ୟୁପିରେ କରୋନାରେ ଗଲାଣି ଦୁଇ ମନ୍ତ୍ରୀଙ୍କ ଜୀବନ

ପୂର୍ବତନ କ୍ରିକେଟର ତଥା ଉତ୍ତରପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ଚେତନ ଚୌହାନଙ୍କ ରବିବାର କରୋନା ସଂକ୍ରମଣରେ ଦେହାନ୍ତ ହୋଇଛି। କରୋନା ସଂକ୍ରମିତ ହେବା ପରେ ସେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତ ମାସରେ ସେ ସଂକ୍ରମିତ ହୋଇଥିଲେ। ଉତ୍ତରପ୍ରଦେଶ କ୍ୟାବିନେଟରେ ଚୌହାନଙ୍କ ଅଧୀନରେ ସୈନିକ କଲ୍ୟାଣ, ଗୃହରକ୍ଷୀ, ପିଆରଡ଼ି ଏବଂ ନାଗରିକ ସୁରକ୍ଷା ମନ୍ତ୍ରଣାଳୟ ରହିଥିଲା। ସେ ମଧ୍ୟ ଦୁଇଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ।

ବର୍ତ୍ତମାନ ପର୍ଯ୍ୟନ୍ତ ୟୁପିର ଦୁଇ ମନ୍ତ୍ରୀ କରୋନା ସଂକ୍ରମଣ ଯୋଗୁ ପ୍ରାଣ ହରାଇଛନ୍ତି। ଅଗଷ୍ଟ ୨ରେ ମନ୍ତ୍ରୀ କମଳା ରାଣୀ ବରୁଣଙ୍କ ମଧ୍ୟ କରୋନା କାରଣରୁ ଦେହାନ୍ତ ହୋଇଛି। କରୋନା ପଜିଟିଭ ଚିହ୍ନଟ ହେବା ପରେ ଚେତନ ଚୌହାନଙ୍କ କ୍ଷେତ୍ରରେ କିଡନୀ ଏବଂ ରକ୍ତଚାପ ଜନିତ ସମସ୍ୟା ଦେଖା ଦେଇଥିଲା। ଏହା ପରେ ତାଙ୍କୁ ମେଦାନ୍ତ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କ କରୋନା ରିପୋର୍ଟ ଦୁଇଥର ନେଗେଟିଭ ଆସିବା ପରେ ତୃତୀୟ ଥର ପଜିଟିଭ ଆସିଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟ୍ୱିଟ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚେତନଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ଟ୍ୱିଟ କରିଛନ୍ତି,’ଚେତନ ଚୌହାନ ଜୀ ନିଜକୁ ଜଣେ ପ୍ରତିଭାବାନ କ୍ରିକେଟର ଓ ପରେ ଜଣେ ପରିଶ୍ରମୀ ରାଜନୈତିକ ନେତା ଭାବରେ ପ୍ରତିଷ୍ଠିତ କରାଇପାରିଥିଲେ। ଉତ୍ତରପ୍ରଦେଶରେ ଜନସେବା ଏବଂ ବିଜେପିକୁ ମଜବୁତ କରିବାରେ ତାଙ୍କର ଅବଦାନ ପ୍ରଭାବଶାଳୀ ଥିଲା। ତାଙ୍କ ଦେହାନ୍ତରେ ମୁଁ ଦୁଃଖିତ। ତାଙ୍କ ପରିବାର ଏବଂ ସମର୍ଥକଙ୍କ ପ୍ରତି ମୋର ସମବେଦନା।

ୟୁପି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଟ୍ୱିଟ
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ଟ୍ୱିଟ କରିଛନ୍ତି, ‘କ୍ୟାବିନେଟରେ ମୋର ସହକର୍ମୀ ତଥା ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଚେତନ ଚୌହାନଙ୍କ ଅକାଳ ବିୟୋଗ ଖବର ମିଳିଲା। ପ୍ରଭୁ ଶ୍ରୀରାମ, ଶ୍ରୀ ଚୌହାନଜିଙ୍କ ପରିବାରକୁ ଏହି ଅପାର ଦୁଃଖ ସହିବାକୁ ଏବଂ ଦିବଂଗତ ଆତ୍ମାକୁ ଶ୍ରୀ ଚରଣରେ ସ୍ଥାନ ଦିଅନ୍ତୁ।

ଗୃହମନ୍ତ୍ରୀ ଅମିତ ଶାହାଙ୍କ ଟ୍ୱିଟ
ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର ଶ୍ରୀ ଚେତନ ଚୌହାନ ତାଙ୍କ ଜୀବନରେ ପ୍ରଥମେ ଜଣେ କ୍ରୀଡ଼ାବିତ୍ ଏବଂ ପରେ ଜଣ ସେବକ ଭାବରେ ସେବା କରିଥିଲେ। ତାଙ୍କ ମୃତ୍ୟୁ ଭାରତୀୟ ରାଜନୀତି ଏବଂ କ୍ରିକେଟ୍ ପାଇଁ ଏକ ବଡ କ୍ଷତି। ମୁଁ ତାଙ୍କ ପରିବାର ପ୍ରତି ସମବେଦନା ଜଣାଉଛି।

ସଚିନ ତେନ୍ଦୁଲକରଙ୍କ ଟ୍ୱିଟ
ଚେତନ ଭାଇଙ୍କ ଦେହାନ୍ତ ବିଷୟରେ ଶୁଣି ମୁଁ ଦୁଃଖିତ। ସେ ମୋତେ ସବୁ ବେଳେ ଉତ୍ସାହିତ କରୁଥିଲେ ଏବଂ ତାଙ୍କ କ୍ରିକେଟ୍ ଦିନର ଅନେକ କାହାଣୀ କହୁଥିଲେ।
ଈଶ୍ୱର ତାଙ୍କ ଆତ୍ମାକୁ ​​ଶାନ୍ତି ଦିଅନ୍ତୁ।

ୟୁପି ସରକାରଙ୍କ ଅନେକ ମନ୍ତ୍ରୀ କରୋନା ସଂକ୍ରମିତ
ଉତ୍ତରପ୍ରଦେଶ କ୍ରୀଡ଼ା ମନ୍ତ୍ରୀ ଉପେନ୍ଦ୍ର ତିୱାରୀ, ଜେଲ ମନ୍ତ୍ରୀ ଜୟ ପ୍ରତାପ ସିଂ, ରାଜେନ୍ଦ୍ର ପ୍ରତାପ ସିଂ, ଧରମ ସିଂ ସାଇନି, କ୍ୟାବିନେଟ ମନ୍ତ୍ରୀ ମୋତି ସିଂ ଏବଂ ମହେନ୍ଦ୍ର ସିଂ କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିସାରିଛନ୍ତି। ଏହା ବ୍ୟତୀତ ବିଜେପି ରାଜ୍ୟ ସଭାପତି ସ୍ୱତନ୍ତ୍ର ଦେବ ସିଂ ଗତ ସପ୍ତାହରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।

ମେଲବର୍ଣ୍ଣରୁ ଆସୁଛନ୍ତି ପୁଅ ଓ ପତ୍ନୀ, ତା’ପରେ ଅନ୍ତିମ ସଂସ୍କାର
ଚେତନଙ୍କ ଭାଇ ପୁଷ୍ପେନ୍ଦ୍ର ଚୌହାନ କହିଛନ୍ତି, ମୋ ବଡ ଭାଇ ଚେତନ ଚାହଁ କରୋନାରେ ଜୀବନ ହରାଇଛନ୍ତି। ଭାଇଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଥିବା ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ତାଙ୍କ ପୁଅ ବିନାୟକ ନିଜ ମା’ ସହ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରୁ ଖୁବ ଶୀଘ୍ର ଆସି ଗୁରୁଗ୍ରାମରେ ପହଂଚିବେ। ଏହା ପରେ ଶେଷ ରୀତିନୀତି କରାଯିବ।

୪୦ଟି ଟେଷ୍ଟରେ ୨୦୮୪ ରନ୍ ସ୍କୋର କରିଥିଲେ ଚେତନ
ଚେତନ ୧୯୬୯ରୁ ୧୯୭୮ ମଧ୍ୟରେ ଟିମ୍ ଇଣ୍ଡିଆ ପାଇଁ ୪୦ଟି ଟେଷ୍ଟ ଖେଳିଥିଲେ। ଏଥିରେ ସେ ୩୧.୫୪ ହାରରେ ୨୦୮୪ ରନ୍ ସ୍କୋର କରିଥିଲେ। ତାଙ୍କର ସର୍ବୋତ୍ତମ ସ୍କୋର ୯୭ ରନ୍ ଥିଲା। ଚେତନ ୭ଟି ଦିନିକିଆରେ ୧୫୩ ରନ୍ ସଂଗ୍ରହ କରିଥିଲେ। ଚେତନ ଏବଂ ସୁନୀଲ ଗାଭାସ୍କରଙ୍କ ଓପନିଂ ଯୋଡି ୧୯୭୦ ଦଶକରେ ବହୁତ ସଫଳ ହୋଇଥିଲା। ମିଳିତ ଭାବେ ସେମାନେ ୧୦ଟି ଶତକ କରିଥିଲେ ଏବଂ ୩ ହଜାରରୁ ଅଧିକ ରନ୍ ସ୍କୋର କରିଥିଲେ। ଚେତନ ଦିଲ୍ଲୀ ଏବଂ ମହାରାଷ୍ଟ୍ର ଦଳରୁ ଘରୋଇ କ୍ରିକେଟ୍ ଖେଳିଥିଲେ।

ଭାରତର ପୂର୍ବତନ ଫୁଟବଲ ଖେଳାଳି ମଧ୍ୟ କରୋନାରେ ଜୀବନ ହରାଇଥିଲେ
ଏହା ପୂର୍ବରୁ ସନ୍ତୋଷ ଟ୍ରଫି ଫୁଟବଲ ଖେଳାଳି ଇ. ହାମସାକୋୟା (୬୧)ଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇସାରିଛି। ସେ କେରଳର ମଲ୍ଲପୁରମର ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଭାରତରେ ଏହା ଭାଇରସରୁ ଜଣେ ଖେଳାଳିଙ୍କ ପ୍ରଥମ ମୃତ୍ୟୁ ମାମଲା ଥିଲା। ହାମସାକୋୟାଙ୍କ ସମେତ ବିଶ୍ୱର ୧୧ ଜଣ ଖେଳାଳି ଏପର୍ଯ୍ୟନ୍ତ ଏହି ସଂକ୍ରମଣରେ ପ୍ରାଣ ହରାଇ ସାରିଲେଣି।

ପାକିସ୍ତାନରେ ତିନି ଖେଳାଳିଙ୍କ ମୃତ୍ୟୁ
ବର୍ତ୍ତମାନ ସୁଦ୍ଧା ପାକିସ୍ତାନରେ ତିନିଜଣ ପୂର୍ବତନ ଖେଳାଳି କରୋନା କାରଣରୁ ପ୍ରାଣ ହରାଇଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟର ରଇଜ ଶେଖ (୫୧), ଜଫର ସରଫରାଜ (୫୦) ଏବଂ ସ୍କ୍ୱାସ୍ ଖେଳାଳି ଆଜମ ଖାନ (୯୫)ଙ୍କ ମୃତ୍ୟୁ ଘଟିଛି।

୭ ଜଣ କ୍ରୀଡା ପ୍ରତିଭା ମଧ୍ୟ କରୋନାରେ ପ୍ରାଣ ହରାଇଛନ୍ତି
କରୋନା ସଂକ୍ରମଣରେ ଜାପାନର ସୁମୋ ରେସଲର ଶୋବୁଶି (୨୮), ଇଂଲଣ୍ଡର ପୂର୍ବତନ ଫୁଟବଲର୍ ନରମାନ୍ ହଣ୍ଟର୍ (୭୬), ସ୍ପ୍ରିଣ୍ଟର୍ ଡୋନାଟୋ ସାବିଆ (୫୬), ସ୍ୱିଜରଲ୍ୟାଣ୍ଡର ଆଇସ୍ ହକି ଖେଳାଳି ରୋଜର ଶାପୋ (୭୯), ଫ୍ରାନ୍ସର ଫୁଟବଲ୍ କ୍ଲବ୍ ରିମସ’ର ଡାକ୍ତର ବର୍ନାର୍ଡ ଗୋଞ୍ଜାଲେଜ୍ (୬୦), ଇଂଲଣ୍ଡର ଏକ କ୍ରିକେଟ୍ କ୍ଲବ ସଭାପତି ଡେଭିଡ୍ ହଜାକିସ (୭୧) ଏବଂ ଫ୍ରାନ୍ସର ଅଲିମ୍ପିକ୍ ଡି ମାର୍ଶଲ୍ ଫୁଟବଲ୍ କ୍ଲବ ପୂର୍ବତନ ସଭାପତି ପେପ୍ ଡିଓଫ୍ (୬୮)ଙ୍କ ମୃତ୍ୟୁ ଘଟିଛି।

ଅନେକ କ୍ରିକେଟର କରୋନା ସଂକ୍ରମିତ ହୋଇଛନ୍ତି
ଦୁନିଆର ଅନେକ ଭେଟେରାନ୍ ଖେଳାଳି କରୋନାରେ ସଂକ୍ରମିତ ହୋଇଛନ୍ତି। ପାକିସ୍ତାନର ପୂର୍ବତନ କ୍ରିକେଟର ସହିଦ ଆଫ୍ରିଦି ଏବଂ ବାଂଲାଦେଶର ପୂର୍ବତନ ଅଧିନାୟକ ମଶରଫେ ମୁର୍ତଜା ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ମୁର୍ତଜା ମଧ୍ୟ ବାଂଲାଦେଶର ସାଂସଦ ଅଛନ୍ତି। ଅନ୍ୟପକ୍ଷରେ ୧୦ ଜଣ ପାକିସ୍ତାନ କ୍ରିକେଟରଙ୍କ କରୋନା ରିପୋର୍ଟ ଇଂଲଣ୍ଡ ଗସ୍ତ ପୂର୍ବରୁ ପଜିଟିଭ ଆସିଥିଲା। ଏମାନଙ୍କ ବ୍ୟତୀତ ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ନୋଭାକ ଜୋକୋଭିକ୍ ଏବଂ ତାଙ୍କ ପତ୍ନୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି।

Comments are closed.