ରାଜ୍ୟରେ ବଢ଼ୁଛି ବାଲ୍ୟବିବାହ ଅଭିଯୋଗ : ତିନି ମାସରେ ରୋକାଯାଇଛି ୫୭୩

ଭୁବନେଶ୍ୱର : ରାଜ୍ୟରେ ଶିଶୁଙ୍କ ସୁରକ୍ଷା ପାଇଁ ଶିଶୁ ଅଧିକାର ଆଇନ ଓ ବାଲ୍ୟବିବାହ ନିଷେଧ ଆଇନ ଥାଇ ମଧ୍ୟ ରାଜ୍ୟରେ ବାଲ୍ୟ ବିବାହର ପରିମାଣ ବୃଦ୍ଧି ପାଇଛି ବୋଲି ଏକ ସର୍ବେକ୍ଷଣରୁ ଜଣାପଡ଼ିଛି। ତେବେ ୧୫ଟି ଜିଲାରେ ୫୭୩ଟି ବାଲ୍ୟବିବାହକୁ ରୋକାଯାଇ ପାରିଛି। ରାଜ୍ୟ ମହିଳା ଓ ଶିଶୁ ବିଭାଗ, ଶିଶୁ ସୁରକ୍ଷା ଆୟୋଗ, ୟୁନିସେଫ ଏବଂ ଆକ୍ସନ ଏଡ୍‌ର ମିଳିତ ସହଯୋଗରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବାଲ୍ୟ ବିବାହ ହେଉଥିବା ନେଇ ସୂଚନା ମିଳଥିଲା। ୨୦୨୧ ଜାନୁଆରୀରେ ୨୨୫, ଫେବୃଆରୀରେ ୧୮୮ ଏବଂ ମାର୍ଚ୍ଚ ମାସରେ ୧୬୦ଟି ବାଲ୍ୟ ବିବାହ ରୋକାଯାଇଛି। ନବରଙ୍ଗପୁରରେ ସର୍ବାଧିକ ୯୭ଟି ବିବାହ ରୋକାୀଯାଇଛି। ସେହିପରି ଗଞ୍ଜାମରେ ୮୩, ମାଲକାନଗିରିରେ ୭୨, କୋରାପୁଟରେ ୩୨, କନ୍ଧମାଳରେ ୩୩, ଗଜପତିରେ ୮, ଦେବଗଡ଼ରେ ୫, ସୁୁବର୍ଣ୍ଣପୁରରେ ୪୩, ନୟାଗଡ଼ରେ ୨୦, ଢେଙ୍କାନାଳରେ ୧୦, ବୌଦ୍ଧରେ ୫୫, ମୟୂରଭଞ୍ଜରେ ୪୧, କେନ୍ଦୁଝରରେ ୨୨, ବାଲେଶ୍ୱରରେ ୧୫ ଏବଂ ରାୟଗଡ଼ାରେ ୪୦ଟି ବାଲ୍ୟ ବିବାହ ରୋକାଯାଇଛି।
ସୂଚନା ଅନୁସାରେ, ରାଜ୍ୟରେ ୨୦୧୭ରେ ୩୨୪ଟି, ୨୦୧୮ରେ ୪୧୧ଟି, ୨୦୧୯ରେ ୬୫୭ ଏବଂ ୨୦୨୦ରେ ୧୧୭୯ଟି ବାଲ୍ୟ ବିବାହ ବନ୍ଦ କରାଯାଇଥିଲା। ଏ ସମ୍ପର୍କରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି, ଏଭଳି କୌଣସି ଖବର ମିଳିବା ମାତ୍ରେ ଜିଲା ଏବଂ ବ୍ଲକସ୍ତରୀୟ ଅଧିକାରୀଙ୍କୁ ଏଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ନିୟମ କରାଯାଇଛି। ଆଗାମୀ କିଛି ବର୍ଷ ମଧ୍ୟରେ ବାଲ୍ୟ ବିବାହ ରୋକିବା ପାଇଁ ଲକ୍ଷ୍ୟ ରଖାଯାଇଛି। କରୋନା ଯୋଗୁଁ ଦକ୍ଷତା ବିକାଶ ଏବଂ ଅଧାରୁ ସ୍କୁଲ ବନ୍ଦ ଯୋଗୁଁ ବାଲ୍ୟବିବାହ ବଢୁଥିବା ଦେଖାଯାଇଛି । ଆକ୍ସନଏଡ୍‌ର ନିର୍ଦେଶକ ଘାସିରାମ ପଣ୍ଡା କହିଛନ୍ତି, ତାଲାବନ୍ଦ ସମୟରେ ବିଭିନ୍ନ ଜିଲାରେ ଆର୍ଥିକ ଅନଟନ ଦେଖାଦେଇଛି। ଯଦ୍ବାରା ପ୍ରବାସୀ ଶ୍ରମିକ ସେମାନଙ୍କ ଝିଅଙ୍କୁ ବିବାହ କରିଦେଉଛନ୍ତି। ବିଦ୍ୟାଳୟ ଓ ମହାବିଦ୍ୟାଳୟ ବନ୍ଦ ଥିବରୁ ପରିବାର ଲୋକେ ପିଲାଙ୍କୁ ବିବାହ କରିବାକୁ ସ୍ଥିର କରୁଛନ୍ତି। ଏଭଳି ପରିସ୍ଥିତିରେ ମହିଳା ଓ ଶିଶୁମାନେ ବିଶେଷ ଭାବେ ପ୍ରଭାବିତ େହଉଛନ୍ତି େବାଲି ଶ୍ରୀ ପଣ୍ଡା କହିଛନ୍ତି।

Comments are closed.