କରୋନା ପରବର୍ତ୍ତୀ ଓଡିଶା: କ୍ଷୁଦ୍ର ଉଦ୍ୟୋଗ ବଡ ପରିବର୍ତ୍ତନ ଆଣିପାରିବେ

ଓଡିଶା ଡାଇଲଗ୍ସ ଫୋରମ୍‌ର ୱେବିନାର୍: ଏମ୍ଏସ୍ଏମ୍ଇମାନଙ୍କ ବକେୟା ରାଶି ତୁରନ୍ତ ପଇଠ ପାଇଁ ପ୍ରସ୍ତାବ

ଭୁବନେଶ୍ୱର: ବର୍ତ୍ତମାନର କୋଭିଡ ପରିପ୍ରେକ୍ଷୀରେ ରାଜ୍ୟର ଆର୍ଥିକ ସ୍ଥିତିକୁ ଦେଖିଲେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡିକୁ (ଏମ୍ଏସ୍ଏମ୍ଇ) ଅଧିକ ପ୍ରୋତ୍ସାହିତ କରିବା ସହ ଉଦ୍ୟୋଗଗୁଡିକଙ୍କ ବକେୟା ରାଶି ସରକାର ତୁରନ୍ତ ପଇଠ କରିବା ଆବଶ୍ୟକ ବୋଲି ବିଶିଷ୍ଟ ଅର୍ଥଶାସ୍ତ୍ରୀ ଓ ନୀତି ବିଶ୍ଳେଷକମାନେ ମତ ବ୍ୟକ୍ତ କରିଛନ୍ତି। କଞ୍ଚାମାଲ ଯୋଗାଣକାରୀ ଓ ଉପଭୋକ୍ତାମାନଙ୍କ ମଧ୍ୟରେ ଆର୍ଥିକ କାରବାରରେ ଦେଖାଯାଉଥିବା ଦ୍ୱନ୍ଦ ଦୂର କରିବା ସକାଶେ ଗଠିତ ଏମ୍ଏସ୍ଏମ୍ଇ ସରଳୀକରଣ ପରିଷଦର ତୁରନ୍ତ ପୁନଃଉଦ୍ଧାର କରିବା ଆବଶ୍ୟକ ବୋଲି ଓଡିଶା ଡାଇଲଗ୍ସ ଫୋରମ୍ ତରଫରୁ ଆୟୋଜିତ ଏକ ୱେବିନାରରେ ମତ ପ୍ରକାଶ ପାଇଛି।
ଓଡିଶାର ଆର୍ଥିକ ପ୍ରଗତି ଯଦିଓ ଜାତୀୟ ହାର ଠାରୁ ଆଗରେ ରହିଛି ତଥାପି ଏହା ବିକାଶୋନ୍ନମୁଖୀ ରାଜ୍ୟ ଭିତରେ ଗଣାଯାଉଛି। ଏହାର ପ୍ରମୁଖ କାରଣ ହେଉଛି ଓଡିଶାରେ ଉଦ୍ୟୋଗ ବିକାଶ ପାଇଁ ଅନୁକୂଳ ବାତାବରଣ ଓ କ୍ଷୁଦ୍ର ବ୍ୟବସାୟକୁ ପ୍ରୋତ୍ସାହନର ଅଭାବ। ୨୦୧୮-୧୯ ଆର୍ଥିକ ବର୍ଷରେ ଆମ ଦେଶରେ ଆତ୍ମ ପ୍ରକାଶ ପାଇଥିବା ୬୯,୬୭୩ଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡିକ ମଧ୍ୟରୁ ଓଡିଶାରେ ମାତ୍ର ୧.୫ ପ୍ରତିଶତ ଉଦ୍ୟୋଗ ପଞ୍ଜିକୃତ ହୋଇଛନ୍ତି ଏବଂ ସେଥି ମଧ୍ୟରୁ ମାତ୍ର ୧୦ ପ୍ରତିଶତ ଉଦ୍ୟୋଗର ପୁଞ୍ଜି ନିବେଶ ୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ରହିଛି। କିନ୍ତୁ ଗୁଜୁରାଟ ଓ ମହାରାଷ୍ଟ୍ରରେ ୪୩ ଓ ୩୪ ପ୍ରତିଶତ ଉଦ୍ୟୋଗଗୁଡିକଙ୍କ ପୁଞ୍ଜି ନିବେଶ ୫ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ରହିଛି। ଏହି ପରିପ୍ରେକ୍ଷୀରେ କ୍ଷୁଦ୍ର ଉଦ୍ୟୋଗଗୁଡିକରେ ବିକଳ୍ପ ପୁଞ୍ଜି ନିବେଶ ପାଇଁ ଉପଯୁକ୍ତ ରଣକୌଶଳ ଆପଣେଇବାକୁ ୱେବିନାରରେ ଉପସ୍ଥିତ ବକ୍ତାମାନେ ପରାମର୍ଶ ଦେଇଛନ୍ତି।
କ୍ଷୁଦ୍ର ଉଦ୍ୟୋଗମାନଙ୍କର ପୁଞ୍ଜି ନିବେଶ ସବୁଠୁ ବଡ ସମସ୍ୟା ଏକ ଜଣାଶୁଣା କଥା। ଆଜିର କୋଭିଡ୍ ସକାଶେ ତାଲାବନ୍ଦ ସମୟରେ ଏହି ସମସ୍ୟା ଆହୁରି ବଢିଯାଇଛି। ଏହି ସମୟରେ ସରକାର ଓ ସରକାର ପରିଚାଳିତ ଅନେକ କମ୍ପାନୀମାନଙ୍କ ପାଖରେ ଲକ୍ଷାଧିକ ବକେୟା ରାଶି ପଡି ରହିଛି। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗମାନଙ୍କ ଏହି ବକେୟା ରାଶିଗୁଡିକୁ ପ୍ରାଥମିକତା ଭିତ୍ତିରେ ତୁରନ୍ତ ପଇଠ କରାଯିବା ଆବଶ୍ୟକ ରହିଛି ବୋଲି ଭାରତ ସରକାରଙ୍କ ପୂବର୍ତନ ଏମ୍ଏସ୍ଏମ୍ଇ ସଚିବ ଡ. ଅରୁଣ ପଣ୍ଡା କହିଛନ୍ତି।

“କରୋନା ପରବର୍ତ୍ତୀ ଓଡିଶା: କ୍ଷୁଦ୍ର ଉଦ୍ୟୋଗ ବଡ ପରିବର୍ତ୍ତନ ଆଣିପାରିବେ” ସମ୍ପର୍କିତ ଆୟୋଜିତ ଏକ ୱେବିନାରରେ ଡ. ପଣ୍ଡା କହିଛନ୍ତି ଯେ, ଆର୍ଥିକ କାରବାରକୁ ସୁଗମ କରିବା ପାଇଁ ଏମ୍ଏସ୍ଏମ୍ଇ ସରଳୀକରଣ ପରିଷଦକୁ ସକ୍ରିୟ କରାଯିବା ସହ ରାଜ୍ୟର ଆଞ୍ଚଳିକ ସ୍ତରରେ ଏହାର ଶାଖା ମଧ୍ୟ ଖୋଲାଯିବା ଆବଶ୍ୟକ। କୋରାପୁଟରେ ବ୍ୟବସାୟ କରୁଥିବା ଉଦ୍ୟୋଗଟି ଆର୍ଥିକ କାରବାରର ସମସ୍ୟା ସମାଧାନ ପାଇଁ ଭୁବନେଶ୍ୱର ପର୍ଯ୍ୟନ୍ତ କାହିଁକି ଆସିବ ବୋଲି ଡ. ପଣ୍ଡା ପ୍ରଶ୍ନ କରିଛନ୍ତି। ଏମ୍ଏସ୍ଏମ୍ଇ କ୍ଷେତ୍ର ନୂତନ ନିଯୁକ୍ତି ସୃଷ୍ଟି କରିବା ଓ ଆର୍ଥିକ ପ୍ରଗତିରେ ପ୍ରମୁଖ ଭୁମିକା ରହିଛି ବୋଲି ଯଦିଓ କୁହାଯାଉଛି ମାତ୍ର ତାହା ବାସ୍ତବ ରୂପାୟନ ହୋଇପାରୁ ନାହିଁ ବୋଲି ୱେବିନାର୍ରେ ଗୁଜରାଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଭେଲପମେଣ୍ଟର ପ୍ରଫେସର କେଶବ ଦାସ କହିଛନ୍ତି। ବର୍ତ୍ତମାନର କୋଭିଡ୍ ଭଳି ସ୍ଥିତିରେ ତାଲାବନ୍ଦ ଏହି ଉଦ୍ୟୋଗଗୁଡିକ ପ୍ରତି ଆହୁରି ବିପଦ ସୃଷ୍ଟି କରିଛି। ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ତଥ୍ୟର ଗୁରୁତ୍ୱ ଖୁବ ରହିଛି ମାତ୍ର ଅଧିକାଂଶ ତଥ୍ୟ ୪-୫ ବର୍ଷ ପୁରୁଣା ଏବଂ ଅନେକ ତଥ୍ୟ ଉପଲବ୍ଧ ନାହିଁ। ଏହି ସମସ୍ୟା ସାରା ଦେଶରେ ରହିଛି ଏବଂ ଏଥି ନିମନ୍ତେ ସଠିକ ନୀତିର ଫଳଦାୟୀ ପ୍ରଣୟନ ହେବା ନିହାତି ଆବଶ୍ୟକ ବୋଲି ପ୍ରଫେସର୍ ଦାସ ମତ ରଖିଛନ୍ତି। ଆମ ଦେଶରେ ଅଧିକାଂଶ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗଗୁଡିକ ଗ୍ରାମାଞ୍ଚଳ ବା ଉପ-ସହରାଞ୍ଚଳରେ ରହିଛି ତେଣୁ ବିଶ୍ୱ ବଜାରୀକରଣ ବ୍ୟବସ୍ଥାରେ କ୍ଷୁଦ୍ର ଉଦ୍ୟୋଗମାନଙ୍କ ଉତ୍ପାଦ ବିଶ୍ୱ ବଜାରରେ ପ୍ରବେଶ କରାଇବା ଲକ୍ଷ୍ୟ ରଖି କ୍ଷେତ୍ରୀୟ ନୀତି ପ୍ରଣୟନ ହେବା ଆବଶ୍ୟକ ବୋଲି ପ୍ରଫେସର ଦାସ କହିଛନ୍ତି।

ଓଡିଶାରେ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗମାନଙ୍କ ଉତ୍ପାଦଗୁଡିକର ବଜାର ପ୍ରବେଶ ଓ ବ୍ରାଡିଂର ଅନେକ ସମସ୍ୟା ରହିଛି ବୋଲି ଓଡିଶାର ଖୁବ୍ କମ ସମୟ ଭିତରେ ପ୍ରତିଷ୍ଠିତ ହୋଇଥିବା ଦୁଗ୍ଧ କମ୍ପାନୀ ମିଲ୍କ ମନ୍ତ୍ରାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରଶିମା ମିଶ୍ର କହିଛନ୍ତି। ଓଡିଶା ବଜାରରେ ପର୍ଯ୍ୟାପ୍ତ ସୁବିଧା ରହିଛି ମାତ୍ର ଖାଉଟିମାନଙ୍କ ଆବଶ୍ୟକତାକୁ ବୁଝି ସମୟାନୁସାରେ ସଠିକ ଉତ୍ପାଦ ବଜାରରେ ଉପଲବ୍ଧ କରଇବାର ଆବଶ୍ୟକତା ରହିଛି ବୋଲି ରଶିମା ମତ ବ୍ୟକ୍ତ କରିଛନ୍ତି। ସରକାର ଏମ୍ଏସ୍ଏମ୍ଇ କ୍ଷେତ୍ରର ଆବଶ୍ୟକୀୟ ତଥ୍ୟକୁ ଡିଜିଟାଇଜେସନ୍ କରିବା ନିଷ୍ପତି ଶୀଘ୍ର ନେବା ଆବଶ୍ୟକ ଏବଂ ଏହା ନିଶ୍ଚିତ ଭାବେ ଏକ ଉତ୍ତମ ପଦକ୍ଷେପ ହେବ ବୋଲି ଓଡିଶା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସଂଘର ସାଧାରଣ ସମ୍ପାଦକ ସାତ୍ତ୍ବିକ ସ୍ୱାଇଁ ମତ ରଖିଛନ୍ତି। ଓଡିଶା ରାଜ୍ୟ ବିତ୍ତୀୟ ନିଗମ ଭଳି ସଂସ୍ଥାଗୁଡିକର ପୁନଃରୁଦ୍ଧାର ପାଇଁ ଅନେକ କ୍ଷେତ୍ରରେ ବିକଳ୍ପ ଆର୍ଥିକ ବ୍ୟବସ୍ଥା କରିବା ଆବଶ୍ୟକତା ଉପରେ ଏହି ୱେବିନାର ପରିଚାଳନା କରିବା ଅବସରରେ ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟର ପ୍ରଫେସର ଡି.ଭି.ରମଣ ଗୁରୁତ୍ୱାରୋପ କରିଛନ୍ତି।

କୋଭିଡ୍ ଭଳି ମହାମାରୀ ସମୟରେ ରାଜ୍ୟର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ତଥା ଏକ ଦୀର୍ଘ ସୂତ୍ରୀ ତର୍ଜମା ପ୍ରକ୍ରିୟାର ଆରମ୍ଭ ପାଇଁ ବିଗତ ଏକ ବର୍ଷ ଧରି ଏହି ଭଳି ୱେବିନାର୍ମାନ ଓଡିଶା ଡାଇଲଗ୍ସ ଫୋରମ୍ ତରଫରୁ ଆୟୋଜିତ କରାଯାଉଅଛି। କ୍ଷୁଦ୍ର ଉଦ୍ୟୋଗ ଆର୍ଥିକ ସମାନତା ଦିଗରେ ଗୁରୁତ୍ୱ ବହନ କରେ ଏବଂ ଏଥି ସକାଶେ ଓଡିଶା ଡାଇଲଗ୍ସ ଏମ୍ଏସ୍ଏମ୍ଇ କ୍ଷେତ୍ରରେ ଖୁବ୍ ଶୀଘ୍ର ଦୀର୍ଘ ସୂତ୍ରୀ କାର୍ଯ୍ୟ ନକ୍ସା ପ୍ରସ୍ତାବ ଦେବ ବୋଲି ଓଡିଶା ଡାଇଲଗ୍ସର ପ୍ରତିଷ୍ଠାତା ନିର୍ଦେଶକ ରାଜେଶ ମହାପାତ୍ର ମତ ବ୍ୟକ୍ତ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଦିଲ୍ଲୀ ସ୍କୁଲ୍ ଅଫ୍ ଇକୋନୋମିକ୍ସର ପୂର୍ବତନ ପ୍ରଫେସର ଡ. ପୁଲିନ୍ ବି. ନାୟକ, ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଡେପୁଟି ଗର୍ଭନର ହରୁନ୍ ଖାନ, ଓଡିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଯୁଗଳ ମହାପାତ୍ର ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡ. ବିଧୁ କଲ୍ୟାଣ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।

Comments
Loading...