ଡାକ ପାର୍ଶଲ୍ କଣ୍ଟେନରରେ ହେଉଛି ଗୋରୁ ପାର୍ଶଲ

ରେଙ୍ଗାଲି କ୍ୟାମ୍ପ : ଡାକ ପାର୍ଶଲ୍ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ବରଗଡ଼ ଜିଲ୍ଲାର ୫୩ନଂ ଜାତୀୟ ରାଜପଥ ଦେଇ ଯାଉଥିବା ଦୁଇଟି ଡାକ ପାର୍ଶଲ୍ କଣ୍ଟେନରରୁ ଗୋରୁ ଉଦ୍ଧାର ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ କୌଣସି ସୂତ୍ରରୁ ଖବର ପାଇ ସ୍ଥାନୀୟଲୋକେ ଗୋଟିଏ ଗାଡିକୁ ଗୋଡ଼ଭଗା ଓ ଅନ୍ୟଟିକୁ ସୁକୁଟା ପାଲି ଠାରେ ଅଟକାଇ ରଖି ପଚରା ଉଚୁରା କରିବାରୁ ଚାଳକ ଓ  ଗାଡ଼ିର ଅନ୍ୟ ବ୍ୟକ୍ତିମାନେ ସାଧାରଣଜନତାଙ୍କ ଉପରେ ରାଗିଯାଇ ଗାଳି ଗୁଲଜ କରି ଥିଲେ ଓ ଏଥିରେ ପାର୍ଶଲ ଯାଉଛି କହି କିଛି ଲୁଚାଇବକୁ ଚେଷ୍ଟା କରିଥିଲେ। ଯାହା ଫଳରେ ଲୋକଙ୍କ ସନ୍ଦେହ ଦ୍ଵିଗୁଣିତ ହୋଇ ଗାଡ଼ିର ତାଲା ଜୋର୍ ଜବରଦସ୍ତ ଭାଙ୍ଗି ଦେଇଥିଲେ। ଉକ୍ତ  ଗାଡ଼ିରେ ଗୋରୁ   ଭର୍ତ୍ତି ହୋଇ ରହିଥିଲା। ଗୋଟିଏ ଗାଡିରେ ୭୦ଟି ଗୋରୁ ଓ ଅନ୍ୟଟିରେ ୮୦ ଟି ଗୋରୁ ବୋଝେଇ ହୋଇ ପଶ୍ଚିମ ବଙ୍ଗର ଉଳୁବେଡିଆ ଗ୍ରାମକୁ ଚାଲାଣ ହେବାର ଯୋଜନା ଥିବା ଗାଡ଼ି ଡ୍ରାଇଭର ମୁନସୀ ଶେଖ୍ ପରେ ପ୍ରକାଶ କରିଥିଲା। ଅଧିକରୁ ଅଧିକ ତଥ୍ୟ ପଚାରିବାରୁ ସେମାନେ କଥାକୁ ଲୁଚାଇ ଥିବା ବେଳେ ଜନସାଧାରଣ ଉତ୍ୟକ୍ତ ହୋଇ ଉତ୍ତମମଧ୍ୟମ ଦେଇଥିଲେ । ଏହି ଖବର ପାଇ ଗୋଡ଼ଭଗା ଫାଣ୍ଡି ଅଧିକାରୀ ନାଏକ ବାବୁ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ ଅତାବିରା ଡାକ୍ତରଖାନାକୁ ପଠାଇଥିଲେ। ପରେ ଅତାବିରା ପୁଲିସ ମଧ୍ୟ ପହଞ୍ଚି ଉକ୍ତ ଗାଡ଼ିରେ ଥିବା ଚାଲାଣକାରୀ ଆହତ ପପୁ ଶେଖ୍(୧୮), ଅମିର ଶେଖ୍(୨୩), ଶେଖ୍ କୁତ୍ବୁବୁଦ୍ଧିନ(୩୩) ଓ ଏସ କେ ଅସଲମ୍ ଅଲ୍ଲୀ(୧୯)ଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି। ଏପରି ନିତିଦିନିଆ ଭାବେ ଏହି ରାସ୍ତା ଦେଇ ଏପରି ଗାଡ଼ି ଗୁଡ଼ିକ ଯିବା ଆସିବା କରୁଛି କିନ୍ତୁ ଦୁଃଖର ବିଷୟ ଯେ ପୁଲିସ ଏହାକୁ ଧରିବା ବଦଳରେ ସାଧାରଣ ଲୋକେ ଧରିଛନ୍ତି ଯାହା କି ପୁଲିସର ଅପାରଗତାକୁ ଇଙ୍ଗିତ କରୁଛି। ପ୍ରକାଶ  ଥାଉ କି, ଡାକ ପାର୍ଶଲ ଲେଖା ହେଉଥିବା ଗାଡ଼ି ଗୁଡ଼ିକ ପ୍ରକୃତରେ କେଉଁ କେଉଁ ଡାକ ଘରେ ରହୁଛି କି ନା ଏହା ଉପରେ ବହୁ ଦିନ ଧରି ଲୋକଙ୍କ ନଜର ଓ ସନ୍ଦେହ ରହିଆସିଥିଲା। ସେଇ ସନ୍ଦେହ ଆଜି ସତରେ ପରିଣତ ହୋଇଛି। ଡାକ ପାର୍ଶଲ  ଗାଡ଼ିରେ ଡାକ ଜିନିଷ ଯିବା ବଦଳରେ ହେଉଛି ଗୋରୁ ଚାଲାଣ। ତେବେ ଏମିତି ଆହୁରି ବେଆଇନ ଚୋରି ତଥା ନିଶା ଦ୍ରବ୍ୟ  ବା ଗୋଲା ବାରୁଦ ପାର୍ଶଲ୍ କରାହେଉ ନ ଥିବ ତାହା କିଏ କହିପାରେ ? ତେବେ ଜାତୀୟ ରାଜରାସ୍ତା ଉପର ଦେଇ ଏମିତି ଗାଡ଼ିରେ ଚାଲାଣ ହେଉ ଥିବା ସତ୍ତ୍ବେ ପୁଲିସ ତାର ଟେର ବି ପାଉନଥିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Comments are closed.