ଫୋନ୍‍ କଲକୁ ନେଇ ପାକିସ୍ତାନ-ଆମେରିକା ମୁହାଁମୁହିଁ

0

କରାଚି/ୱାଶିଂଟନ : ପାକିସ୍ତାନର ଇମ୍ରାନ ଖାନଙ୍କ ନୂଆ ସରକାର ଏବଂ ଆମେରିକାର ଟ୍ରମ୍ପ ପ୍ରଶାସନ ମଧ୍ୟରେ ପ୍ରଥମ ବିବାଦ ସାର୍ବଜନୀନ ହୋଇଛି। ଇମ୍ରାନ ଖାନଙ୍କୁ ଆମେରିକା ବିଦେଶ ମନ୍ତ୍ରୀ ମାଇକ୍‍ ପୋମ୍ପେଓଙ୍କ ଏକ ଫୋନ୍‍ କଲକୁ ନେଇ ଏହି ବିବାଦ ଆରମ୍ଭ ହୋଇଛି। ଏହାକୁ ନେଇ ଦୁଇ ଦେଶ ମୁହାଁମୁହିଁ ହୋଇଛନ୍ତି। ଇମ୍ରାନ ଖାନଙ୍କୁ ଫୋନ୍‍ କଲ ପରେ ଆମେରିକା ପକ୍ଷରୁ ଜାରି ବିବୃତିକୁ ପାକିସ୍ତାନ ତଥ୍ୟାତ୍ମକ ଭୁଲ ଦର୍ଶାଇ ସଂଶୋଧନ ପାଇଁ ଦାବି କରିଛି। ସେପଟେ ଆମେରିକା ବିଦେଶ ବିଭାଗ ନିଜ ବିବୃତି ଉପରେ କାଏମ ରହିଛି। ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆମେରିକା ବିଦେଶ ମନ୍ତ୍ରୀ ମାଇକ୍‍ ପୋମ୍ପେଓଙ୍କ ପାକିସ୍ତାନ ଗସ୍ତ କାର୍ଯ୍ୟକ୍ରମ ରହିଛି। ମାତ୍ର ତାର ଠିକ୍‍ ଦୁଇ ସପ୍ତାହ ପୂର୍ବରୁ ଏହି ବିବାଦ ମୁଣ୍ଡ ଟେକିଛି।

କିଛି ଦିନ ତଳେ ପୋମ୍ପେଓ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଫୋନ୍‍ କଲ କରି ଅଭିନନ୍ଦନ ଜଣାଇଥିଲେ। ଏହାସହ ପାକିସ୍ତାନରେ ସକ୍ରିୟ ସମସ୍ତ ଆତଙ୍କବାଦୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଇମ୍ରାନଙ୍କୁ କହିଥିଲେ। ଉଲ୍ଲେଖ ଯେ ଆମେରିକା ଅଧିକାରୀମାନେ ନିୟମିତ ଭାବେ ପାକିସ୍ତାନର ଛତ୍ରଛାୟା ତଳେ ରହି କାର୍ଯ୍ୟ କରୁଥିବା ତାଲିବାନ ଏବଂ ଅନ୍ୟ ଆତଙ୍କବାଦୀ ସଂଗଠନ ପ୍ରସଙ୍ଗ ଉଠାଇ ଆସୁଛନ୍ତି। ପାକିସ୍ତାନ ଭୂମିକୁ ବ୍ୟବହାର କରି ଆତଙ୍କବାଦୀମାନେ ଆମେରିକା ଏବଂ ଆଫଗାନିସ୍ତାନ ସୈନ୍ୟଙ୍କ ଉପରେ ଆକ୍ରମଣ କରୁଛନ୍ତି ବୋଲି ଆମେରିକା ଅଭିଯୋଗ କରି ଆସୁଛି। ହେଲେ ପାକିସ୍ତାନ ସର୍ବଦା ଆମେରିକାର ଅଭିଯୋଗକୁ ଖଣ୍ଡନ ଓ ଭିତ୍ତିହନୀ କହି ଆସୁଛି। ତେବେ ପାକିସ୍ତାନ ବିଦେଶ ମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି ଯେ ପୋମ୍ପେଓ ଏବଂ ଇମ୍ରାନଙ୍କ ଫୋନ୍‍ କଥାବାର୍ତ୍ତା ମଧ୍ୟରେ ଆତଙ୍କବାଦୀ ପ୍ରସଙ୍ଗ ଉଠିନଥିଲା। ଆମେରିକା ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତି ତଥ୍ୟାତ୍ମକ ଦୃଷ୍ଟିରୁ ଭୁଲ ଅଟେ। ତେଣୁ ଆମେରିକା ତୁରନ୍ତ ଏହାକୁ ସଂଶୋଧନ କରୁ। ଅନ୍ୟପକ୍ଷରେ ଆମେରିକା ବିଦେଶ ବିଭାଗ ପ୍ରବକ୍ତା ହିଥର ନାର୍ଟ କହିଛନ୍ତି ଯେ ଆମେ ବିବୃତିରେ କାଏମ ରହୁଛି। ସଂଶୋନର ଆବଶ୍ୟକତା ନାହିଁ।
ଉଲ୍ଲେଖଯୋଗ୍ୟ ଯେ ଆସନ୍ତା ମାସ ସେପ୍ଟେମ୍ବର ୫ରେ ପୋମ୍ପେଓ ପାକିସ୍ତାନ ଗସ୍ତରେ ଆସିବେ। ଇମ୍ରାନ ଖାନଙ୍କ ଶପଥ ଗ୍ରହଣ ପରେ ସେ ପାକିସ୍ତାନର ପ୍ରଥମ ବିଦେଶ ଅତିଥି ହେବେ। ପାକିସ୍ତାନ ନିର୍ବାଚନ ପୂର୍ବରୁ ଇମ୍ରାନ ଖାନ ଆଫଗାନିସ୍ତାନରେ ଆମେରିକାର ସାମରିକ ନୀତିକୁ ଦୃଢ ସମାଲୋଚନା କରୁଥିଲେ। କିନ୍ତୁ ନିର୍ବାଚନ ଜିତିବା ପରେ ଇମ୍ରାନ ଆମେରିକା ସହ ଦ୍ୱିପାକ୍ଷିକ ସମ୍ପର୍କ ସୁଧାରିବାକୁ ଚାହୁଁଥିବା କହିଥିଲେ।

Leave A Reply