ଗ୍ରାମ ବିକାଶର ବାସ୍ତବ ଚିତ୍ର : ଗାଁକୁ ଅପହଞ୍ଚ ସରକାରୀ ଯୋଜନା !

ଠାକୁରମୁଣ୍ଡା :  ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକର ଅନେକ ଗାଁ ରହିଛି, ଯେଉଁଠି ଏବେବି ସରକାରଙ୍କ ବହୁମୁଖୀ ବିକାଶ ଯୋଜନା ପହଞ୍ଚି ପାରୁନି। ସ୍ବାଧୀନତାର  ୭୪ ବର୍ଷ ପରେ ବି ନାଁ ଅଛି ରାସ୍ତା ନାଁ ଅଛି ବିଶୁଦ୍ଧ ପାନୀୟ ଜଳ। ଏଭଳି ଏକ ଦୁର୍ଗମ ଅଞ୍ଚଳ ହେଉଛି କରଡାପାଳ ଗ୍ରାମର ପାଲବଣୀ ସାହି। ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଶାଳଚୁଆ ପଞ୍ଚାୟତରେ ରହିଛି ଏହି ଆଦିବାସୀ ଗାଁ। ପାଲବଣୀ ସାହିରେ ଅଛନ୍ତି ୪୦ଟି ଆଦିବାସୀ ପରିବାର, ୨୦୦ରୁ ଉର୍ଦ୍ଧ୍ବ ଲୋକ ସଂଖ୍ୟା। ସାହିର ଲୋକଙ୍କୁ ସରକାରୀ ସାମଗ୍ରୀ ଟଙ୍କିକିଆ ଚାଉଳ, କିରୋସିନ, ବୃଦ୍ଧ-ବୃଦ୍ଧାଙ୍କୁ  ବାର୍ଦ୍ଧକ୍ୟ ଭତ୍ତା ଆଦି ପାଇଁ ୬-୭ କି.ମି ଚାଲି ଯିବାକୁ ପଡିଥାଏ।

ଗରିବ ଆଦିବାସୀଙ୍କ ନାଁରେ ସରକାର  ଅନେକ ଯୋଜନା କରିଛନ୍ତି ବୋଲି ରାଜ୍ୟ ଓ କେନ୍ଦ୍ର ସରକାର ଗାଁ ଠୁ ସହର ପର୍ଯ୍ୟନ୍ତ ବିକାଶର ଡିଣ୍ଡିମ୍ ପିଟୁଛନ୍ତି। ସମସ୍ୟା ସମ୍ପର୍କରେ ପ୍ରଶାସନର ଅଧିକାରୀ ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ବାରମ୍ବାର ଅଭିଯୋଗ କରି ଥକି ପଡିଲେଣି ବୋଲି ଗଣମାଧ୍ୟମକୁ କହିଛନ୍ତି ପାଲବଣୀ ସାହିର ଗ୍ରାମବାସୀ।
ଏଠାରେ ୪୦ ବର୍ଷରୁ ଅଧିକ ହେଲାଣି ବସବାସ କରି ଆସୁଛନ୍ତି। ଗ୍ରାମରେ ସରକାରୀ ଯୋଜନା କହିଲେ ଗୋଟିଏ ମିନି ଅଙ୍ଗନୱାଡି। ସାହି ଠାରୁ ୨ କିମି ଦୂର ଜଙ୍ଗଲ ପାହାଡ ପରେ ପ୍ରାଥମିକ ବିଦ୍ୟାଳୟ। ଦୁର୍ଗମ ପାଦ ଚଲା ରାସ୍ତା ଯୋଗୁଁ ଅନେକ ଛାତ୍ର-ଛାତ୍ରୀଙ୍କ ପାଠପଢା ପ୍ରାଥମିକ ଶିକ୍ଷା ପରେ ପାଠରେ ଡୋରି ବାନ୍ଧା ହୋଇଯାଏ। ତଥାପି  କିଛି ପିଲା ଜୀବନକୁ ବାଜିଲଗାଇ ପାଠ ପଢିବାକୁ ଯାଆନ୍ତି।

ଗାଁ କୁ ୧୦୮, ୧୦୨ ଆମ୍ବୁଲାନ୍ସ କି ଦମକଳ ଗାଡି ଯିବାର ପ୍ରଶ୍ନ ଉଠୁନି। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଲେ  କିମ୍ବା  ଗର୍ଭବତୀଙ୍କ ଗର୍ଭ ଯନ୍ତଣା ହେଲେ ୩ କି.ମି ଖଟିଆରେ ବୁହା ହୋଇ ଥାନ୍ତି ରୋଗୀ କରଡାପାଳ ଗାଁ ମୁଣ୍ଡକୁ। ଗ୍ରାମର ସମସ୍ତ ପରିବାର ଦିନ ମଜୁରିଆ। କେହି କେହି ଅନ୍ୟର କାମ ଧନ୍ଦା କରି ଚଳୁଥିବା ବେଳେ ଅନେକ ଶାଳ ପତ୍ର ସଂଗ୍ରହ କରି ଜୀବନ ଜୀବିକା ନିର୍ବାହ କରନ୍ତି। ବହୁ ବର୍ଷ ଧରି ଜଙ୍ଗଲରେ ବସବାସ କରୁଥିଲେ ମଧ୍ୟ ଅନେକଙ୍କୁ ଜଙ୍ଗଲ ଜମି ପଟା ମିଳିପାରିନାହିଁ। ପାନୀୟ ଜଳ କଥା ନକହିଲେ ଭଲ। ଟୋପାଏ ବିଶୁଦ୍ଧ ପାନୀୟ ଜଳ ପାଇବା ସ୍ବପ୍ନ ପାଲଟିଛି। ସମସ୍ତ ପରିବାର ଚୁଆପାଣି ଉପରେ ଭରସା କରନ୍ତି। ସମସ୍ତ କାର୍ଯ୍ୟ ପାଇଁ ବର୍ଷ ତମାମ ନିର୍ଭର କରନ୍ତି ଚୁଆଁ ଉପରେ।  ଗାଁ କୁ କେବେ କୌଣସି ଦିନ ସରକାରୀ ବାବୁଙ୍କ ପାଦ ପଡେନି ବାରମ୍ବାର ପ୍ରତ୍ୟେକ ସଭାରେ ପାଲବଣୀ ସାହିର ସମସ୍ୟା ଉପସ୍ଥାପନ କରିଥାନ୍ତି ବୋଲି ଗ୍ରାମର ଓ୍ବାଡ ମେମ୍ବର ସିଂରାଇ ହୋ ପ୍ରକାଶ କରିଥିଲେ। ଶାଳଚୁଆ ସରପଞ୍ଚ ବିପିନ୍ ବିହାରୀ ବିଶ୍ବାଳଙ୍କୁ ପଚାରିବାରୁ ସେ କହିଲେ, ରାସ୍ତା ପାଇଁ ସେ ସାହିକୁ ପଞ୍ଚାୟତ ତରଫରୁ ୧୦ ଲକ୍ଷ ଟଙ୍କା ଦିଆଯାଇଥିଲା। କିନ୍ତୁ ବନବିଭାଗ ରାସ୍ତା କାମ କରେଇ ଦେଲେ ନାହିଁ । ଏବିଷୟରେ ସ୍ଥାନୀୟ ବିଡ଼ିଓଙ୍କୁ କହିବା ସହିତ ଅପରିସ୍ଥ ଅଧିକାରୀଙ୍କୁ ଜଣାଇଛି। ବନବିଭାଗ ସହିତ ଆଲୋଚନା ପରେ କାମ ହେବ। ତେବେ ଏ ଅଞ୍ଚଳ ପାଇଁ ଭଗବାନ ହିଁ ଭରସା। କେବେ ବ୍ୟବସ୍ଥା ସୁଧୁରିବ ଓ ଅଞ୍ଚଳର ଦୁଃଖ ଦୂର ହେବ ସେହି ଆଶାରେ ବଞ୍ଚିଛନ୍ତି ଏହି ପାଲବଣୀ ସାହି ବାସୀ।

Comments are closed.