ଚୀନ୍‌ର ଯୁଦ୍ଧ ଧମକ; ଭାରତର ଜବାବ – ଆରମ୍ଭ କଲେ ପରାକ୍ରମ ଦେଖିବ

ନୂଆଦିଲ୍ଲୀ : ଇଏ ୧୯୬୨ ମସିହାର ଭାରତ ନୁହେଁ। ୨୦୨୦ର ଆଧୁନିକ ଭାରତ। ଭାରତ ସବୁବେଳେ ଶାନ୍ତି ଚାହେଁ; ମାତ୍ର ଯଦି ପଡୋଶୀ ଯୁଦ୍ଧ ଆରମ୍ଭ କରେ ତେବେ ଏଥର ଭାରତୀୟ ସୌର୍ଯ୍ୟ ଓ ବୀରତ୍ବର ପରାକ୍ରମ ଦେଖିବ ଚୀନ୍‌। ଏହାର ପରିଣାମ ମଧ୍ୟ ଭୋଗିବ। ପୂର୍ବ ଲଦାଖର ଗଲୱାନ୍‌ ଘାଟିରୁ ଉତ୍ତେଜନା ଆରମ୍ଭ କରିଥିବା ଚୀନ୍‌କୁ ଏଭଳି ଆକ୍ରାମକ ଜବାବ ଦେଇଛି ଭାରତୀୟ ସେନା। ଚୀନ୍‌ର ସରକାରୀ ଗଣମାଧ୍ୟମ ‘ଗ୍ଲୋବାଲ ଟାଇମ୍ସ’ର ମୁଖ୍ୟ ସଂପାଦକ ହୁ ଜିଜିନ୍ ସଂପାଦକୀୟରେ ଲେଖିଛନ୍ତି ଯେ, ଭାରତ ଯୁଦ୍ଧ କଲେ ଚୀନ୍‌ଠାରୁ ଜିତିପାରିବ ନାହିଁ। ଏପରିକି ସେ ତାଙ୍କ ଟ୍ବିଟର ଆକାଉଣ୍ଟରେ ମଧ୍ୟ ତାଇୱାନ୍‌ ସୀମାରେ ଚୀନ୍‌ର ଯୁଦ୍ଧ ପ୍ରସ୍ତୁତି ନେଇ ଏକ ଭିଡିଓ ଜାରି କରିବା ପରେ ଏଭଳି ପ୍ରତିକ୍ରିୟା ରଖିଛି ଭାରତୀୟ ସେନା।
ଗ୍ଲୋବାଲ ଟାଇମ୍ସର ମୁଖ୍ୟ ସମ୍ପାଦକ ହୁ ଜିଜିନ୍ ଲେଖିଥିବା ସମ୍ପାଦକୀୟରେ ଉଲ୍ଲେଖ କରାଯାଇଛି ଯେ, ଚୀନ ଉଭୟ ଶାନ୍ତି ଓ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ଅଛି। ଗତ ୪ ତାରିଖରେ ମସ୍କୋରେ ଭାରତ-ଚୀନ୍‌ ମଧ୍ୟରେ ଯେଉଁ ୫ ସୂତ୍ରୀ ରାଜିନାମା ହୋଇଛି ତାହାକୁ ଯଦି ଭାରତ କାର୍ଯ୍ୟକାରୀ ନ କରେ ଏବଂ ସୀମାରୁ ସୈନ୍ୟ ଅପସାରଣ ନ କରେ ତାହେଲେ ଚୀନ୍‌ ଯୁଦ୍ଧ ଲାଗି ନିଜର ସେନାକୁ ପ୍ରସ୍ତୁତ ରଖିବ।
ପୂର୍ବାଞ୍ଚଳ ଲଦାଖରେ ଉଭୟ ଭାରତ ଓ ଚୀନ୍‌ ସେନା ମଧ୍ୟରେ ଏବେ ଉତ୍ତେଜନା ମୂଳକ ପରିସ୍ଥିତି ରହିଛି। ଉଭୟ ପକ୍ଷ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଗତକାଲି ପ୍ରତିରକ୍ଷା ମନ୍ତ୍ରୀ
ରାଜନାଥ ସିଂହ ଲୋକସଭାରେ ସୀମା ବିବାଦ ସଂପର୍କରେ ସୂଚନା ଦେଇ ଭାରତୀୟ ସେନା ତା’ର ସାର୍ବଭୌମତ୍ବର ସୁରକ୍ଷା ଲାଗି ସତର୍କ ଓ ପ୍ରସ୍ତୁତ ରହିଛି ବୋଲି କହିବା ସହିତ ଭାରତ ସବୁବେଳେ ପଡୋଶୀ ସହିତ ଶାନ୍ତିପୂର୍ଣ୍ଣ ଆଲୋଚନା ଜରିଆରେ ବିବାଦର ସମାଧାନ ଲାଗି ଆଗ୍ରହୀ ରହିଆସିଛି ବୋଲି କହିଥିଲେ। ଯଦି ପଡୋଶୀ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରେ, ତେବେ ଏହାର ଯଥାର୍ଥ ଜବାବ ମଧ୍ୟ ଦେବାକୁ ଭାରତ ପ୍ରସ୍ତୁତ ବୋଲି ସଂସଦରେ କହିଥିଲେ।
ରାଜନାଥଙ୍କ ବିବୃତି ପରେ ଚୀନ୍‌ ରାଷ୍ଟ୍ରପତି ଜିନ୍ ପିଙ୍ଗଙ୍କ ନିର୍ଦେଶରେ ଖବର ଛାପୁଥିବା ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ ତା’ର ସଂପାଦକୀୟରେ ଭାରତକୁ ସିଧାସଳଖ ଯୁଦ୍ଧ ଲାଗି ଧମକ ଦେବା ଏବଂ ଭାରତ ଜିତି ପାରିବନି ବୋଲି ଉଲ୍ଲେଖ କରିବାକୁ ଭାରତ ସରକାର ଏବଂ ଭାରତୀୟ ସେନା ବେଶ୍‌ ଗୁରୁତ୍ବର ସହ ଗ୍ରହଣ କରିଛନ୍ତି। ପୂର୍ବାଞ୍ଚଳ ଲଦାଖରେ ପ୍ରବଳ ଶୀତର ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଭାରତୀୟ ସେନା ଏଠାରେ ଲଢେଇ କରିବାକୁ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ନର୍ଦର୍ଣ୍ଣ କମାଣ୍ଡ ମୁଖପାତ୍ର କହିଛନ୍ତି। ସେ କହିଛନ୍ତି ଯେ, ଯଦି ଚୀନ୍‌ ଯୁଦ୍ଧ ଭଳି ପରିସ୍ଥିତି ଉପୁଜାଏ, ତାହେଲେ ଏଥର ଉତ୍ତମ ତାଲିମଯୁକ୍ତ ଓ ପ୍ରସ୍ତୁତ ଭାରତୀୟ ସେନାକୁ ସାମ୍ନା କରିବ। ଅକ୍ଟୋବର ପରବର୍ତ୍ତୀ ଶୀଳଋତୁରେ ମଧ୍ୟ ଏକ ପୂର୍ଣ୍ଣକାଳୀନ ଇଢେଇ କରିବାକୁ ଭାରତୀୟ ସେନା ସଂପୂର୍ଣ୍ଣ ପ୍ରସ୍ତୁତ ହୋଇରହିଛି। ଭାରତୀୟ ଯବାନ ଉଭୟ ଶାରୀରିକ (ରଣକୌଶଳ, ଯୁଦ୍ଧ ପ୍ରସ୍ତୁତି) ଏବଂ ସର୍ବୋପରି ମାନସିକ ସ୍ତରରେ ମଧ୍ୟ ନିଜକୁ ଦୃଢ କରିପାରିଥିବା ଭାରତୀୟ ସେନା ପକ୍ଷରୁ ଏକ ବାର୍ତ୍ତାରେ ଚୀନ୍‌କୁ ଜବାବ ଦିଆଯାଇଛି। ଭାରତୀୟ ଯବାନ ବିଶ୍ବର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନ୍‌ ଗ୍ଲାସିୟରରେ ୨୦ରୁ ୩୦ ଡିଗ୍ରୀ ବିଯୁକ୍ତ ତାପମାତ୍ରାରେ ଲଢିବାର ସାମର୍ଥ୍ୟ ରଖିଛି। ବର୍ଷସାରା ଏଭଳି ସ୍ଥିତିରେ ନିଜକୁ ଶକ୍ତିଶାଳୀ କରିଆସିଛି। ଅତ୍ୟନ୍ତ କଠିନରୁ କଠିନ ପରିସ୍ଥିତିରେ ଯୁଦ୍ଧ କରିବାର ଉଭୟ ଶାରୀରିକ ଓ ମାନସିକ ଦୃଷ୍ଟିରୁ ଅଭ୍ୟାସ କରିସାରିଛି। ତା’ ତୁଳନାରେ ଚୀନ୍‌ ସେନା ଅତ୍ୟନ୍ତ ଦୁର୍ବଳ। ଚୀନ୍‌ର ସୈନ୍ୟ ବିଶେଷକରି ସହରାଞ୍ଚଳରୁ ନିୟୋଜିତ ଥିବାରୁ ସେମାନେ କଠିନ ପରିସ୍ଥିତିରେ ବେଶୀ ସମୟ ଯୁଦ୍ଧକ୍ଷେତ୍ରରେ ମୁକାବିଲା କରିପାରିବେନି ବୋଲି ନର୍ଦର୍ଣ୍ଣ କମାଣ୍ଡ ମୁଖ୍ୟାଳୟର ମୁଖପାତ୍ର ଚୀନ୍‌ ଗଣମାଧ୍ୟମକୁ ପାଲଟା ଜବାବରେ କହିଛନ୍ତି।
ଯଦି ଏବେ ଚୀନ୍‌ ଯୁଦ୍ଧ କରେ, ତେବେ ଏହା ତା’ର ମୁର୍ଖତା ହେବ। ଭାରତ ସବୁବେଳେ ଏକ ଶାନ୍ତିପ୍ରିୟ ରାଷ୍ଟ୍ର ରହିଆସିଛି। ପଡୋଶୀ ସହିତ ଉତ୍ତମ ସଂପର୍କ ରଖିବାକୁ ପ୍ରୟାସ କରିଛି। ଗୋଟିଏ ପଟେ ଦ୍ବିପାକ୍ଷିକ ଆଲୋଚନା ଜରିଆରେ ସୀମା ବିବାଦ ତୁଟାଇବା ଲାଗି କୂଟନୈତିକ ସ୍ତରରେ ଆଲୋଚନା ଚାଲିଥିବାବେଳେ ଅନ୍ୟପଟେ ସାମରିକ ସ୍ତରରେ ଦୀର୍ଘ ସମୟ ଲାଗି ଯେ କୌଣସି ପରିସ୍ଥିତିର ଦୃଢ ମୁକାବିଲା ଲାଗି ଭାରତୀୟ ସେନା ପ୍ରସ୍ତୁତ ହୋଇରହିଥିବା ନର୍ଦର୍ଣ୍ଣ କମାଣ୍ଡ ପକ୍ଷରୁ କୁହାଯାଇଛି। କମାଣ୍ଡ ପକ୍ଷରୁ ଆହୁରି କୁହାଯାଇଛି ଯେ, ଲଦାଖ ଅଞ୍ଚଳ ହେଉଛି ଉଚ୍ଚରୁ ଅତ୍ୟୁଚ୍ଚ ପାର୍ବତ୍ୟାଞ୍ଚଳ। ଏଠାରେ ନଭେମ୍ବର ସମୟରେ ୪୦ ଫୁଟରୁ ଅଧିକ ବରଫପାତ ହୋଇଥାଏ। ତାପମାତ୍ରା ଏଠାରେ ୩୦ରୁ ୪୦ ଡିଗ୍ରୀ ସେଲ୍‌ସିୟସ୍‌ ବିଯୁକ୍ତ ରହିଥାଏ। ସେତେବେଳେ ଯେଉଁ ପ୍ରବଳ ଶୀତଲହରୀ ବହେ, ତାହାକୁ ସେନା ସମ୍ଭାଳିବା କଷ୍ଟକର। ବରଫପାତ ଯୋଗୁଁ ସଡ଼କ ପଥ ମଧ୍ୟ ବନ୍ଦ ହୋଇଯାଏ। ତେବେ ଭାରତ ଲାଗି ଏବେ ଏହା ସଂକଟ ନୁହେଁ; ବରଂ ଏକ ସୁଯୋଗ। ଲଦାଖକୁ ସଂଯୋଗ ଲାଗି ଯୋଜିଲା ଓ ରୋହତଙ୍ଗ ପଥ ବନ୍ଦ ହୋଇଗଲେ ମଧ୍ୟ ଧରଚାରୁ ଲେହକୁ ଏବେନବ ନିର୍ମିତ ଅଟଳ ଟନେଲ ଜରିଆରେ ଅତି କମ୍‌ ସମୟରେ ଲଦାଖରେ ସୈନ୍ୟ ଠୁଳ, ଯୁଦ୍ଧ ସରଞ୍ଜାମ, ଗୋଳାବାରୁଦ ଓ ଖାଦ୍ୟ ସାମଗ୍ରୀ, ଚିକିତ୍ସା ସୁବିଧା ପହଞ୍ଚାଇବା ଲାଗି ବିକଳ୍ପ ରାସ୍ତା ପ୍ରସ୍ତୁତ ହୋଇସାରିଛି ବୋଲି ନର୍ଦର୍ଣ୍ଣ କମାଣ୍ଡ ସୂଚନା ଦେଇଛି। ପ୍ରତିକୂଳ ପରିସ୍ଥିତିରେ ଭାରତୀୟ ସେନା କିଭଳି ଯୁଦ୍ଧ କରେ, ତାହା ବିଶ୍ବ ଜାଣିଛି। ଚୀନ୍‌ ସେନା ସୀମାନ୍ତରେ ନଭେମ୍ବର ପର୍ଯ୍ୟନ୍ତ ଠିଆ ହେବା କଠିନକର ଥିବାରୁ ଏବେ ଯୁଦ୍ଧ ଭଳି ଉତ୍ତେଜନା ସୃଷ୍ଟି କରୁଛି। ତେବେ ଭାରତୀୟ ସେନା ଏହାର ଯଥୋଚିତ ଜବାବ ଦେବାକୁ ପୂର୍ଣ୍ଣ ପ୍ରସ୍ତୁତ ବୋଲି ନର୍ଦର୍ଣ୍ଣ କମାଣ୍ଡ ପକ୍ଷରୁ ପ୍ରତିପକ୍ଷ ଚୀନ୍‌କୁ ଜଣାଇ ଦିଆଯାଇଛି।

Comments are closed.