ସିରିଜ୍ ହାତେଇବା ଲକ୍ଷ୍ୟରେ ଭାରତ

ସିଡ୍‌ନୀ: ଭ୍ରମଣକାରୀ ଭାରତ ବିପକ୍ଷରେ ପ୍ରଥମ ୨ଟି ଦିନିକିଆ ମ୍ୟାଚ୍‌କୁ ସହଜରେ ଜିତିବା ପରେ ଘରୋଇ ଅ‌େ‌ଷ୍ଟ୍ରଲିଆ ଦଳରେ ଆହତଗତ ସମସ୍ୟା ଗମ୍ଭୀର ହେବାରେ ଲାଗିଛି। ପ୍ରତି ମ୍ୟାଚ୍‌ ପୂର୍ବରୁ ଏକାଧିକ ଖେଳାଳିଙ୍କୁ ଆହତ ତାଲିକାରେ ଦେଖିବାକୁ ମିଳୁଛି। ପରିସ୍ଥିତି ଏପରି ହୋଇଛି ଯେ ବାକି ୨ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ୧୧ ଜଣ ଫିଟ୍‌ ଖେଳାଳିଙ୍କୁ ଓହ୍ଲାଇବା କଙ୍ଗାରୁଦଳ ପାଇଁ କଷ୍ଟକର ହୋଇପଡ଼ିଛି। ଏହି ସମସ୍ୟା ୩ୟ ଦିନିକିଆ ଓ ପ୍ରଥମ ଟ୍ବେଣ୍ଟି୨୦ରେ ଅଷ୍ଟ୍ରେଲିଆ ପାଇଁ ପରାଜୟର କାରଣ ପାଲଟିଛି। ଡେଭିଡ୍‌ ୱାର୍ଣ୍ଣର ଓ ମାର୍କସ ଷ୍ଟୋଇନିସ୍‌ ଆହତ ହୋଇଥିବା ବେଳେ ପ୍ୟାଟ୍‌ କମିନ୍‌ସଙ୍କୁ ବିଶ୍ରାମ ଦିଆ ଯାଇଥିଲା। ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍‌ ପରେ ଅଧିନାୟକ ଆରୋନ୍ ଫିଞ୍ଚ୍‌ଙ୍କ ସହ ଫାଷ୍ଟବୋଲର ମିଚେଲ ଷ୍ଟାର୍କ, ଆଷ୍ଟନ୍ ଏଗାର୍‌ ମଧ୍ୟ ଆହତ ତାଲିକାରେ ରହିଛନ୍ତି। ଫିଞ୍ଚ୍‌ ଓ ଷ୍ଟାର୍କଙ୍କ ଖେଳିବା ସମ୍ଭାବନା ୫୦ ପ୍ରତିଶତ ବୋଲି ଦଳ ପକ୍ଷରୁ କୁହାଯାଇଛି। ରବିବାର ଏଠାରେ ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯିବ। କ୍ରମାଗତ ୨ଟି ବିଜୟ ପ​‌ରେ ଅତ୍ୟନ୍ତ ଉତ୍ସାହିତ ମନେ ହେଉଛନ୍ତି ଭାରତୀୟ ଖେଳାଳି। ୨ୟ ଟ୍ବେଣ୍ଟି୨୦ ଜିତି ସିରିଜ୍ ହାତେଇବା ସହ ଦିନିକିଆ ସିରିଜ୍‌ ପରାଜୟର ପ୍ରତିଶୋଧ ନେବାକୁ ଭାରତୀୟ ଦଳ ପ୍ରୟାସ କରିବ। ଆହତଗତ ସମସ୍ୟା ଏବଂ କ୍ରମାଗତ ୨ୟ ପରାଜୟ ଯୋଗୁଁ ଅଷ୍ଟ୍ରେଲିଆର ଦୁର୍ବଳ ମନୋବଳର ଫାଇଦା ଉଠାଇବା ଲକ୍ଷ୍ୟରେ ରହିଛି ବିରାଟ ବାହିନୀ।

ଚଳିତବର୍ଷ ପ୍ରାରମ୍ଭରେ ନ୍ୟୁଜିଲାଣ୍ଡ ଗସ୍ତରେ ମଧ୍ୟ ଭାରତ ଦିନିକିଆ ସିରିଜ୍ ହାରିବା ପରେ ଟ୍ବେଣ୍ଟି୨୦ ସିରିଜ୍ ପୋଛି ନେଇଥିଲା। ଏଥର ମଧ୍ୟ ସମାନ ଫଳାଫଳ ଆଶାରେ ଦଳ ରହିଛି। ସମସ୍ତ ପ୍ରମୁଖ ଖେଳାଳି ନଥିଲେ ମଧ୍ୟ ଉଭୟ ଇନିଂସର ପ୍ରଥମାର୍ଦ୍ଧରେ ଅଷ୍ଟ୍ରେଲିଆ ଭଲ ସ୍ଥିତିରେ ଥଲା। ଭାରତ ୫ଟି ୱିକେଟ ହରାଇବା ପରେ ଏହା ପାଇଁ ୧୪୦ ରନ୍‌ ମଧ୍ୟ କଷ୍ଟକର ମନେ ହୋଇଥିଲା। ତେବେ ରବୀନ୍ଦ୍ର ଜାଡ଼େଜାଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ଏହା ୧୬୧ ରନ୍‌ରେ ପହଞ୍ଚି ପାରିଥିଲା। ପରେ ଅଷ୍ଟ୍ରେଲିଆ ୧ ୱିକେଟରେ ୭୨ ରନ୍‌ କରିଥିବା ବେଳେ ନିୟମିତ ୱିକେଟ ହରାଇ ପରାଜୟ ଭୋଗିଥିଲା। ଅଧିନାୟକ ଆରୋନ୍ ଫିଞ୍ଚ୍ ଓ ମିଚେଲ୍ ଷ୍ଟାର୍କ ଖେଳିବେ କି ନାହିଁ; ତାହା ସ୍ପଷ୍ଟ ହୋଇନାହିଁ। ଯଦି ଫିଞ୍ଚ୍ ନ ଖେଳନ୍ତି; ତେବେ ଅଷ୍ଟ୍ରେଲିଅାର ସମସ୍ୟା ଆହୁରି ବଢ଼ିଯିବ। କାରଣ ଫିଞ୍ଚ୍ ଚମତ୍କାର ଫର୍ମରେ ଅଛନ୍ତି। ଫିଞ୍ଚ୍ ନ ଖେଳିଲେ ମାଥ୍ୟୁ ୱେଡ୍‌ ଓପନ୍‌ କରିପାରନ୍ତି ଏବଂ ଆଲେକ୍ସ କ୍ୟାରି ମଧ୍ୟକ୍ରମରେ ଖେଳିପାରନ୍ତି। ଅଭିଜ୍ଞ ନାଥାନ୍ ଲାୟନ୍ ଦଳରେ ସାମିଲ ହୋଇଥିବାରୁ ଲେଗ୍‌ସ୍ପିନର ମିଚେଲ ସ୍ବେପ୍‌ସନଙ୍କ ସ୍ଥାନରେ ଖେଳିପାରନ୍ତି। ଆହତ ରବୀନ୍ଦ୍ର ଜାଡ଼େଜା ଟ୍ବେଣ୍ଟି୨୦ ସିରିଜ୍‌ରୁ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଗତ ମ୍ୟାଚ୍‌ର ମ୍ୟାନ୍ ଅଫ୍ ଦି ମ୍ୟାଚ୍‌ ୟୁଜବେନ୍ଦ୍ର ଚହଲ ଖେଳିବା ନିଶ୍ଚିତ। ପ୍ରଥମ ଟି୨୦ରେ ଜାଡ଼େଜାଙ୍କ ବଦଳ ଖେଳାଳି ଭାବେ ଖେଳି ଚହଲ ମ୍ୟାଚ୍‌ ବିଜେତା ହୋଇଥିଲେ। ମହମ୍ମଦ ସାମିଙ୍କ ସ୍ଥାନରେ ଯଶପ୍ରୀତ ବୁମ୍‌ରା ଖେଳିପାରନ୍ତି। ଭାରତ ଖେଳିଥିବା ଗତ ୧୦ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଅପରାଜିତ ରହିଛି। ଭାରତ ୯ଟି ଜିତିଛି ଏବଂ ଗୋଟିଏ ବାତିଲ ହୋଇଛି। କ୍ରମାଗତ ୧୦ମ ବିଜୟ ଲକ୍ଷ୍ୟରେ ଭାରତ ରହିଛି। ପ୍ରଥମ ୨ଟି ଦିନିକିଆ ପରି ଏହି ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ସିଡ୍‌ନୀ ପିଚ୍‌ରେ ଅଧିକ ରନ୍‌ହେବା ନିଶ୍ଚିତ।

Comments are closed.