲଣ୍ଡ ବ୍ୟାଟସମ୍ୟାନ୍‌ଙ୍କ ଉପରେ ଚାପ ପକାଇବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟପଟରେ ସ୍ପିନର ଭାବେ ନଦିମ୍‌ ଏବଂ ୱାଶିଂଟନ ସୁନ୍ଦର ଚାପ ବଜାୟ ରଖିବାରେ ସକ୍ଷମ ହୋଇପାରିନଥିଲେ। ତେଣୁ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ ନିମନ୍ତେ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ନଦିମ୍‌ଙ୍କ ସ୍ଥାନରେ ଅକ୍ଷର ପଟେଲ୍‌ ଖେଳିବା ଏକପ୍ରକାର ନିଶ୍ଚିତ।
ଭାରତୀୟ ଦଳରେ ଅନ୍ୟତମ ସ୍ପିନର ଭାବେ କୁଲଦୀପ ଯାଦବ ରହିଥିଲେ ମଧ୍ୟ ତୃତୀୟ ସ୍ପିନର ଭାବେ ୱାଶିଂଟନ ସୁନ୍ଦର ଦ୍ବିତୀୟ ଟେଷ୍ଟରେ ନିଜ ସ୍ଥାନ ବଜାୟ ରଖିବାର ସମ୍ଭାବନା ରହିଛି। ସେହିପରି ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ ନିମନ୍ତେ ଦଳରେ ଅଲରାଉଣ୍ଡର ଭାବେ ହାର୍ଦିକ ପାଣ୍ଡ୍ୟା ସାମିଲ ହୋଇପାରନ୍ତି। ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବା ସହ କିଛି ଓଭର ଦ୍ରୁତ​‌ ବୋଲିଂ କରିବାର ଦକ୍ଷତା ହାର୍ଦିକଙ୍କ ନିକଟରେ ରହିଛି। ଯଦି ହାର୍ଦିକ ଚୂଡ଼ାନ୍ତ ଏକାଦଶରେ ସାମିଲ ହୁଅନ୍ତି ତେବେ କିଏ ବାଦ୍‌ ପଡ଼ିବେ ତାହା ଦେଖିବାକୁ ବାକି ରହିଛି।
ପ୍ରଥମ ଟେଷ୍ଟ ନିମନ୍ତେ ବ୍ୟବହୃତ ପିଚ୍‌ ଧିମା ଥିଲା। ତେଣୁ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ ପାଇଁ ବ୍ୟବହାର ହେବାକୁ ଥିବା ପିଚ୍‌ରେ କିଛିଟା ପରିବର୍ତ୍ତନ ହେବା ନିଶ୍ଚିତ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ ପାଇଁ ପ୍ରସ୍ତୁତ ପିଚ୍‌ ପ୍ରଥମ ଦିନରୁ ସ୍ପିନରଙ୍କୁ ସହାୟତା ଯୋଗାଇବ। ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ଟସ୍‌ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ। ଟସ୍‌ ଜିତିଥିବା ଦଳ ପ୍ରଥମେ ବ୍ୟାଟିଂ କରିବା ନିଶ୍ଚିତ। ଭାରତୀୟ ଦଳ ଯଦି ପ୍ରଥମେ ବ୍ୟାଟିଂ କରେ ତେବେ ତାରକା ଓପନର୍‌ ରୋହିତ ଶର୍ମାଙ୍କ ଉପରେ ସମସ୍ତଙ୍କ ନଜର ରହିବ। ରୋହିତ ଏହି ମ୍ୟାଚ୍‌ରେ ଅଧିକରୁ ଅଧିକ ରନ୍ ସଂଗ୍ରହ କରିବେ ବୋଲି କ୍ରିକେଟ୍‌ପ୍ରେମୀ ଆଶା ରଖିଛନ୍ତି। ସେହିପରି ଅଧିନାୟକ ବିରାଟ କୋହଲି, ନିର୍ଭରଯୋଗ୍ୟ ମଧ୍ୟଭାଗ ବ୍ୟାଟସମ୍ୟାନ୍ ଚେତେଶ୍ବର ପୂଜାରା ଏବଂ ୱିକେଟରକ୍ଷକ ବ୍ୟାଟସମ୍ୟାନ୍‌ ଋଷଭ ପନ୍ତ୍‌ ବଡ଼ ସ୍କୋର କରିବେ ବୋଲି ଆଶା ରହିଛି।
ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ ନିମନ୍ତେ ଷ୍ଟାଡ଼ିୟମକୁ ୫୦% ଦର୍ଶକଙ୍କୁ ଅନୁମତି ମିଳିଛି। ଦର୍ଶକଙ୍କ ଉପସ୍ଥିତି କ୍ରିକେଟର୍‌ଙ୍କୁ ଭଲ ପ୍ରଦର୍ଶନ ପାଇଁ ନିଶ୍ଚିତ ଭାବେ ଉତ୍ସାହିତ କରିବ। କୋଭିଡ୍‌ ନିୟମ ମାନି ଦର୍ଶକମାନେ ଷ୍ଟାଡ଼ିୟମରେ ମ୍ୟାଚ୍‌ ଉପଭୋଗ କରିପାରିବେ।

ଇଂଲଣ୍ଡ ଦଳରେ ୪ ପରିବର୍ତ୍ତନ ; ଆର୍ଚର ଆହତ

ଘରୋଇ ଭାରତୀୟ କ୍ରିକେଟ୍‌ ଦଳ ବିପକ୍ଷ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ଦ୍ବିତୀୟ ମ୍ୟାଚ୍ ନିମନ୍ତେ ଇଂଲଣ୍ଡ ତରଫରୁ ଶୁକ୍ରବାର ୧୨ଜଣିଆ ଦଳ ଘୋଷିତ ହୋଇଛି। ପ୍ରଥମ ଟେଷ୍ଟ ମ୍ୟାଚ୍‌ ନିମନ୍ତେ ଇଂଲଣ୍ଡ ଦଳରେ ଥିବା ୪ଜଣଙ୍କୁ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ ନିମନ୍ତେ ବାଦ୍‌ ଦିଆଯାଇ ସେମାନଙ୍କ ସ୍ଥାନରେ ନୂଆ ଖେଳାଳିଙ୍କୁ ସାମିଲ କରାଯାଇଛି।
ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ଆୟୋଜିତ ଭର୍ଚୁଆଲ୍‌ ସାମ୍ବାଦିକ ସମ୍ମିଳନୀରେ ଇଂଲଣ୍ଡ ଦଳର ଅଧିନାୟକ ଜୋ ରୁଟ୍‌ କହିଛନ୍ତି ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ ନିମନ୍ତେ ଦ୍ରୁତ ବୋଲର ଜେମ୍‌ସ ଆଣ୍ଡରସନ୍‌, ଜୋସ୍‌ ବଟଲର୍‌, ଡୋମ୍‌ ବେସ୍‌ ଓ ଜୋଫ୍ରା ଆର୍ଚରଙ୍କୁ ଦଳରେ ସାମିଲ କରାଯାଇ ନାହିଁ। ସେମାନଙ୍କ ସ୍ଥାନରେ ବେନ୍‌ ଫୋକ୍‌ସ, ମୋଇନ୍‌ ଅଲ୍ଲି, ଷ୍ଟୁଆର୍ଟ ବ୍ରଡ୍‌ ଓ କ୍ରିସ୍‌ ୱକ୍‌ସଙ୍କୁ ସାମିଲ କରାଯାଇଛି। ଆର୍ଚରଙ୍କ ଡାହାଣ କହୁଣୀରେ ଯନ୍ତ୍ରଣା ଯୋଗୁ ଭାରତ ବିପକ୍ଷ ଦ୍ବିତୀୟ ଟେଷ୍ଟ ମ୍ୟାଚରେ ଖେଳିବେ ନାହିଁ। ଏହି ଆଘାତ ପୂର୍ବରୁ କୌଣସି ଆହତ ସହିତ ଜଡ଼ିତ ନୁହେଁ ଏବଂ ଚିକିତ୍ସା ଦ୍ବାରା ସ୍ବାଭାବିକ ହେବ ବୋଲି ଆଶା କରାଯାଉଛି। ତେବେ ଆର୍ଚର ଅହମ୍ମଦାବାଦ୍‌ରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚକୁ ଫେରିବେ ବୋଲି ଆଶା ରହିଛି। ସେହିପରି ଖେଳାଳିଙ୍କ ବିଶ୍ରାମ ଦେବା ନିମନ୍ତେ ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ ତରଫରୁ ଯେଉଁ ମାର୍ଗଦର୍ଶିକା ପ୍ରଣୟନ କରାଯାଇଛି ତାହାକୁ ଦୃଷ୍ଟିରେ ରଖି ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ ନିମନ୍ତେ ଅନ୍ୟ ୩ଟି ପରିବର୍ତ୍ତନ କରାଯାଇଥିବା ରୁଟ୍‌ ସ୍ପଷ୍ଟ କରି ଦେଇଛନ୍ତି। ବରିଷ୍ଠ ସ୍ପିନର ମୋଇନ୍‌ ଅଲ୍ଲି ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ଖେଳିବେ ବୋଲି ରୁଟ୍ ସ୍ପଷ୍ଟ କରି ଦେଇଛନ୍ତି। ଜୋଫ୍ରା ଆର୍ଚରଙ୍କ ସ୍ଥାନରେ ଓଲି ଷ୍ଟୋନ୍‌ ଓ କ୍ରିସ୍‌ ୱକ୍‌ସଙ୍କ ମଧ୍ୟରୁ ଜଣଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯିବ ବୋଲି ରୁଟ୍‌ ସ୍ପଷ୍ଟ କରି ଦେଇଛନ୍ତି।
୧୨ଜଣିଆ ଇଂଲଣ୍ଡ ଦଳ : ଜୋ ରୁଟ୍‌ (ଅଧିନାୟକ), ମୋଇନ୍‌ ଅଲ୍ଲି, ଷ୍ଟୁଆର୍ଟ ବ୍ରଡ଼, ରୋରି ବର୍ନସ୍‌, ବେନ୍‌ ଫୋକ୍‌ସ (ୱିକେଟରକ୍ଷକ), ଡାନ୍‌ ଲରେନ୍‌ସ, ଜ୍ୟାକ୍‌ ଲିଚ୍‌, ଓଲି ପୋପ୍‌, ଡମ୍‌ ସିବଲି, ବେନ୍‌ ଷ୍ଟୋକ୍‌ସ, ଓଲି ଷ୍ଟୋନ୍‌, କ୍ରିସ୍‌ ୱକ୍‌ସ।

Comments are closed.