ମେଲବୋର୍ଣ୍ଣରେ ଭାରତ-ଅଷ୍ଟ୍ରେଲିଆ ୩ୟ ଦିନିକିଆ ; ବିଜୟ ଲକ୍ଷରେ ଦୁଇଦଳ

0

ମେଲବୋର୍ଣ୍ଣ : ମେଲ୍‌ବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଶୁକ୍ରବାର ଉଭୟ ଦଳଙ୍କ ମଧ୍ୟରେ ନିର୍ଣ୍ଣାୟକ ୩ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍‌ର ଫଳାଫଳ ଯାହାହେଉନା କାହିଁକି; ଭାରତ ମୁଣ୍ଡ ଉଚ୍ଚାକରି ଅଷ୍ଟ୍ରେଲିଆରୁ ବିଦାୟ ନେବ।  ଏହା ସହିତ ଭାରତୀୟ କ୍ରିକେଟ ଦଳର ୨ ମାସର ଅଷ୍ଟେଲିଆ ଗସ୍ତରେ ଯବନିକା ପଡ଼ିବ। ଏହା ଭାରତୀୟ ଦଳର ଅନ୍ୟତମ ସଫଳ ଅଷ୍ଟ୍ରେଲିଆ ଗସ୍ତ। ଟ୍ବେଣ୍ଟି-୨୦ ସିରିଜ୍‌କୁ ଭାରତ ଡ୍ର ରଖିଥିବା ବେଳେ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆ ମାଟି​ରେ ‌ଭାରତ ଟେଷ୍ଟ ସିରିଜ୍ ଜିତିଥିଲା। ଦଳର ୩ ପ୍ରମୁଖ ପେସ୍ ବୋଲର ଏବଂ ବାସନ୍ଦ ହୋଇଥିବା ୨ ପ୍ରମୁଖ ବ୍ୟାଟ୍‌ସମ୍ୟାନଙ୍କ ଅନୁପସ୍ଥିତି ସତ୍ତ୍ବେ ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆରେ ଭାରତକୁ ପରାସ୍ତ କରିଥିଲା। ତେବେ ୨ୟ ଦିନିକିଆରେ ଭାରତୀୟ ବ୍ୟାଟ୍‌ସମ୍ୟାନ୍ ଚମତ୍କାର ପ୍ରଦର୍ଶନ କରି ଜିତିବା ସହ ସିରିଜ୍‌କୁ ଜୀବନ୍ତ ରଖି ପାରିଛନ୍ତି। ଅଧିନାୟକ ବିରାଟ କୋହଲି ୩୯ତମ ଏବଂ ରନ୍‌ର ପିଛାକରିବା ବେଳେ ୨୪ତମ ଶତକ ହାସଲକରି ଦଳକୁ ଜିତାଇଥିଲେ। ମହେନ୍ଦ୍ର ସିଂହ ଧୋନି ତାଙ୍କ ପୁରୁଣା ଦିନର ବ୍ୟାଟିଂ ଫର୍ମ ଫେରିପାଇବା ସହ ଫିନିସର ଭୂମିକା ନିର୍ବାହ କରିଥିଲେ। ତେଣୁ ଶୁକ୍ରବାର ୩ୟ ଦିନିକିଆରେ ଜିତି ସିରିଜ୍ ହାତେଇବା ପାଇଁ ଭାରତ ହିଁ ଫେଭରିଟ୍। ତେବେ ଭାରତକୁ ଚକ୍‌ମା ଦେବାର ଦକ୍ଷତା ଅଷ୍ଟ୍ରେଲିଆର ଅଛି।
ଏହି ମ୍ୟାଚ୍ ପରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ଯିବାକୁ ଥିବା ବେଳେ ଶ୍ରୀଲଙ୍କା ଦଳକୁ ସ୍ବାଗତ କରିବାକୁ ଅଷ୍ଟ୍ରେଲିଆ ଦଳ ଅପେକ୍ଷା କରିଛି। ତେବେ ଶୁକ୍ରବାରର ୩ୟ ଦିନିକିଆ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ। ଟେଷ୍ଟ ସିରିଜ୍ ଜିତିବା ପରେ ଦିନିକିଆ ସିରିଜ୍ ଜିତି ଅଷ୍ଟ୍ରେଲିଆ ଉପରେ ତା’ର ପ୍ରାଧାନ୍ୟ ଜାହିରକରି ଫେରିବାକୁ ଭାରତୀୟ ଦଳ ଚାହିଁବ। ଅନ୍ୟପକ୍ଷରେ ବଲ୍‌ ଟାମ୍ପରିଂ ବିବାଦ ପରେ କୌଣସି ଫର୍ମାଟରେ ସିରିଜ୍ ଜିତିନଥିବା ଅ​‌େ​‌ଷ୍ଟ୍ରଲିଆ ଏହି ମଉକା ହାତଛଡ଼ା କରିବାକୁ ଚାହିଁବ ନାହିଁ। ପୁଣି ଅଷ୍ଟ୍ରେଲିଆ ମାଟିରେ ଭାରତ କୌଣସି ଦ୍ବିପାକ୍ଷିକ ଦିନିକିଆ ସିରିଜ୍ ଜିତିନାହିଁ। ଏହାର ମଉକା ଭାରତ ପାଖରେ ଅଛି। ତେଣୁ ମ୍ୟାଚ୍‌ରେ କଡ଼ା ମୁକାବିଲା ହେବ ଏବଂ ଉଭୟ ଦଳର ବ୍ୟାଟିଂ ହିଁ ସିରିଜ୍‌ର ଫଇସଲା କରିବ। ଟେଷ୍ଟ ସିରିଜ୍‌ରେ ସନ୍ ମାର୍ଶ ରନ୍ ପାଇନଥିବା ବେଳେ ଗତ ୮ଟି ଦିନିକିଆ ଇନିଂସରୁ ସେ ୪ଟି ଶତକ ମାରିଛନ୍ତି। ମ​‌େ​‌ହନ୍ଦ୍ର ସିଂହ ଧୋନି ୨୦୧୮ରେ ଗୋଟିଏ ମଧ୍ୟ ଅର୍ଦ୍ଧଶତକ ମାରିନଥିବା ବେଳେ ଗତ ୨ଟି ମ୍ୟାଚ୍‌ରେ ଲାଗଲାଗ ୨ଟି ଅର୍ଦ୍ଧଶତକ ମାରିଛନ୍ତି। ଗତ ୧୦ଟି ଦିନିକିଆରୁ ଅଷ୍ଟ୍ରେଲିଆ ମାତ୍ର ୨ଟି ଜିତିପାରିଛି। ୨୦୧୭ରେ ପାକିସ୍ତାନକୁ ହରାଇବା ପରେ ଅ​‌େ​‌ଷ୍ଟ୍ରଲିଆ କ୍ରମାଗତ ୫ଟି ଦ୍ବିପାକ୍ଷିକ ଦିନିକିଆ ସିରିଜ୍ ହାରିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ମାଟିରେ ୫୦ଟି ଦିନିକିଆରୁ ଘରୋଇ ଦଳ ବିପକ୍ଷରେ ଭାରତ ମାତ୍ର ୧୪ଟି ଏବଂ ମେଲ୍‌ବୋର୍ଣ୍ଣରେ ୧୪ଟିରୁ ୫ଟି ଦିନିକିଆ ଜିତିଛି। ତେଣୁ ଅତୀତ ଭାରତ ବିପକ୍ଷରେ ଥିଲେ ସୁଦ୍ଧା ବର୍ତ୍ତମାନ ଭାରତ ସପକ୍ଷରେ।
ଭାରତୀୟ ଦଳ ଏହି ମ୍ୟାଚ୍‌ରେ ଗୋଟିଏ ପରିବର୍ତ୍ତନ କରିପାରେ। ୨ୟ ଦିନିକିଆରେ ପଦାର୍ପଣ କରି ଦୁବଳ ବୋଲିଂ କରିଥିବା ପେସ୍ ବୋଲର ମହମ୍ମଦ ସିରାଜ୍‌ଙ୍କ ସ୍ଥାନରେ ବାମହାତି ପେସ୍ ବୋଲର ଖଲିଲ ଅହମ୍ମଦ ଖେଳିପାରନ୍ତି। ବ୍ୟାଟିଂ ଲାଇନ୍‌ରେ ପରିବର୍ତ୍ତନର ସମ୍ଭାବନା କମ୍ ଥିଲେ ହେଁ ଫର୍ମରେ ନଥିବା ଅମ୍ବତି ରାୟୁଡୁଙ୍କ ସ୍ଥାନରେ କେଦାର ଯାଦବ କିମ୍ବା ବିଜୟ ଶଙ୍କର ଖେଳିପାରନ୍ତି। ଅଷ୍ଟ୍ରେଲିଆ ଦଳରେ କିନ୍ତୁ ଚୂଡ଼ାନ୍ତ ଏକାଦଶ ନେଇ ସମସ୍ୟା ରହିଛି। ଉଭୟ ମ୍ୟାଚ୍‌ରେ ବିଫଳ ହୋଇଥିବା ଦୁଇ ଓପ୍‌ନର ଆରୋନ୍ ଫିଞ୍ଚ୍ ଓ ଆଲେକ୍ସ କାରେଙ୍କ ବିକଳ୍ପ ଏହା ପାଖରେ ନାହିଁ। ଫିଞ୍ଚ୍ ଅଧିନାୟକ ହୋଇଥିବା ବେଳେ କାରେ ୱିକେଟ ରକ୍ଷକ। ମଧ୍ୟକ୍ରମ ବ୍ୟାଟିଂ ଯୋଗୁଁ ଅଷ୍ଟ୍ରେଲିଆ ବେଶ୍ ଉତ୍ସାହିତ। ବାମହାତି ସିମର ଜେସନ୍ ବେହେରନ୍‌ଡର୍ଫ ଆହତ ଥିବାରୁ ତାଙ୍କ ସ୍ଥାନରେ ବିଲି ଷ୍ଟାନ୍‌ଲେକ୍ ଖେଳିବା ନିଶ୍ଚିତ। ଅଫ୍‌ସ୍ପିନର ନାଥାନ୍ ଲାୟନ୍ ଉଭୟ ମ୍ୟାଚ୍‌ରେ ବିଫଳ ହୋଇଥିବାରୁ ତାଙ୍କ ସ୍ଥାନରେ ଲେଗ୍‌ସ୍ପିନର ଆଡାମ୍ ଜାମ୍ପା ଖେଳିପାରନ୍ତି। ମେଲ୍‌ବୋର୍ଣ୍ଣରେ ଗତ ୫ଟି ଦିନିକିଆରୁ ରନ୍‌ର ପିଛା କରିଥିବା ଦଳ ୪ଟି ମ୍ୟାଚ୍ ଜିତିଛନ୍ତି। ତେଣୁ ଏହି ମ୍ୟାଚରେ ‌ମଧ୍ୟ ଉଭୟ ଦଳ ଟସ୍ ଜିତି ଫିଲ୍‌ଡିଂ ନେବାର ନିଷ୍ପତ୍ତି ନେଇପାରନ୍ତି। ପିଚ୍ ବ୍ୟାଟିଂ ପାଇଁ ସହାୟକ ହେବ।

Leave A Reply