ଅସଂପୂର୍ଣ୍ଣ ଡିଭାଇଡର ଯୋଗୁଁ ନିୟମିତ ଘଟୁଛି ଦୁର୍ଘଟଣା

ବୌଦ୍ଧ : ବୌଦ୍ଧ ସହର ଏନଏସି ଛକଠାରୁ ଜାମୁଛକ ଯାଏଁ ଜାତୀୟ ରାଜପଥ ନମ୍ବର ୫୭ର ରାସ୍ତାକୁ ଦୁଇ ପାଖିଆ ରାସ୍ତା କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। କାମ ମଧ୍ୟ ଉଣା ଅଧିକେ ସରିଯାଇଛି ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗତ ଜାନୁଆରୀ ୨ ତାରିଖରେ ଜିଲ୍ଲା ପ୍ରତିଷ୍ଠା ଦିବସରେ ଉଦଘାଟିତ ହୋଇସାରିଛି। ଜାମୁ ଛକ ନିକଟରୁ ରାଜନପାଲି ଛକ ପାଖ ଯାଏଁ ରାସ୍ତା ମଝିରେ ଡିଭାଇଡର ଦିଆଯାଇଛି ଓ ରାଜନପାଲି ଛକ ପାଖରୁ ଏନଏସି ଛକ ପର୍ଯ୍ୟନ୍ତ ଖୋଲା ରଖାଯାଇଛି। ଜାତୀୟ ରାଜପଥ ନମ୍ବର ୫୭ରେ ଯାଉଥିବା ଗାଡି ଗୁଡିକ ଅଧା ରାସ୍ତାରେ ଡିଭାଇଡର ଦିଆଯାଇଥିବା ଯୋଗୁଁ ଦୁର୍ଘଟଣାର ଶିକାର ହେଉଛନ୍ତି। ଇତି ମଧ୍ୟରେ ଜଣେ ବ୍ୟକ୍ତିଙ୍କ ଦୁର୍ଘଟଣାରେ ଜୀବନ ମଧ୍ୟ ଚାଲିଯାଇଥିବା ଅଭିଯୋଗ ହୋଇଛି। ଶେଷ ମୁହୂର୍ତ୍ତରେ ରାସ୍ତାର ଡିଜାଇନ ପରିବର୍ତ୍ତନ କରି ଡିଭାଇଡର ଦିଆନଯିବା ଯୋଗୁଁ ଉଦଘାଟନର ମାସକ ମଧ୍ୟରେ ଛୋଟ ବଡ ୧୦ରୁ ଅଧିକ ଦୁର୍ଘଟଣା ଘଟି ସାରିଥିବା ଦେଖିବାକୁ ମିଳିଛି। ଗତକାଲି ସନ୍ଧ୍ୟାରେ ବୌଦ୍ଧଠାରୁ ବୁଟୁପାଲି ଆଡକୁ ଆସୁଥିବା ଏକ ଟ୍ରକ ଡିଭାଇଡର ଉପରେ ପ୍ରାୟ ୫୦ ଫୁଟ୍‍ ଚଢି ଯାଇଥିଲା। ଡିଭାଇଡର କାର୍ଯ୍ୟ ସଂପୂର୍ଣ୍ଣ କରାନଯିବା ହେତୁ ଜନସାଧାରଣରେ ଦିନକୁ ଦିନ ଅସନ୍ତୋଷ ପ୍ରକାଶ ପାଉଛି। ପ୍ରଶାସନ ତୁରନ୍ତ ଏ କାର୍ଯ୍ୟ ସଂପୂର୍ଣ୍ଣ କରାଇବାକୁ ଜନସାଧାରଣରେ ଦାବି ହେଉଛି।

Comments are closed.