ବରଗଡରେ ଆଜି ୧୦୦ ଭେଣ୍ଟିଲେଟର ସହ ଆଇସିୟୁ ବେଡ୍‍ର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

● ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ
● ଇଣ୍ଡିଆନ ଅଏଲର ସିଏସଆର ପାଣ୍ଠିରୁ ଖର୍ଚ୍ଚ ହୋଇଛି ୧୧ କୋଟି ୫୦ ଲକ୍ଷ ଟଙ୍କା
● ବରଗଡର ଦାସରୀ ବୀର ରାଜୁ ଏବଂ ଗୁନମ ରାମଚନ୍ଦ୍ର ରାଓ ମେମୋରିଆଲ ଟ୍ରଷ୍ଟର ମିଳିତ ସହଯୋଗରେ ଏହି ବ୍ୟବସ୍ଥା ହୋଇଛି
● ପଶ୍ଚିମ ଓଡିଶାରେ କୋଭିଡ୍‍-୧୯ ସଂକ୍ରମିତଙ୍କୁ ଚିକିତ୍ସା ଯୋଗାଇବା ଲକ୍ଷ୍ୟ

ଭୁବନେଶ୍ୱର : ପଶ୍ଚିମ ଓଡିଶାରେ କୋଭିଡ୍‍-୧୯ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଶୁକ୍ରବାର କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ୍‍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବରଗଡ ଜିଲ୍ଲା ବିକାଶ ମଲ୍‍ଟି ସ୍ପେଶାଲିଟି ହସ୍ପିଟାଲ (ଭିଏମ୍‍ଏସ୍‍ଏଚ)ରେ ୧୦୦ଟି ଭେଣ୍ଟିଲେଟର ସହ ଆଇସିୟୁ ବେଡ୍‍ର ଶୁଭାରମ୍ଭ କରିବେ।
ଆଜି ସମଗ୍ର ଦେଶ କୋଭିଡ -୧୯ର ଦ୍ୱିତୀୟ ଲହରୀରେ ପ୍ରଭାବିତ ହୋଇଥିବା ବେଳେ ପଶ୍ଚିମ ଓଡିଶା ମଧ୍ୟ ଏଥିରୁ ବାଦ୍‍ ପଡିନାହିଁ। ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର କୋଭିଡ୍‍ ପରିସ୍ଥିତିର ନିୟନ୍ତ୍ରଣ ପାଇଁ ସମଗ୍ର ଦେଶରେ ସ୍ୱାସ୍ଥ୍ୟ ଭିତିଭୂମି ବିକାଶ ପାଇଁ ଆଗେଇ ଆସିଛନ୍ତି।

ଏପରି ସଂକଟ ସମୟରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଇଣ୍ଡିଆନ ଅଏଲ ନିଜ କର୍ପୋରେଟ୍‍ ସାମାଜିକ ଦାୟିତ୍ୱ (ସିଏସଆର) ପାଣ୍ଠିରୁ ୧୧ କୋଟି ୫୦ ଲକ୍ଷ ଅନୁଦାନ ରାଶି ଏବଂ ବରଗଡର ଦାସରୀ ବୀର ରାଜୁ ଏବଂ ଗୁନମ ରାମଚନ୍ଦ୍ର ରାଓ ମେମୋରିଆଲ ଟ୍ରଷ୍ଟ ସହାୟତାରେ ଏଠାରେ ୭୦ଟି ଆଇସିୟୁ ଭେଂଟିଲେଟର, ୫୦ଟି ମନିଟର, ୨୦୦ ନମ୍ବର ସିରିଜ ପମ୍ପ ଏବଂ ଆନୁଷାଙ୍ଗିକ ଉପକରଣର ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଏହି ହସ୍ପିଟାଲରେ ୩୦ଟି ଭେଂଟିଲେଟର ସଂଯୁକ୍ତ ଆଇସିୟୁ ବେଡ୍‍ ରହିଥିବା ବେଳେ ଏହାକୁ ମଧ୍ୟ ଅପଗ୍ରେଡ୍‍ କରାଯାଇଛି।  ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ କରକମଳରେ ୧୦୦ଟି ଭେଂଟିଲେଟର ସହ ଆଇସିୟୁ ବେଡ୍‍ର ଶୁଭାରମ୍ଭ ହେବ। ଏହି ହସ୍ପିଟାଲ ପଶ୍ଚିମ ଓଡିଶାରେ କୋଭିଡ୍‍-୧୯ ସଂକ୍ରମିତଙ୍କୁ ଚିକିତ୍ସା ଯୋଗାଇବାରେ ବଡ ଭୂମିକା ଗ୍ରହଣ କରିବ।
କରୋନାର ପ୍ରଥମ ପର୍ଯ୍ୟାୟରେ ବିକାଶ ମଲ୍ଟିସ୍ପେସାଲିଟି ହସ୍ପିଟାଲ ଓଡିଶା ସରକାର ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଣାଳୟର ଇଣ୍ଡିଆନ ଅଏଲ ସିଏସଆର୍‍ ପାଣ୍ଠିରୁ ୫ କୋଟି ୮ ଲକ୍ଷ ଆର୍ଥକ ଅନୁଦାନରେ ୧୫ ଦିନ ମଧ୍ୟରେ ୮ଟି ଆଇସିୟୁ ଶଯ୍ୟା ସମେତ ୧୦୦ଟି ଶଯ୍ୟା ବିଶିଷ୍ଟ କୋଭିଡ୍‍ ହସ୍ପିଟାଲକୁ କାର୍ଯ୍ୟକ୍ଷମ କରିପାରିଥିଲା। ଏହି ହସ୍ପିଟାଲ ୮ ମାସ ପର୍ଯ୍ୟନ୍ତ ସଫଳତାର ସହିତ ପରିଚାଳନା କରି ଲକ୍ଷାଧିକ ଲୋକଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଥିଲା।
ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ବରଗଡ ଲୋକସଭା ସାଂସଦ ସୁରେଶ ପୂଜାରୀ, ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବରଗଡ ବିଧାୟକ ଦେବାସ ଆଚାର୍ଯ୍ୟ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବିଜେପୁର ବିଧାୟିକା ରିତା ସାହୁ, ପଦ୍ମପୁର ବିଧାୟକ ବିଜୟ ସିଂହ ବରିଆ, ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

 

Comments are closed.