ମାର୍ଚ୍ଚ ୧୫କୁ ଆୟକର ଦାଖଲ ଅବଧି ବୃଦ୍ଧି

ଭୁବନେଶ୍ବର: କେନ୍ଦ୍ର ସରକାର ଆୟକର ଦାଖଲ (ଆଇଟିଆର) ଅବଧିକୁ ମାର୍ଚ୍ଚ ୧୫, ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। କରୋନା ଯୋଗୁଁ ଟିକସଦାତା ଆୟକର ଦାଖଲ ଫାଇଲ କରିବା ନେଇ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଟିକସଦାତାଙ୍କ ହିତକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଅବଧି ବୃଦ୍ଧି କରାଯାଇଛି। ଏହାକୁ ନେଇ ଟିକସଦାତାଙ୍କ ମଧ୍ୟରେ ଆଶ୍ୱସ୍ତି ଆସିଛି। ତେବେ ଏ ସଂକ୍ରାନ୍ତରେ ଆଜି ଅର୍ଥ ମନ୍ତ୍ରାଳୟର କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ପରିଷଦ (ସିବିଡିଟି)ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହିତ କେନ୍ଦ୍ର ସରକାର ଅଡିଟ ରିପୋର୍ଟ ଦାଖଲ ଅବଧିକୁ ମଧ୍ୟ ଫେବୃଆରୀ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
ଆର୍ଥିକ ବର୍ଷ ୨୦୨୦-୨୧ର ଆଇଟିଆର ଦାଖଲ ଶେଷ ତାରିଖ ଜୁଲାଇ ୩୧, ୨୦୨୧ ରହିଥିଲା। କରୋନା ସଂକ୍ରମଣକୁ ନେଇ କେନ୍ଦ୍ର ସରକାର ପର୍ଯ୍ୟାୟକ୍ରମେ ନଭେମ୍ବର ୩୦ ପର୍ଯ୍ୟନ୍ତ ଅବଧି ବୃଦ୍ଧି କରିଥିଲେ। ଏହାପରେ ଡିସେମ୍ବର ୩୧କୁ ଅବଧି ବୃଦ୍ଧି କରାଯାଇଥିଲା।

ସେହିପରି ଅଡିଟ ରିପୋର୍ଟ ଦାଖଲ ଅବଧି ସେପ୍ଟେମ୍ବର ୩୦,୨୦୨୧ ରହିଥିଲା। ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ଅକ୍ଟୋବର ୩୧ ପର୍ଯ୍ୟନ୍ତ ଅବଧିକୁ ବୃଦ୍ଧି କରିଥିଲେ। ଗତବର୍ଷ ଆର୍ଥିକ ବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷରେ ଦୁଇଗୁଣା ଅଧିକ ଟିକସଦାତା ଆୟକର ଦାଖଲ କରିଛନ୍ତି। ଡିସେମ୍ବର ୩୧ ସୁଦ୍ଧା ମୋଟ ୫.୬୪ କୋଟି ଆଇଟିଆର ଦାଖଲ ହୋଇଥିବା ଜଣାପଡିଛି। ତେବେ ନଭେମ୍ବରରେ କେନ୍ଦ୍ର ସରକାର ଟିକସଦାତାଙ୍କୁ ଆଶ୍ୱସ୍ତି ଦେବାକୁ ଯାଇ ଆଇଟିଆର ଦାଖଲ ଅବଧିକୁ ଡିସେମ୍ବର ୩୧ ଯାଏଁ ବୃଦ୍ଧି କରିଥିଲେ। ପରେ କିଛି ଟିକସଦାତା ଫାଇଲ ଦାଖଲ କଲାବେଳେ ପୋର୍ଟାଲରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେଣୁ ଅବଧି ବୃଦ୍ଧି କରିବାକୁ କିଛି ଟିକସଦାତା ଦାବି କରିଥିଲେ। କେନ୍ଦ୍ର ସରକାର ଟିକସଦାତାଙ୍କ ଦାବିକୁ ବିଚାର କରି ଆଜି ଅବଧି ବୃଦ୍ଧି କରିଛନ୍ତି। ସୂଚନାଯୋଗ୍ୟ ଆଇଟିଆର ଦାଖଲର ଶେଷ ଅବଧି ଡିସେମ୍ବର ୩୧ ଥିବାବେଳେ ଏହାର ଦୁଇ ଦିନ ପୂର୍ବରୁ ୮୬ ଲକ୍ଷ ଟିକସଦାତା ସଞ୍ଚାର ମାଧ୍ୟମରେ ଆଇଟିଆର ଫାଇଲ ଦାଖଲ କରିଥିଲେ।

Comments are closed.