ଦିଲ୍ଲୀରେ ଓମିକ୍ରନ ପାଇଁ ବିଦ୍ୟାଳୟ, ପ୍ରେକ୍ଷାଳୟ, ବ୍ୟାୟାମଶାଳା ବନ୍ଦ

ନୂଆଦିଲ୍ଲୀ : କରୋନାର ନୂଆ ପ୍ରଜାତି ଭୂତାଣୁ ଓମିକ୍ରନର ସଂକ୍ରମଣ ବୃଦ୍ଧିକୁ ନେଇ ଦିଲ୍ଲୀ ସରକାର ସୋମବାର ଠାରୁ କଟକଣା ଲାଗୁ କରିଛନ୍ତି। ଓମିକ୍ରନ ସଂକ୍ରମଣକୁ ନେଇ ଦିଲ୍ଲୀରେ ‘ୟେଲୋ ଆଲର୍ଟ’ ଜାରି କରାଯାଇଛି। କଟକଣା ଅନୁଯାୟୀ ରାତି ୧୦ଟାରୁ ଭୋର ୫ଟା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ଯାତାୟାତ ବନ୍ଦ ରହିବ।

ସେହିପରି ବିଦ୍ୟାଳୟ, ପ୍ରେକ୍ଷାଳୟ, ବ୍ୟାୟାମଶାଳାଗୁଡିକ ବନ୍ଦ ରହିବ। ମେଟ୍ରୋ ରେଳ ଓ ବସ୍‌ଗୁଡିକ ୫୦% ଯାତ୍ରୀରେ ଚଳାଚଳ କରିବ। ସପିଙ୍ଗ ମଲ୍‌ଗୁଡିକ ଯୁଗ୍ମ ଅଯୁଗ୍ମ ଅର୍ଥାତ୍ ଦିନେ ଛାଡି ଦିନେ ଖୋଲା ରହିବ। ସକାଳ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦୋକାନବଜାର ଖୋଲା ରହିବ ବୋଲି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଡିଡିଏମଏ) ପକ୍ଷରୁ ଜାରି ସତର୍କତାରେ କୁହାଯାଇଛି।

ମଙ୍ଗଳବାର ଦିଲ୍ଲୀରେ ୪୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓମିକ୍ରନ ସଂକ୍ରମଣକୁ ନେଇ କର୍ଣ୍ଣାଟକ, କେରଳ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଆସାମ, ହରିୟାଣା, ଉତ୍ତରାଖଣ୍ଡ ଓ ପୁଡୁଚେରୀରେ ମଧ୍ୟ ବିଭିନ୍ନ ପ୍ରକାର କଟକଣା ଲାଗୁ କରାଯାଇଛି। ମଙ୍ଗଳବାର ସୁଦ୍ଧା ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୬୫୩ରେ ପହଞ୍ଚିଛି। ମହାରାଷ୍ଟ୍ରରେ ସର୍ବାଧିକ ୧୬୭, ଦିଲ୍ଲୀରେ ୧୬୫, କେରଳରେ ୫୭, ତେଲଙ୍ଗାନାରେ ୫୫ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.