ରାଜ୍ୟ ଉପନିର୍ବାଚନ, ପୋଷ୍ଟାଲ ବାଲଟ୍‌ରେ ଭୋଟ୍ ଦେବେ ୫୪୦୮

ଭୁବନେଶ୍ୱର: ଆସନ୍ତା ନଭେମ୍ବର ମାସରେ ରାଜ୍ୟର ଦୁଇଟି ସ୍ଥାନରେ ହେବାକୁ ଥିବା ଉପ ନିର୍ବାଚନରେ ୮୦ ବର୍ଷରୁ ଅଧିକ ବୟସର ନାଗରିକ, ଦିବ୍ୟାଙ୍ଗ, କୋଭିଡ୍ ଆକ୍ରାନ୍ତ ତଥା ସନ୍ଦିଗ୍ଧ ଭୋଟର୍‌ଙ୍କ ପାଇଁ ପୋଷ୍ଟାଲ ବାଲଟ୍‌ ମାଧ୍ୟମରେ ଭୋଟ୍‌ ଗ୍ରହଣ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ବାଲେଶ୍ବର ସଦର ଓ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଘରକୁ ଘର ସର୍ଭେ କରି ଏପରି ଭୋଟରଙ୍କୁ ଚିହ୍ନଟ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ନିର୍ଦେଶ ଦେଇଛନ୍ତି।

ନିର୍ବାଚନ ଆୟୋଗଙ୍କ ନିର୍ଦେଶ ଅନୁସାରେ ଅକ୍ଟୋବର ୧୦ରୁ ୧୪ ତାରିଖ ପର୍ୟ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀଙ୍କ ମାଧ୍ୟମରେ ୧୨ (ଘ) ଫର୍ମ ସମ୍ପୃକ୍ତ ଭୋଟର ମାନଙ୍କ ନିକଟକୁ ପଠାଯାଇଥିଲା। ତିର୍ତ୍ତୋଲ ବିଧାନସଭା ଆସନରେ ୧୫,୨୫୩ ଜଣ ଭୋଟରଙ୍କ ମଧ୍ୟରୁ ୩୬୮୧ ଜଣ ଭୋଟର୍ ପୋଷ୍ଟାଲ ବାଲଟ ମାଧ୍ୟମରେ ଭୋଟ୍ ଦେବାକୁ ପସନ୍ଦ କରିଛନ୍ତି। ଅବଶିଷ୍ଟଙ୍କ ମଧ୍ୟରୁ ୯୬୭୭ ଜଣ ସମ୍ପୃକ୍ତ ବୁଥ୍‌ରେ ଭୋଟ ଦେବାକୁ ଚାହିଁ ଥିବାବେଳେ ବାକି ୧୪୯୬ ଜଣ ଭୋଟର୍ ଅନୁପସ୍ଥିତ ଥିଲେ।

ସେହିପରି ବାଲେଶ୍ବର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୮୨୭୫ ଭୋଟରଙ୍କ ମଧ୍ୟରୁ ୧୭୨୭ ପୋଷ୍ଟାଲ ବାଲଟ୍ ମାଧ୍ୟମରେ ଭୋଟ୍ ଦେବା ପାଇଁ ଇଚ୍ଛା ପ୍ରକାଶ କରିଥିବା ବେଳେ ୩୫୩୦ ଭୋଟର ନିକଟସ୍ଥ ବୁଥ୍‌ରେ ଭୋଟ ଦେବା ସପକ୍ଷରେ ମତ ଦେଇଛନ୍ତି। ଅବଶିଷ୍ଟ ୯୦୨ ଭୋଟର ବିଭିନ୍ନ କାରଣରୁ ଅନୁପସ୍ଥିତ ଥିଲେ। ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ମୋଟ ୩୪୦ ଜଣ କୋଭିଡ୍ ଆକ୍ରାନ୍ତ/ସନ୍ଦିଗ୍ଧ​‌େ​ଭାଟରଙ୍କ ମଧ୍ୟରୁ ୧୩୦ ଜଣ ପୋଷ୍ଟାଲ ବାଲଟ୍ ମାଧ୍ୟମରେ ଭୋଟ ଦେବାକୁ ପସନ୍ଦ କରିଥିବା ବେଳେ ଅବଶିଷ୍ଟ ୨୧୦ ଜଣ ନିକଟସ୍ଥ ଭୋଟ୍‌ ଗ୍ରହଣ କେନ୍ଦ୍ରରେ ମତଦାନ କରିବାକୁ ସ୍ଥିର କରିଛନ୍ତି।

ସେହିପରି ବାଲେଶ୍ବର ବିଧାନସଭା ଆସନରେ ମୋଟ ୧୦୧ କୋଭିଡ୍ ଆକ୍ରାନ୍ତ/ସନ୍ଦିଗ୍ଧଙ୍କ ମଧ୍ୟରୁ ୭ ଜଣ ପୋଷ୍ଟାଲ ବାଲଟ୍ ମାଧ୍ୟମରେ ଭୋଟ ଦେବେ ବୋଲି ଜଣାଇଛନ୍ତି। ଯେଉଁ ଅବଶିଷ୍ଟ ଆକ୍ରାନ୍ତ/ସନ୍ଦିଗ୍ଧ ଭୋଟର୍‌ମାନେ ପୋଷ୍ଟାଲ ବାଲଟ୍‌ରେ ମତଦାନ କରିବା ପାଇଁ ଆବେଦନ କରିନାହାନ୍ତି ଏବଂ ନଭେମ୍ବର ୩ ତାରିଖ ଭୋଟ ଗ୍ରହଣ ସୁଦ୍ଧା ସୁସ୍ଥ ଅନୁଭବ କରୁଥିବେ ସେମାନେ ନିକଟସ୍ଥ ମତଦାନ କେନ୍ଦ୍ରରେ ଭୋଟ୍ ଦେଇପାରିବେ। ଉକ୍ତ ତିନି ଶ୍ରେଣୀର ଭୋଟରମାନଙ୍କ ପୋଷ୍ଟାଲ ବାଲଟ୍ ଭୋଟ୍ ଗ୍ରହଣ ନିମନ୍ତେ ସ୍ବତନ୍ତ୍ର ପୋଲିଂ ପାର୍ଟି ଗଠନ କରାଯାଇଛି। ସେମାନେ ସୁରକ୍ଷାକର୍ମୀ ଓ ଭିଡ଼ିଓଗ୍ରାଫର୍ ଦଳ ସହ ଘରକୁ ଘର ବୁଲି ପୋଷ୍ଟାଲ ବାଲଟ୍ ଭୋଟ୍ ଅକ୍ଟୋବର ୨୦ ତାରିଖ ପରେ ଓ ମତଦାନର ଦିନକ ପୂର୍ବରୁ ଭୋଟ୍ କାର୍ୟ୍ୟ ଶେଷ କରିବେ। ପ୍ରାର୍ଥୀମାନଙ୍କୁ ପୋଷ୍ଟାଲ ବାଲଟ୍ ମାଧ୍ୟମରେ ମତଦାନ ସମ୍ପର୍କରେ ପୂର୍ବରୁ ଜଣାଇ ଦିଆଯିବ।

Comments are closed.