ଭାରତ ୪ ୱିକେଟରେ ପରାସ୍ତ ; ସିରିଜ୍ ୨-୨ରେ ବରାବର

0

ମୋହାଲି : ଦିନିକିଆ କ୍ରିକେଟ୍‌ରେ ଅନ୍ୟତମ ଶ୍ରେଷ୍ଠ ରନ୍‌ର ପିଛା ଦେଖିବାକୁ ମିଳିଛି ରବିବାର। ଭାରତ ବିପକ୍ଷରେ ସର୍ବାଧିକ ରନ୍‌ (୩୫୯)ର ପିଛାକରି ଅଷ୍ଟ୍ରେଲିଆ ବିଜୟୀ ହୋଇଛି। ପିଟର ହ୍ୟାଣ୍ଡ୍‌ସକମ୍ବ୍‌ଙ୍କ ଶତକ ଓ ଉସ୍‌ମାନ ଖାୱାଜାଙ୍କ ୯୧ ରନ୍ ପରେ ଆଷ୍ଟନ ଟର୍ନରଙ୍କ ବିସ୍ଫୋରକ ଇନିଂସ ବଳରେ ୪ର୍ଥ ଦିନିକିଆରେ ଏହି ସ୍ମରଣୀୟ ବିଜୟ ଅଷ୍ଟ୍ରେଲିଆ ହାସଲ କରିଛି। ୧୨ ରନ୍‌ରେ ୨ଟି ୱିକେଟ ହରାଇବା ପରେ ଅଷ୍ଟ୍ରେଲିଆର ଏହି ବିଜୟ ବେଶ୍ ପ୍ରଶଂସନୀୟ। ଶିଖର ଧାୱନ୍‌ଙ୍କ ଶତକ ଓ ରୋହିତ ଶର୍ମାଙ୍କ ୯୫ ରନ୍‌ ବଳରେ ଭାରତ ୯ ୱିକେଟରେ ୩୫୮ ରନ୍ କରିଥିଲା। ଅଷ୍ଟ୍ରେଲିଆ ଏକଦା ୧୮ ଓଭରରେ ୧୭୪ ରନ୍ ଆବଶ୍ୟକ କରୁଥିବା ବେଳେ ୧୩ଟି ବଲ୍ ବାକିଥାଇ ୬ ୱିକେଟ ହରାଇ ବିଜୟୀ ହୋଇଥିଲା। ଅଷ୍ଟ୍ରେଲିଆ ୪ ୱିକେଟରେ ଜିତିବା ସହ ଏବେ ୫ ମ୍ୟାଚ୍‌ର ଦିନିିକିଆ ସିରିଜ୍ ୨-୨ ସ୍ଥିତିରେ ପହଞ୍ଚିଯାଇଛି। ବୁଧବାର ୫ମ ତଥା ଅନ୍ତିମ ଦିନିକିଆ ଖେଳାଯିବ।
୩୫୯ ରନ୍‌ ବିଶାଳ ବିଜୟଲକ୍ଷ୍ୟର ପିଛାକରି ଅଷ୍ଟ୍ରେଲିଆ ବିପର୍ଯ୍ୟୟ ସହ ଇନିଂସ ଆରମ୍ଭ କରିଥିଲା। ଗତ ମ୍ୟାଚ୍‌ରେ ଭଲ ବ୍ୟାଟିଂ କରିଥିବା ଅଧିନାୟକ ଆରୋନ୍ ଫିଞ୍ଚ୍ ଖାତା ଖୋଲିବା ପୂର୍ବରୁ ପ୍ରଥମ ଓଭରରେ ଆଉଟ ହୋଇଥିଲେ। ପରେ ସନ୍ ମାର୍ଶ ୬ ରନ୍‌କରି ବିଦାୟ ନେଇଥିଲେ। ୧୨ ରନ୍‌ରେ ଅଷ୍ଟ୍ରେଲିଆ ୨ଟି ୱିକେଟ ହରାଇବା ପରେ ଉସ୍‌ମାନ ଖାୱାଜା ଓ ପିଟର ହ୍ୟାଣ୍ଡ୍‌ସକମ୍ବ୍ ହାର ମାନିନଥିଲେ ଏବଂ ୩ୟ ୱିକେଟ ପାଇଁ ୧୯୨ ରନ୍‌ର ଭାଗିଦାରୀ କରି ଦଳକୁ ବିଜୟର ଆଶା ଦେଇଥିଲେ। ଚଳିତ ସିରିଜ୍‌ରେ ଅଷ୍ଟ୍ରେଲିଆର ସଫଳତମ ବ୍ୟାଟ୍‌ସମ୍ୟାନ୍ ଖାୱାଜା ୯୯ ବଲ୍‌ରୁ ୭ଟି ଚୌକା ସହ ୯୧ ରନ୍ କରିଥିଲେ। ଜୀବନର ପ୍ରଥମ ଦିନିକିଆ ଶତକ ମାରିଥିବା ହ୍ୟାଣ୍ଡ୍‌ସକମ୍ବ୍ ୧୦୫ ବଲ୍‌ରୁ ୩ଟି ଛକା ଓ ୮ଟି ଚୌକା ସହ ୧୧୭ ରନ୍ କରିଥିଲେ। ଗ୍ଲେନ୍ ମ୍ୟାକ୍ସୱେଲ ୧୩ଟି ବଲ୍‌ରୁ ଦ୍ରୁତ ୨୩ ରନ୍ କରିଥିଲେ। ୧୮ ଓଭରରେ ୧୭୪ ରନ୍ ଆବଶ୍ୟକ ଥିବା ବେଳେ ଆଷ୍ଟନ ଟର୍ନର ମୋର୍ଚ୍ଚା ସମ୍ଭାଳିଥିଲେ। ଏହି ନବାଗତ ୪୩ ବଲ୍‌ରୁ ୬ଟି ଛକା ଓ ୫ଟି ଚୌକା ସହ ୮୪ ରନ୍‌ରେ ଅପରାଜିତ ରହି ଦଳକୁ ଜିତାଇଥିଲେ। ଆଲେକ୍ସ କ୍ୟାରେ ୧୫ ବଲ୍‌ରୁ ୨୧ ରନ୍ କରିଥିଲେ। ଯଶପ୍ରୀତ ବୁମ୍‌ରା ୩ଟି ୱିକେଟ ପାଇଥିଲେ। ଆଷ୍ଟନ ଟର୍ନର ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
ଟସ୍ ଜିତି ଭାରତ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ଆରମ୍ଭରୁ ଭାରତୀୟ ଓପ୍‌ନିଂ ଯୋଡ଼ି ଚମତ୍କାର ବ୍ୟାଟିଂ କରିଥିଲେ। ବିଶେଷକରି ଗତ ୩ଟି ମ୍ୟାଚ୍‌ରେ ମୋଟ ୨୨ ରନ୍ କରିଥିବା ବାମହାତି ଶିଖର ଧାୱନ ଆରମ୍ଭରୁ ଚମ୍ପିଆନ୍‌ଙ୍କ ପରି ବ୍ୟାଟିଂ କରିଥିଲେ ଏବଂ ଦ୍ରୁତଗତିରେ ସ୍କୋର୍ କରିଥିଲେ। ତେବେ ପରେ ରୋହିତ ଶର୍ମା ମଧ୍ୟ ସଟ୍ ଖେଳିବା ଆରମ୍ଭ କରିଥିଲେ। ପ୍ରଥମ ୨୨ ବଲ୍‌ରୁ ୮ ରନ୍ କରିଥିବା ରୋହିତ ପରବର୍ତ୍ତୀ ୩୪ ବଲ୍‌ରୁ ୩୨ ରନ୍ କରିଥିଲେ। ଫଳରେ ଅଷ୍ଟ୍ରେଲିଆର ବୋଲର ପଛଘୁଞ୍ଚା ଦେଇଥିଲେ। ଭାଗିଦାରୀ ଆରମ୍ଭରୁ ଧାୱନ-ରୋହିତ ଓଭର୍ ପିଛା ୬ ରନ୍‌ରୁ ଅଧିକ ହାରରେ ସ୍କୋର୍ କରିଥିଲେ। ଏହି ଓପ୍‌ନିଂ ଯୋଡ଼ି ୩୧ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ଥିଲେ ଏବଂ ୧୯୩ ରନ୍‌ର ଭାଗିଦାରୀ କରିଥିଲେ। ୯୨ ବଲ୍‌ରୁ ୨ଟି ଛକା ଓ ୭ଟି ଚୌକା ସହ ୯୫ ରନ୍‌କରି ରୋହିତ ପ୍ରଥମେ ଆଉଟ ହୋଇ ଯାଇଥିଲେ। ପରବର୍ତ୍ତୀ ୧୫୯ ରନ୍‌ରେ ଭାରତ ୯ଟି ୱିକେଟ ହରାଇଥିଲା। ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ୍ ଯୋଗଦାନ କରିବାରୁ ଭାରତ ୩୫୦ ରନ୍ ପାର କରି ପାରିଥିଲା। ଶିଖର ଧାୱନ ଓ କେ.ଏଲ୍‌. ରାହୁଲଙ୍କ ମଧ୍ୟରେ ୬୧ ରନ୍‌ର ଭାଗିଦାରୀ ହୋଇଥିଲା। ୧୭ଟି ଇନିଂସ ପରେ ଶତକ ହାସଲ କରିଥିଲେ ଧାୱନ୍। ଏହା ତାଙ୍କର ୧୬ଶ ଦିନିକିଆ ଶତକ। ଧାୱନ ୧୧୫ ବଲ୍‌ରୁ ୩ଟି ଛକା ଓ ୧୮ଟି ଚୌକା ସହ ୧୪୩ ରନ୍ କରିଥିଲେ। ବିରାଟ କୋହଲି ୭ ରନ୍ କରି ପାରିଥିଲେ। ରାହୁଲ ୩୧ ବଲ୍‌ରୁ ୨୬ ରନ୍ କରିଥିଲେ। ସିରିଜ୍‌ରେ ପ୍ରଥମ ମ୍ୟାଚ୍ ଖେଳିଥିବା ଋଷଭ ପନ୍ତ୍ ଆକ୍ରମଣାତ୍ମକ ବ୍ୟାଟିଂକରି ୨୪ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୬ ରନ୍ କରିଥିଲେ। କେଦାର ଯାଦବ ୧୦ ରନ୍ କରିଥିବା ​‌େ​‌ବଳେ ଶେଷଆଡ଼କୁ ଇନିଂସ ସମ୍ଭାଳିଥିଲେ ବିଜୟ ଶଙ୍କର। ତାମିଲନାଡ଼ୁର ଏହି ଅଲ୍‌ରାଉଣ୍ଡର ୧୫ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୬ ରନ୍ କରିଥିଲେ। ପ୍ୟାଟ୍‌ କମିନ୍‌ସ ୭୦ ରନ୍‌ଦେଇ ୫ଟି ଓ ଝାଏ ରିଚାର୍ଡସନ୍ ୮୫ ରନ୍‌ଦେଇ ୩ଟି ୱିକେଟ ପାଇଥିଲେ।

Leave A Reply