ତୃତୀୟ ଟି-୨୦ରେ ଭାରତ ୬ ୱିକେଟରେ ବିଜୟୀ

0

ସିଡ୍‍ନୀ : ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଟି-୨୦ ମ୍ୟାଚରେ ଭାରତ ୬ ୱିକେଟରେ ବିଜୟୀ ହୋଇଛି। ଏହା ସହିତ  ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ  ଭାରତ ୧-୧ରେ ଅମୀମାଂସିତ ରହିଛି । ଭାରତୀୟ ସ୍ପିନରଙ୍କ ଚମତ୍କାର ପ୍ରଦର୍ଶନ ପରେ ଅଧିନାୟକ ବିରାଟ କୋହଲି ରନ୍‍ର ପିଛାକରିବା ବେଳେ ପୁଣି ତାଙ୍କ ପାରିଲାପଣ ଦେଖାଇଛନ୍ତି।

ଚମତ୍କାର ଢଙ୍ଗରେ ଅଷ୍ଟ୍ରେଲିଆ ଇନିଂସ ଆରମ୍ଭ କରିଥିଲେ ହେଁ କ୍ରୁନାଲ ପାଣ୍ଡ୍ୟା ୪ଟି ୱିକେଟ ନେବାରୁ ୨୦ ଓଭର ଶେଷରେ ଅଷ୍ଟ୍ରେଲିଆ ୬ ୱିକେଟରେ ୧୬୪ ରନ୍‍ କରି ପାରିଥିଲା। ପରେ ଭାରତୀୟ ଓପ୍‍ନରଙ୍କ ବିସ୍ଫୋରକ ବ୍ୟାଟିଂ ପରେ କୋହଲି ଅପରାଜିତ ୬୧ ରନ୍‍ କରିବାରୁ ୨ଟି ବଲ୍‍ ବାକିଥାଇ ଭାରତ ୪ ୱିକେଟ ହରାଇ ବିଜୟୀ ହୋଇଥିଲା। ପ୍ରଥମ ୨ଟି ଟ୍ୱେଣ୍ଟି-୨୦ରେ ବର୍ଷା ବାଧକ ସାଜିଥିବା ବେଳେ ୩ୟ ଦିନିକିଆରେ କିନ୍ତୁ ପାଗ ଶୁଖିଲା ରହିଥିଲା। ପ୍ରଥମ ଟ୍ୱେଣ୍ଟି-୨୦ରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିବା ବେଳେ ବର୍ଷା ଯୋଗୁଁ ୨ୟ ମ୍ୟାଚ୍‍ ବାତିଲ ହୋଇଥିଲା। ଡିସେମ୍ବର ୬ରୁ ଉଭୟ ଦଳଙ୍କ ମଧ୍ୟରେ ୪ ମ୍ୟାଚ୍‍ ବିଶିଷ୍ଟ ଟେଷ୍ଟ ସିରିଜ୍‍ର ପ୍ରଥମ ମ୍ୟାଚ୍‍ ଖେଳାଯିବ।
ଭାରତ ୧୬୫ ରନ୍‍ର ପିଛା କରିଥିବା ବେଳେ ଭାରତୀୟ ଓପ୍‍ନିଂ ଯୋଡ଼ି ରୋହିତ ଶର୍ମା ଓ ଶିଖର ଧାୱନ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ମିଚେଲ ଷ୍ଟାର୍କ ଭଲ ବୋଲିଂ କରିଥିଲେ ହେଁ ନାଥାନ କୌଲ୍‍ଟର-ନାଇଲ ଓ ମାର୍କସ ଷ୍ଟୋଇନିସ୍‍ଙ୍କୁ ରୋହିତ-ଧାୱନ୍‍ ଆକ୍ରମଣ କରିଥିଲେ। ଫଳରେ ୩୨ ବଲରେ  ଭାରତ ୬୭ ରନରେ ପହଞ୍ଚି ଯାଇଥିଲା ଏବଂ ଦଳର ବିଜୟପଥ ସୁଗମ ହୋଇଥିଲା। ମିଚେଲ ଷ୍ଟାର୍କଙ୍କ ୟର୍କରରେ ପରାସ୍ତହୋଇ ଶିଖର ଧାୱନ ଆଉଟ ହୋଇଥିଲେ। ତେବେ ଏହା ପୂର୍ବରୁ ଧାୱନ ବିସ୍ଫୋରକ ବ୍ୟାଟିଂକରି ମାତ୍ର ୨୨ ବଲ୍‍ରୁ ୨ଟି ଛକା ଓ ୬ଟି ଚୌକା ସହ ୪୧ ରନ୍‍ କରିଥିଲେ। ପରେ ଲେଗ୍‍ସ୍ପିନର ଆଡାମ୍‍ ଜାମ୍ପା ତାଙ୍କ ପ୍ରଥମ ଓଭରରେ ରୋହିତଙ୍କୁ ଆଉଟ କରିଥିଲେ। ରୋହିତ ୧୬ ବଲ୍‍ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୩ ରନ୍‍ କରିିଥିଲେ। ୪ଟି ବଲ୍‍ ମଧ୍ୟରେ ୨ଟି ୱିକେଟ ନେଇ ଅଷ୍ଟ୍ରେଲିଆ ଉତ୍ସାହିତ ହୋଇଥିଲେ ହେଁ ବିରାଟ କୋହଲି ଓ କେ.ଏଲ୍‍. ରାହୁଲ ୩ୟ ୱିକେଟ ପାଇଁ ୪୧ ରନ୍‍ ଯୋଡ଼ି ସ୍ଥିତି ସୁଧାରିଥିଲେ। ରାହୁଲ ୨୦ ବଲ୍‍ରୁ ୧୪ ରନ୍‍ କରିଥିଲେ। ଋଷଭ ପନ୍ତ୍‍ ପ୍ରଥମ ବଲ୍‍ରେ ଆଉଟ ହୋଇଥିଲେ। ୧୦୮ ରନରେ  ୪ଟି ୱିକେଟ ପଡ଼ିଯିବା ପରେ କୋହଲି ଓ ଦିନେଶ କାର୍ତ୍ତିକ ଦଳକୁ ବିଜୟଲକ୍ଷ୍ୟରେ ପହଞ୍ଚାଇଥିଲେ। କାର୍ତ୍ତିକ ୧୮ ବଲ୍‍ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୨ ରନ୍‍ରେ ଅପରାଜିତ ଥିଲେ। ବ୍ୟକ୍ତିଗତ ୧୯ତମ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ୬ଷ୍ଠ ଟ୍ୱେଣ୍ଟି୨୦ ଅର୍ଦ୍ଧଶତକ ହାସଲ କରିଥିବା କୋହଲି ୨୧ ବଲ୍‍ରୁ ୨ଟି ଛକା ଓ ୪ଟି ଚୌକା ସହ ୬୧ ରନ୍‍କରି ଅପରାଜିତ ଥିଲେ। ଅଷ୍ଟ୍ରେଲିଆ ଇନିଂସରେ ଗୋଟିଏ ମଧ୍ୟ ଛକା ହୋଇନଥିବା ବେଳେ ଭାରତୀୟ ବ୍ୟାଟ୍‍ସମ୍ୟାନ ୮ଟି ଛକା ମାରିଥିଲେ।
ଅଷ୍ଟ୍ରେଲିଆ ଟସ୍‍ ଜିତି ବ୍ୟାଟିଂ ନେବା ପରେ ଏହାର ଓପ୍‍ନର ଚମତ୍କାର ପ୍ରଦର୍ଶନ କରିଥିଲେ। ତେବେ ଭାରତୀୟ ସ୍ପିନର ଚମତ୍କାର ବୋଲିଂକରି ଅଷ୍ଟ୍ରେଲିଆର ରାସ୍ତା ରୋକିଥିଲେ। କୁଲଦୀପ ଯାଦବ ପୁଣି ଭଲ ବୋଲିଂକରି ୪ ଓଭରରୁ ମାତ୍ର ୧୯ ରନ୍‍ ଦେଇଥିଲେ। ବାମହାତି ସ୍ପିନର କ୍ରୁନାଲ ପାଣ୍ଡ୍ୟାଙ୍କୁ ଆକ୍ରମଣ ପ୍ରୟାସରେ ଅଷ୍ଟ୍ରେଲିଆ ବ୍ୟାଟ୍‍ସମ୍ୟାନ୍‍ ୱିକେଟ ହରାଇଥିଲେ। ଅଷ୍ଟ୍ରେଲିଆର ଓପ୍‍ନିଂ ବ୍ୟାଟ୍‍ସମ୍ୟାନ ୬୮ ରନ୍‍ କରି ବଡ଼ ସ୍କୋର୍‍ର ମୂଳଦୁଆ ପକାଇଥିଲେ। ତେବେ ଭାରତୀୟ ସ୍ପିନର ଦଳକୁ ମ୍ୟାଚ୍‍କୁ ଫେରାଇ ଆଣିଥିଲେ। ଅଧିନାୟକ ଆରୋନ୍‍ ଫିଞ୍ଚ୍‍ ୨୩ ବଲ୍‍ରୁ ୪ଟି ଚୌକା ସହ ୨୮ ରନ୍‍ କରିଥିଲେ। ଅନ୍ୟ ଓପ୍‍ନର ଡି ଆର୍ସି ସର୍ଟ ୨୩ ବଲ୍‍ରୁ ୫ଟି ଚୌକା ସହ ୩୩ ରନ୍‍କରି ବିଦାୟ ନେଇଥିଲେ। ଗ୍ଲେନ୍‍ ମ୍ୟାକ୍ସୱେଲ ୧୩ ଓ ବେନ୍‍ ମ୍ୟାକ୍‍ଡରମଟ୍ଟ ବିନା ସ୍କୋରରେ ଆଉଟ ହୋଇଥିଲେ। ଆଲେକ୍ସ କାରେ ୧୯ ବଲ୍‍ରୁ ୪ଟି ଚୌକା ସହ ୨୭ ରନ୍‍ କରିଥିଲେ। କ୍ରିସ୍‍ ଲିନ୍‍ ୧୩ ରନ୍‍ କରିଥିଲେ। ତେବେ ମାର୍କସ ଷ୍ଟୋଇନିସ୍‍ ଓ ନାଥାନ୍‍ କୌଲ୍‍ଟର-ନାଇଲ୍‍ ଶେଷ ୧୬ ବଲ୍‍ରୁ ୩୩ ରନ୍‍ ଯୋଡ଼ିଥିଲେ। କୌଲ୍‍ଟର-ନାଇଲ୍‍ ୭ ବଲ୍‍ରୁ ୨ଟି ଛକା ସହ ୧୩ ରନ୍‍ରେ ଅପରାଜିତ ଥିଳେ। ଷ୍ଟୋଇନିସ୍‍ ୧୫ ବଲ୍‍ରୁ ୩ଟି ଛକା ସହ ୨୫ ରନ୍‍ରେ ଅପରାଜିତ ଥିଲେ। ୩୬ ରନ୍‍ଦେଇ ୪ଟି ୱିକେଟ ନେଇଥିବା କ୍ରୁନାଲ ପାଣ୍ଡ୍ୟା ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ଏବଂ ଶିଖର ଧାୱନ୍‍ ପ୍ଲେୟର ଅଫ୍‍ ଦି ସିରିଜ୍‍ ହୋଇଥିଲେ।

 

Leave A Reply