ବିଜୟଲକ୍ଷ୍ୟ ୧୯୪; ଭାରତ ୫/୧୧୦

0

ବର୍ମିଂହାମ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଉତ୍କଣ୍ଠାପୂର୍ଣ୍ଣ ସ୍ଥିତିରେ ଉପନୀତ ହୋଇଛି। ଈଶାନ୍ତ ଶର୍ମା, ରବିଚନ୍ଦ୍ରନ ଅଶ୍ୱିନ ଓ ଉମେଶ ଯାଦବଙ୍କ ଲକ୍ଷ୍ୟପୂର୍ଣ୍ଣ ବୋଲିଂ ଯୋଗୁଁ ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୧୮୦ ରନରେ ଅଲଆଉଟ ହେବାସହିତ ଭାରତ ସମ୍ମୁଖରେ ୧୯୪ ରନ୍‍ର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି। ଏହାକୁ ପିଛା କରିବାକୁ ଯାଇ ଭାରତ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଦ୍ୱିତୀୟ ଇନିଂସରେ ୫ ୱିକେଟ ହରାଇ ୧୧୦ ରନ କରିଛି। ଦୁଇ ଭାରତୀୟ ଓପନର ମୁରଲୀ ବିଜୟ ଓ ଶିଖର ଧାୱନ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲେ। ତେବେ ଷ୍ଟୁଆର୍ଟ ବ୍ରଡ ୨୨ ରନ ମଧ୍ୟରେ ଏ ଦୁହିଁଙ୍କୁ ପ୍ୟାଭିଲିୟନ ଫେରାଇ ଭାରତୀୟ ଶିବିରକୁ ଚିନ୍ତିତ କରିଥିଲେ। ମୁରଲୀ ବିଜୟ ୬ ଓ ଶିଖର ଧାୱନ ୧୩ ରନ କରି ଆଉଟ ହୋଇଥିଲେ। ମଧ୍ୟକ୍ରମରେ ଲୋକେଶ ରାହୁଲ (୧୩) ଓ ଅଜିଙ୍କ୍ୟ ରାହାଣେ (୨) ପୁଣି ବିଫଳ ହୋଇଥିଲେ। ୭୮ ରନରେ ଅଶ୍ୱିନ (୧୩)ଙ୍କ ପ୍ରସ୍ଥାନ ଭାରତର ସ୍ଥିତିକୁ ଅଧିକ ବିପନ୍ନ କରିଥିଲା। ତେବେ ଅଧିନାୟକ ବିରାଟ କୋହଲି ଓ ଦିନେଶ କାର୍ତ୍ତିକ ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ କରି ଦଳର ବିଜୟ ଆଶାକୁ ଉଜ୍ଜିବୀତ ରଖିଛନ୍ତି। କୋହଲି ୪୩ ଓ କାର୍ତ୍ତିକ ୧୮ ରନରେ ଅପରାଜିତ ଅଛନ୍ତି। ଇଂଲଣ୍ଡ ପକ୍ଷରୁ ଷ୍ଟୁଆର୍ଟ ବ୍ରଡ ୨ଟି ୱିକେଟ ଅକ୍ତିଆର କରିଥିବାବେଳେ ଜେମ୍‍ସ ଆଣ୍ଡରସନ, ବେନ୍‍ ଷ୍ଟୋକ୍‍ସ ଓ ସାମ୍‍ କରନ୍‍ ପ୍ରତ୍ୟେକ ଗୋଟିଏ ୱିକେଟ ପାଇଛନ୍ତି। ହାତରେ ୫ଟି ଦ୍ୱିତୀୟ ଇନିଂସ ୱିକେଟ ଥାଇ ଭାରତ ବିଜୟ ପାଇଁ ଆହୁରି ୮୪ ରନ ଆବଶ୍ୟକ କରୁଛି।
ଇଂଲଣ୍ଡ ପୂର୍ବଦିନ ସ୍କୋର ୧/୯ ରନରୁ ତୃତୀୟ ଦିନର ଖେଳ ଆରମ୍ଭ କରିଥିଲା। ପ୍ରାରମ୍ଭରେ କିଟନ ଜେନିଙ୍ଗ୍‍ସଙ୍କୁ ଆଉଟ କରି ରବିଚନ୍ଦ୍ରନ ଅଶ୍ୱିନ ଭାରତ ପାଇଁ ଦିନର ପ୍ରଥମ ସଫଳତା ଆଣିଥିଲେ। ଦୁଇ ଓପନର କୁକ୍‍ ଓ ଜେନିଙ୍ଗ୍‍ସଙ୍କ ସହଳ ପ୍ରସ୍ଥାନ ପରେ ଇଂଲଣ୍ଡ ଦଳ ଚାପର ବଶବର୍ତ୍ତୀ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଦଳକୁ ଏକ ମଜଭୁତ ସ୍ଥିତିରେ ପହଞ୍ଚାଇବାର ଦାୟିତ୍ୱ ଅଧିନାୟକ ଜୋ ରୁଟ୍‍ ଓ ଡେଭିଡ ମଲାନଙ୍କ ଉପରେ ପଡିଥିଲା। ତେବେ ୧୬ଶ ଓଭରରେ ରୁଟ୍‍ଙ୍କୁ ଆଉଟ କରି ଅଶ୍ୱିନ ଇଂଲଣ୍ଡ ଦଳର ଚିନ୍ତା ବଢାଇ ଦେଇଥିଲେ। ଅଶ୍ୱିନଙ୍କ ଏକ ବଲକୁ ଲେଗ୍‍ସାଇଡକୁ ଖେଳିବାକୁ ଉଦ୍ୟମ କରୁଥିବାବେଳେ ରୁଟ୍‍ ଲେଗ୍‍ ସ୍ଲିପ୍‍ରେ ଫିଲ୍ଡିଂ କରୁଥିବା ଲୋକେଶ ରାହୁଲଙ୍କ ହାତରେ ଧରାପଡିଥିଲେ। ୩୯ ରନରେ ତିନିଜଣ ଆଗଧାଡିର ବ୍ୟାଟସମ୍ୟାନ ପ୍ୟାଭିଲିୟନ ଫେରିଯିବାପରେ ଭାରତୀୟ ବୋଲର ବେଶ ଉତ୍ସାହିତ ହୋଇପଡିଥିଲେ। ତେବେ ମଲାନ ଓ ଜନି ବେୟାରଷ୍ଟୋ ଭାରତୀୟ ବୋଲରଙ୍କ ଉଚିତ ମୁକାବିଲା କରି ୪ର୍ଥ ୱିକେଟ ପାଇଁ ୩୧ ରନ ଯୋଗକରିଥିଲେ। ଏହି ଯୋଡି କ୍ରିଜରେ ଜମିଆସୁଥିବାବେଳେ ମଲାନଙ୍କୁ ଆଉଟ କରି ଈଶାନ୍ତ ଶର୍ମା ଦଳ ପାଇଁ ଦିନର ତୃତୀୟ ସଫଳତା ଅର୍ଜନ କରିଥିଲେ। ଈଶାନ୍ତଙ୍କ ଏହି ଅଫ୍‍ଷ୍ଟମ୍ପ ବାହାର ରାଇଜିଂ ବଲକୁ ମଲାନ (୨୦) ଠିକ୍‍ଭାବେ ଖେଳିନପାରି ଗଲି ଅଞ୍ଚଳରେ ଫିଲ୍ଡିଂ କରୁଥିବା ଅଜିଙ୍କ୍ୟ ରାହାଣେଙ୍କ ଦ୍ୱାରା କ୍ୟାଚଆଉଟ ହୋଇଥିଲେ। ଈଶାନ୍ତଙ୍କ ସପ୍ତମ ଓଭର ଇଂଲଣ୍ଡ ପାଇଁ କାଳ ସାଜିଥିଲା। ଈଶାନ୍ତ ଏହି ଓଭରରେ ଇଂଲଣ୍ଡର ତିନିଜଣ ବ୍ୟାଟସମ୍ୟାନ ଜନି ବେୟାରଷ୍ଟୋ, ବେନ୍‍ ଷ୍ଟୋକ୍‍ସ ଓ ଜୋସ୍‍ ବଟ୍‍ଲରଙ୍କୁ ଆଉଟ କରି ଦଳୀୟ ସ୍ଥିତିକୁ ମଜଭୁତ କରିଥିଲେ। ଫଳରେ ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ଇଂଲଣ୍ଡ ୬ ୱିକେଟ ବିନିମୟରେ ୮୬ ରନ କରିଥିଲା।
ବିରତି ପରେ ଈଶାନ୍ତ ତାଙ୍କର ଅସମାପ୍ତ ସପ୍ତମ ଓଭର ବୋଲିଂ କରି ଭାରତକୁ ଆଉ ଏକ ୱିକେଟ ଉପହାର ଦେଇଥିଲେ। ଏହି ଓଭରର ଶେଷ ବଲକୁ ଖେଳିବାକୁ ଯାଇ ଜୋସ୍‍ ବଟ୍‍ଲର ୱିକେଟରକ୍ଷକ ଦିନେଶ କାର୍ତ୍ତିକଙ୍କ ଦ୍ୱାରା କ୍ୟାଚଆଉଟ ହୋଇଥିଲେ। ୮୭ ରନରେ ୭ଟି ୱିକେଟ ହରାଇ ଇଂଲଣ୍ଡ ଦଳ ଅସୁବିଧାର ସମ୍ମୁଖୀନ ହୋଇଥିଲା। ତେବେ ସାମ୍‍ କରନ୍‍ ଓ ଆଦିଲ ରସିଦ ସତର୍କତାର ସହ ବ୍ୟାଟିଂ କରି ଭାରତୀୟ ବୋଲରଙ୍କ ଆଧିପତ୍ୟକୁ କିଛି ସମୟ ରୋକିବାରେ ସଫଳ ହୋଇଥିଲେ। ଏ ଦୁହେଁ ଅଷ୍ଟମ ୱିକେଟ ପାଇଁ ୪୮ ରନ ଯୋଗକରିଥିଲେ। ରସିଦ ବ୍ୟକ୍ତିଗତ ୧୬ ରନ କରି ଉମେଶ ଯାଦବଙ୍କ ବଲରେ ବୋଲଡ୍‍ ହୋଇଥିଲେ ସୁଦ୍ଧା କରନ୍‍ ଓ ଷ୍ଟୁଆର୍ଟ ବ୍ରଡ ୯ମ ୱିକେଟ ପାଇଁ ୪୧ ରନ ଯୋଗକରିଥିଲେ। ବ୍ରଡ ୧୧ ରନ କରି ଈଶାନ୍ତଙ୍କ ପଞ୍ଚମ ଶିକାର ପାଲଟିଥିଲେ। କରନ ୯ଟି ଚୌକା ଓ ୨ଟି ଛକା ସହାୟତାରେ ସର୍ବାଧିକ ୬୩ ରନ କରି ଶେଷ ଖେଳାଳିଭାବେ ଆଉଟ ହେବାରୁ ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୧୮୦ ରନରେ ଅଲଆଉଟ ହୋଇଥିଲା। ଭାରତ ପକ୍ଷରୁ ଈଶାନ୍ତ ୫ଟି ଓ ଅଶ୍ୱିନ ୩ଟି ୱିକେଟ ଅକ୍ତିଆର କରିଥିବାବେଳେ ଉମେଶ ଯାଦବଙ୍କୁ ୨ଟି ୱିକେଟ ମିଳିଥିଲା।

Leave A Reply