୭ ନଦୀର ଜଳସ୍ତର ବଢୁଛି;୨୪ଘଣ୍ଟାରେ ହାରାହାରି ୫୮ମିମି. ବର୍ଷା

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୫୮.୫ମିମି ବର୍ଷା ରେକର୍ଡ଼ ହୋଇଛି। ନବରଙ୍ଗପୁର, କଟକ, ଯାଜପୁର, କୋରାପୁଟ ଓ କେନ୍ଦ୍ରାପଡ଼ା ଆଦି ୫ଟି ଜିଲାରେ ୧୦୦ମିମି ଏବଂ ଅନ୍ୟ ୧୦ଟି ଜିଲାରେ ୫୦ମିମିରୁ ଅଧିକ ବର୍ଷା ରେକର୍ଡ଼ ହୋଇଛି। ପ୍ରବଳ ବର୍ଷା ଫଳରେ ବାଲେଶ୍ବରର ଜଳକା, ମାଲକାନଗିରିରେ ପଙ୍ଗାମ, କଳହାଣ୍ଡିରେ ହାତୀ, ନବରଙ୍ଗପୁରରେ ଇନ୍ଦ୍ରାବତୀ ଓ ଭାସ୍କେଲ ଏବଂ ଖୋର୍ଦ୍ଧାରେ ରାଜୁ୍ଆ ଓ ଦୟାର ଜଳସ୍ତର ବଢ଼ୁଛି; ହେଲେ ବନ୍ୟାର ପରିସ୍ଥିତି ନାହିଁ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁଦାମ ମାର୍ଣ୍ତି କହିଛନ୍ତି। ବର୍ଷା ଯୋଗୁଁ ଘଟିଥିବା କ୍ଷୟକ୍ଷତି ସମ୍ପର୍କରେ ବିଭିନ୍ନ ଜିଲାକୁ ରିପୋର୍ଟ ମଗାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

କଟକ ଜିଲାର ସାଲେପୁର ବ୍ଲକରେ ସର୍ବାଧିକ ୩୦୦ମିମି ବର୍ଷା ରେକର୍ଡ଼ ହୋଇଥିବାବେଳେ ନିଶ୍ଚିନ୍ତକୋଇଲିରେ ୨୯୭.୫, କଳାହାଣ୍ଡି ଜିଲାର ଥୁଆମୂଳ ରାମପୁରରେ ୨୨୯.୪, ନବରଙ୍ଗପୁର ଜିଲାର ପାପଡ଼ାହାଣ୍ଡି ବ୍ଲକରେ ୨୮୦, ନବରଙ୍ଗପୁରରେ ୨୪୩ ମିମି ବର୍ଷା ହୋଇଛି। ୪୭ଟି ବ୍ଲକରେ ୧୦୦ରୁ ୨୦୦ମିମି ବର୍ଷା ଓ ୮୫ଟି ବ୍ଲକରେ ୫୦ରୁ ୧୦୦ମିମି ମଧ୍ୟରେ ବର୍ଷା ହୋଇଛି।
ମୟୂରଭଞ୍ଜ ଜିଲାରେ ବର୍ଷା ଦ୍ବାରା ଦୁଇଟି ରାସ୍ତା ବିଚ୍ଛିନ୍ନ ହୋଇଥିବାବେଳେ ବିଜାତଳା ଗ୍ରାମର କ୍ଷତିଗ୍ରସ୍ତ କିଛି ପରିବାରକୁ ପଲିଥିନ ଯୋଗାଇଦିଆଯାଇଛି। ଗତକାଲି ସନ୍ଧ୍ୟାରେ ଜମ୍ବିରା ନଦୀର ଗୋଲମୁହାଁ ଘାଟରେ ନଦୀ ପାର ହେବା ସମୟରେ ଗଣ୍ଡଗୁହାଳି ଗ୍ରାମର ଦୁଇ ଜଣ ବ୍ୟକ୍ତି ବୁଦ୍ଧେଶ୍ବର ମାଝି ଓ ମଙ୍ଗଳ ମାରାଣ୍ଡି ନିଖୋଜ ଥିଲେ। ବୁଦ୍ଧେଶ୍ବରଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ବ୍ୟକ୍ତିଙ୍କର ସନ୍ଧାନ କାର୍ଯ୍ୟ ଚାଲିଛି।
ଗୁରୁବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଭିଡ଼ିଓ କନଫ​‌ରେନ୍ସିଂ ଜରିଆରେ ସ୍ବତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ବିଭିନ୍ନ ଜିଲାର ଜିଲାପାଳଙ୍କ ସହିତ ଲଘୁଚାପ ଜନିତ ବର୍ଷା ପରିସ୍ଥିତିର ସମୀକ୍ଷା କରିଥିଲେ। ମିଳିଥିବା ସୂଚନାରୁ ଜଣାପଡ଼ିଛି ଯେ ବାଲେଶ୍ବର ଜିଲାରେ ଜଳକା ପଦୀ ବସ୍ତା ବ୍ଲକର ମଥାନିଠାରେ ବିପଦସଙ୍କେତ ଉପରେ ପ୍ରବାହିତ ହେଉଥିଲେ ବି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ। କେନ୍ଦ୍ରାପଡ଼ା ପୌରାଞ୍ଚଳର ୪ଟି ୱାର୍ଡ଼(୬,୧୨,୧୩ ଓ ୨୧)ର ତଳିଆ ଅଞ୍ଚଳରେ ବଷଁା ଜଳ ଜମି ରହିଛି। ଆଳି ବ୍ଲକର ମାନପୁର-ଗୋବିନ୍ଦପୁର ଗ୍ରାମ୍ୟ ରାସ୍ତା, ସିଂହା ପଞ୍ଚାୟତର ବାରୋଳିଆ ଓ ପେଣ୍ଠପାଳ ପଞ୍ଚାୟତର କୋଳଥିଆ ଗ୍ରାମର ପଞ୍ଚାୟତ ରାସ୍ତା ପାଣିରେ ବୁଡ଼ି ରହିଛି। କେନ୍ଦ୍ରାପଡ଼ାରେ ବର୍ଷା କମିଥିବାରୁ ଜୀବନଯାତ୍ରା ସ୍ବାଭାବିକ ହୋଇଛି।

ମାଲକାନଗିରିରେ ୨୪ଘଣ୍ଟା ଭିତରେ ମଧ୍ୟମ ଧରଣର ବର୍ଷା ଯୋଗୁଁ କାଲିମେଳା ବ୍ଲକର କଙ୍ଗାରୁକୋଣ୍ଡା ଓ କନ୍ୟାଶ୍ରମ ପୋଲ ଉପରେ ବର୍ଷା ପାଣି ପ୍ରବାହିତ ହେଉଛି। ମାଥିଲି ବ୍ଲକରେ ପଙ୍ଗାମ ନଦୀର ଜଳସ୍ତର ବଢ଼ୁଛି। ମୋଟୁ ବ୍ଲକର ମୋଗି ପଏଣ୍ଟରେ ଜଳସ୍ତର ଖସୁଥିଲେ ବି ବର୍ଷା ଲାଗିରହିଛି। ଜିଲାର ଅଧିକାଂଶ ଚାଷଜମି ଜଳମଗ୍ନ ହୋଇଛି। କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକର ବଡ଼ବାସୁଳଠାରେ ହାଲେର ଜୋରରେ ୩ଫୁଟ ଉପରେ ବର୍ଷାଜଳ ପ୍ରବାହିତ ହେଉଛି। ଜୁନାଗଡ଼-ଧର୍ମଗଡ଼ ଜାତୀୟ ରାଜପଥରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେଠରେ ପୁଲିସ ମୁତୟନ ଅଛନ୍ତି।

ନବରଙ୍ଗପୁରରେ ଇନ୍ଦ୍ରାବତୀ ଓ ଭାସ୍କେଲ ନଦୀର ଜଳସ୍ତର ବଢ଼ୁଛି। କନ୍ଧମାଳ ଜିଲାରେ ୩ଟି ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। କୋରାପୁଟରେ କୁନ୍ଦ୍ର ବ୍ଲକର ଘେରିଗୁଡ଼ାଠାରେ ଗତକାଲି ରାସ୍ତା ବିଚ୍ଛିନ୍ନ ହୋଇଥିବାବେଳେ ଆଜି ସେଠାରେ ଗମନାଗମନ ସ୍ବାଭାବିକ ହୋଇଛି। ବୌଦ୍ଧ ବିଜ୍ଞାପିତ ଅଞ୍ଚଳରେ ମହାନଦୀ ମଧ୍ୟରେ ଥିବା ଏକ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେଠାରେ ଯାତାୟାତ ନିମନ୍ତେ ଏସଆରସିଙ୍କ ଯନ୍ତ୍ରଚାଳିତ ଡ଼ଙ୍ଗାର ବ୍ୟବସ୍ଥା ହୋଇଛି। ଖୋର୍ଦ୍ଧା ଜିଲାରେ ରାଜୁଆ ଓ ଦୟା ନଦୀରେ ଜଳସ୍ତର ବଢ଼ିବା ଦ୍ବାରା ଜଟଣୀ ବ୍ଲକର କିଛି ଚାଷ ଜମି ଏବଂ ରାସ୍ତା ଜଳମଗ୍ନ ହୋଇଛି।

Comments are closed.