ଭୋଜନରେ ସାମିଲ କରନ୍ତୁ ଏସବୁ ମଞ୍ଜି

ଗାଁଗହଳିରେ ମା, ମାଉସୀମାନେ ବିଭିନ୍ନ ପରିବା ଓ ଫଳରୁ ମଞ୍ଜି ସଂଗ୍ରହ କରି ସେସବୁକୁ ଖରାରେ ଶୁଖାଇ ତରକାରିରେ ବ୍ୟବହାର କରିଥାନ୍ତି। କଖାରୁ ମଞ୍ଜି ଛେଚା, ପଣସ ମଞ୍ଜି ଚକଟା ଇତ୍ୟାଦି ଗ୍ରାମୀଣ ଅଞ୍ଚଳର ଏକ ପ୍ରକାରର ବ୍ୟଞ୍ଜନ ଭାବେ ଜଣାଯାଏ। ସୁଆଦିଆ ଲାଗୁଥିବା ଏସବୁ ମଞ୍ଜି ଛେଚା ପ୍ରୋଟିନ୍ ଓ ପୋଷକତତ୍ତ୍ବ ଭରପୂର। ଆଜିକାଲି ଏସବୁ ମଞ୍ଜି ଅନ୍-ଲାଇନ୍ ସାଇଟ୍ ଓ ଫୁଡ୍‌ ଷ୍ଟୋର୍‌ରେ ଉପଲବ୍ଧ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ପିଲାଠାରୁ ବୟସ୍କ ସମସ୍ତେ ଏସବୁ ମଞ୍ଜି ନିୟମିତ ଭାବେ ଖାଇବା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ଭଲ।

– ଜଳଖିଆ, ହେଉ କିମ୍ବା ଦ୍ବିପହର ଅବା ରାତ୍ରି ଭୋଜନ, ଯେ କୌଣସିଥିରେ ଏସବୁ ମଞ୍ଜିର ଉପଯୋଗ କରିପାରିବେ। ଫଳରସରେ ମଞ୍ଜିକୁ ମିଶାଇ ହେବ, ନଚେତ୍ କୌଣସି ତରକାରିରେ ଅଳ୍ପ ପରିମାଣରେ ନିୟମିତ ବ୍ୟବହାର କରିବା ସ୍ବାସ୍ଥ୍ୟ ପାଇଁ ଭଲ।
– ମ୍ୟାଗ୍ନେସିୟମ୍, ଆଣ୍ଟିଅକ୍ସିଡାଣ୍ଟ, ଫାଇବର୍ ଭରପୂର କଖାରୁ ମଞ୍ଜି ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ ପାଚନ ତନ୍ତ୍ର ଭଲ କରୁଥିବାର ଅନୁଧ୍ୟାନରୁ ଜଣାପଡ଼ିଛି। ଏସବୁ ମଞ୍ଜିକୁ ଗୁଣ୍ଡ କରି ମଧ୍ୟ ଫ୍ରିଜ୍‌ରେ ରଖିପାରିବେ।
– ସୂର୍ଯ୍ୟମୁଖୀ ମଞ୍ଜି ମଧ୍ୟ ପୋଷକ ତତ୍ତ୍ବ ଭରପୂର। କପର, ମ୍ୟାଗ୍ନେସିୟମ୍ ଭରପୂର ଏଇ ମଞ୍ଜି ଖାଇଲେ ହାଡ଼ ଶକ୍ତ ହେବା ସହ ସ୍ମୃତି ଶକ୍ତି ମଧ୍ୟ ବଢ଼ିଥାଏ। ଡିମେନ୍‌ସିୟା, ଆଲଜାଇମର୍ସରୁ ରକ୍ଷା ପାଇବାକୁ ଚାହୁଁଥିଲେ, ସପ୍ତାହରେ ୩-୪ଥର ବିଭିନ୍ନ ପ୍ରକାର ଫଳ ରସ ଓ ଖାଦ୍ୟରେ ଏହି ମଞ୍ଜି ଉପଯୋଗ କରିବା ଉଚିତ।
– ଏସବୁ ମଞ୍ଜିକୁ ଗୁଣ୍ଡ କରି ଅଳ୍ପ ପରିମାଣର ଅଟା ଚକଟିବାବେଳେ ବ୍ୟବହାର କରିପାରିବେ। ଏଥିରୁ ପ୍ରସ୍ତୁତ ଗରମାଗରମ ରୁଟି ଆମ ସ୍ବାସ୍ଥ୍ୟ ପାଇଁ ହିତକାରୀ।

Comments are closed.