ଗୁରୁଡିଝାଟିଆ ଓ ଖୁଣ୍ଟୁଣୀ ଅଞ୍ଚଳରେ ବହୁଳ ଚୋରା ଦେଶୀ ମଦ ବେପାର

ପୁଲିସ ଓ ଅବକାରୀ ବିଭାର ଭୂମିକା ନେଇ ପ୍ରଶ୍ନ

ଗୁରୁଡିଝାଟିଆ : ଗାଁ ଗାଁରେ ଚୋରା ଦେଶୀମଦ ବେପାର ଚାଲିଛି। ପାନ ଦୋକାନ ଠାରୁ ଆରମ୍ଭ କରି ସାହିଗଳିରେ ମଧ୍ୟ ଚୋରା ଦେଶୀମଦ ଏବେ ମୁଖ୍ୟ ବ୍ୟବସାୟ ଭାବରେ ଉଭା ହୋଇଛି। କେବଳ ସେତିକି ନୁହେଁ, ରେଳଷ୍ଟସନ, ଶିକ୍ଷାନୁଷ୍ଠାନ ନିକଟରେ ଓ ବିଭିନ୍ନ ଛକମାନଙ୍କରେ ସହଜରେ ଦିନ ଦ୍ୱିପ୍ରହରରେ ମଧ୍ୟ ମାଦକ ଦ୍ରବ୍ୟ ମିଳୁଅଛି। ଗୁରୁଡିଝାଟିଆ ଓ ଖୁଣ୍ଟୁଣୀ ଥାନା ଅଞ୍ଚଳର ଗୁରୁଡିଝାଟିଆ,କୋତ୍ତର, ବାଳି,ଗୋବରା, କୁମାରପୁର, ନାରଙ୍ଗବସ୍ତ, ବ୍ରାହ୍ମଣବସ୍ତ,ନୂଆଶାସନ, ଘଣ୍ଟିଖାଲ, ଖୁଣ୍ଟୁଣୀ, ଧୁରୁଷିଆ, ମଞ୍ଚେଶ୍ୱର,କପୁରସିଂ ପ୍ରଭୃତି ଗାଁ ଓ ଅନ୍ୟାନ୍ୟ ଗାଁମାନଙ୍କରେ ମଧ୍ୟ ବେଧଡକ ଭାବରେ ଚୋରା ଦେଶୀମଦ ବେପାର ହେଉଛି। ଅବକାରୀ ବା ପୁଲିସ ବିଭାଗ ଜାଣିନାହାନ୍ତି ତାହାନୁହେଁ ଜାଣି ନ ଜାଣିଲା ପରି ଅଭିନୟ କରୁଛନ୍ତି ବୋଲି ସାଧାରଣରେ ଆଲୋଚିତ ହେଉଛି। ବାରମ୍ବାର ଚଢାଉ ପରେ ମଧ୍ୟ କିଭଳି ଭାବରେ ଚୋରା ଦେଶୀ ମଦ ବେପାରୀମାନେ ବେଧଡକ ଭାବରେ ବେପାର କରୁଛନ୍ତି, ତାହା ଏବେ ପ୍ରଶ୍ନ ସୃଷ୍ଟି କରିଛି। ଏପରି କେତେକ ସ୍ଥଳରେ କିଛି ଅସାଧୁ କର୍ମଚାରୀ ଘର ଢିଙ୍କି କୁମ୍ଭୀର ସାଜୁଥିବାରୁ ବିଭାଗର ଚଢାଉ ହେଉଥିଲେ ମଧ୍ୟ ସେପରି ଆଖିଦୃଶିଆ ସଫଳତା ମିଳିପାରୁନଥିବାର ସାଧାରଣରେ ଆଲୋଚିତ ହେଉଛି। କେବଳ ସେତିକିନୁହେଁ ଗୁରୁଡିଝାଟିଆ ଓ ଖୁଣ୍ଟୁଣୀର ଏକାଧିକ ସ୍ଥାନରେ ଚୋରା ଦେଶୀମଦ ରନ୍ଧନ ହେଉଛି। ବାରଙ୍ଗ,କଟକ,ଚୌଦ୍ୱାର ଓ ଅନ୍ୟ କେତେକ ସ୍ଥାନକୁ ମଧ୍ୟ ଦୈନିକ ଏକାଧିକ ୪ଚକିଆ ଓ ୨ଚକିଆ ଗାଡିରେ ଯାଉଅଛି। ଏହାଛଡା ବହୁ ଦୋକାନରେ ବି ଗଞ୍ଚେଇ ଓ ଅନ୍ୟାନ୍ୟ ମାଦକ ଦ୍ରବ୍ୟ ମଧ୍ୟ ବିକ୍ରି ହେଉଛି। ତେଣୁ ପୁଲିସ ଏବଂ ଅବକାରୀ ବିଭାଗ ସଠିକ୍ ଢଙ୍ଗରେ ସମନ୍ୱୟ ରଖି କାର୍ଯ୍ୟକଲେ ଅନେକାଂଶରେ ଚୋରାମଦ ରନ୍ଧନ ଓ ବିକ୍ରୟକୁ ରୋକିପାରିବେ।

Comments are closed.