ସରୁନି କାମ, ବଢୁଛି ଚିନ୍ତା

ଭୁବନେଶ୍ବର: ରବି ଟକିଜ୍‌ରୁ ଟଙ୍କପାଣି ରାସ୍ତା ଏବେ ମରଣଯନ୍ତା ପାଲଟିଛି। ସ୍ବେରେଜ୍‌ ବୋର୍ଡ ପକ୍ଷରୁ ଉକ୍ତ ରାସ୍ତାରେ ବିକାଶମୂଳକ କାମ ଦୀର୍ଘ ଦିନ ହେବ ମନ୍ଥର ଗତିରେ ଚାଲିଥିବାରୁ ସ୍ଥାନୀୟ ବାସିନ୍ଦା ଏବଂ ବ୍ୟବସାୟୀ ଅତିଷ୍ଠ ହୋଇପଡ଼ିଛନ୍ତି। ଏଠାରେ ୪ ମାସରୁ ଊର୍ଦ୍ଧ୍ବ ହେବ ଖୋଳାପୋତା କାମକୁ ନେଇ ଲୋକେ ଯନ୍ତ୍ରଣା ଭୋଗୁଛନ୍ତି। ଦୁଇ ଫାଳିଆ ରାସ୍ତା ଏକ ପାଖିଆ ହୋଇଯାଇଛି। ଗୋଟିଏ ବଡ଼ ଗାଡ଼ି ଗଲେ ଦୀର୍ଘ ସମୟ ଭିଡ଼ ଲାଗୁଛି। ସ୍ବେରେଜ୍‌ ଏବଂ କେବୁଲ କାମ ସରିଥିବା ଅଂଶ ରାସ୍ତାରେ ପିଚୁ ପଡ଼ି ନଥିବାର ଅବସ୍ଥା‌ ‌ଶୋଚନୀୟ ହୋଇଛି। ରାସ୍ତାର ସ୍ଥାନେ ସ୍ଥାନେ ବଡ଼ବଡ଼ ଗାତ ହୋଇଛି। ଟିକିଏ ଅସାବଧାନ ହେଲେ ଗାଡ଼ି ଗାତରେ ପଡୁଛି। ଉକ୍ତ ରାସ୍ତା ଗୋଟିଏ ଲେନ୍‌ ଥିବାବେଳେ ବହୁ କୋଟି ଟଙ୍କାରେ ଉକ୍ତ ରାସ୍ତା କିଛି ବର୍ଷ ତଳେ ଦୁଇ ଲେନ୍‌ ବିଶିଷ୍ଟ କରାଯାଇଥିଲା। ମଝିରେ ଷ୍ଟ୍ରିଟ୍‌ ଲାଇଟ୍‌ ଲାଗିବା ସହିତ ପିଚୁ ପଡ଼ି ଚକାଚକ୍‌ କରାଯାଇଥିଲା। ଏବେ ଭଲ ରାସ୍ତାକୁ ପୁଣି ଖୋଳାଯାଇ ସ୍ବେରେଜ୍‌ କାମ ଚାଲିଛି। ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବରୁ ଅର୍ଥ ବରବାଦ ହେଉଛି ବୋଲି ସ୍ଥାନୀୟ ଅଞ୍ଚଳରେ ମତପ୍ରକାଶ ପାଇଛି।

Comments are closed.