ପଶ୍ଚିମବଙ୍ଗରେ ୫ମ ପର୍ଯ୍ୟାୟ ଭୋଟଗ୍ରହଣ ଶେଷ, ୭୮.୩୬% ମତଦାନ

ପଶ୍ଚିମବଙ୍ଗରେ ଆଜି ପଞ୍ଚମ ପର୍ଯ୍ୟାୟ ଭୋଟଗ୍ରହଣ ସୁରୁଖୁରୁରେ ଶେଷ ହୋଇଛି। ପଶ୍ଚିମବଙ୍ଗରେ ୭୮.୩୬% ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି। ୬ଟି ଜିଲ୍ଲାର ୪୫ଟି ବିଧାନସଭା ଆସନ ପାଇଁ ୩୯ଜଣ ମହିଳାଙ୍କ ସମେତ ୩୧୯ ଜଣ ପ୍ରାର୍ଥୀ ଏହି ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦିତା କରିଛନ୍ତି। ବିଜେପି ୪୫ଟି ଯାକ ଆସନରେ ପ୍ରାର୍ଥୀ ଛିଡା କରିଥିଲା ବେଳେ ଶାସକ ତୃଣମୂଳ କଂଗ୍ରେସ ୪୨ଟି ଆସନରେ ପ୍ରାର୍ଥୀ ଦେଇଛି। କଂଗ୍ରେସ, ବାମପନ୍ଥୀ ଦଳ ଓ ସେମାନଙ୍କର ଅଂଶୀଦାର ଦଳ ଇଣ୍ଡିଆନ ସେକୁଲାର ଫ୍ରଣ୍ଟ ସଂଯୁକ୍ତ ମୋର୍ଚ୍ଚା ଗଠନ କରି ନିର୍ବାଚନ ଲଢୁଛନ୍ତି।

ବିଏସ୍‍ପି ୩୨ଟି ଆସନରେ ପ୍ରାର୍ଥୀ ଛିଡା କରିଥିଲାବେଳେ ସିପିଆଇଏମ୍‍ ୨୫ଟି, କଂଗ୍ରେସ ୧୧ଟି, ଏଆଇଏଫ୍‍ବି ୨ଟି ଏବଂ ଆରଏସ୍‍ପି. ଏନ୍‍ପିପି ଓ ସିପିଆଇ ଜଣେ ଲେଖାଏଁ ପ୍ରାର୍ଥୀ ଛିଡା କରାଇଛନ୍ତି। ୮୩ଜଣ ନିର୍ଦ୍ଦଳୀୟ ପ୍ରାର୍ଥୀ ମଧ୍ୟ ଏହି ପର୍ଯ୍ୟାୟରେ ନିର୍ବାଚନ ଲଢିଛନ୍ତି। କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ୧୫୦୦ ପରିବର୍ତ୍ତେ ୧ ହଜାର ଭୋଟଦାତାଙ୍କୁ ଗୋଟିଏ ଭୋଟ ଗ୍ରହଣ କେନ୍ଦ୍ରରେ ମତଦାନ ପାଇଁ ଅନୁମତି ପ୍ରଦାନ କରାଯାଇଥିଲା। କୋଭିଡ ସଂକ୍ରମିତ ବା ସନ୍ଦିଗ୍ଧ ସଂକ୍ରମିତ ବ୍ୟକ୍ତିମାନେ ଡାକଯୋଗେ ଭୋଟ ଦେଇଛନ୍ତି।

ଆନ୍ଧ୍ରପ୍ରଦେଶର ତିରୁପତି ଓ କର୍ଣ୍ଣାଟକର ବେଲଗାଁଓ ଲୋକସଭା ଆସନ ସମେତ ୯ଟି ରାଜ୍ୟର ୧୨ଟି ବିଧାନସଭା ଆସନରେ ମଧ୍ୟ ଆଜି ଉପନିର୍ବାଚନ ଅନୁଷ୍ଠିତ ହୋଇଛି। ଓଡ଼ିଶାର ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର ବିୟୋଗ ଯୋଗୁଁ ସେଠାରେ ଆଜି ଉପ ନିର୍ବାଚନ ହୋଇପାରି ନାହିିଁ। ନାଗାଲାଣ୍ଡର ଏକମାତ୍ର ନୋକ୍‍ସେନ୍‍ ବିଧାନସଭା ଆସନରୁ ଏଚ୍‍. ଚୁବା ଚାଙ୍ଗ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। ତିରୁପତି ଲୋକସଭା ଆସନ ପାଇଁ ମଧ୍ୟ ଆଜି ନିର୍ବାଚନ ଅନୁଷ୍ଠିତ ହୋଇଛି।

Comments are closed.