ଡରିଲାଣି ପାକିସ୍ତାନ; ଶାନ୍ତି ପାଇଁ ଗୋଟିଏ ସୁଯୋଗ ଦେବାକୁ ମୋଦୀଙ୍କୁ ଇମ୍ରାନଙ୍କ ନିବେଦନ

0

ନୂଆଦିଲ୍ଲୀ:  ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଉପରେ ପ୍ରତିଶୋଧ ନେବା ଲାଗି ଭାରତ କଠୋର ପଦକ୍ଷେପ ନେଇଛି। ପାଣି ବନ୍ଦ କରିବା ନିଷ୍ପତ୍ତିଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନକୁ ଏକଘରିକିଆ କରିବାକୁ ଭାରତ ଉଦ୍ୟମ କରିଛି। ଏହାବ୍ୟତୀତ ସୀମାରେ ଅନୁପ୍ରବେଶକାରୀ ତଥା ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ପାକିସ୍ତାନୀ ସେନା ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଭାରତୀୟ ସେନା ପକ୍ଷରୁ ଯୋଜନା କରାଯାଉଛି। ଭାରତର ଏପରି ପଦକ୍ଷେପଗୁଡ଼ିକୁ ଦେଖି ପାକିସ୍ତାନ ଭୟ କରିବା ଆରମ୍ଭ କରିଛି। ଉଭୟ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ ଲାଗି ଗୋଟିଏ ସୁଯୋଗ ଦେବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରିଛନ୍ତି।

ଇମ୍ରାନ ଆହୁରି କହିଛନ୍ତି ଯେ, ପୁଲୱାମା ଆକ୍ରମଣ ଘଟଣାରେ ନୂଆଦିଲ୍ଲୀ ଯଦି ଆମକୁ କାର୍ଯ୍ୟାନୁଷ୍ଠାନ ନେବା ଭଳି କୌଣସି ତଥ୍ୟ ପ୍ରଦାନ କରିବ ତା’ହେଲେ ଆମେତ ତତ୍କାଳ ପଦକ୍ଷେପ ନେବୁ। ରାଜସ୍ଥାନରେ ଏକ ରାଲିରେ ମୋଦୀ ଯୋଗଦେଇ କହିଥିଲେ ସାରା ବିଶ୍ଵ ଆତଙ୍କବାଦ ବିରୋଧରେ ମତ ଦେଉଛି, ପୁଲୱାମା ଆକ୍ରମଣକୁ ଭାରତ ବରଦାସ୍ତ କରିବ ନାହିଁ। ଆତଙ୍କବାଦକୁ କିପରି ଶେଷ କରାଯିବ ତାହା ଆମକୁ ଭଲ ଭାବେ ଜଣା। ମୋଦୀଙ୍କ ଏହି ବୟାନର ଦିନକ ପରେ ଇମ୍ରାନ ଉପରୋକ୍ତ କଥା କହିଛନ୍ତି। ଇମ୍ରାନଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ଏକ ବାର୍ତ୍ତାରେ ଏହା କୁହାଯାଇଛି। ଇମ୍ରାନ ଗରିବୀ ଏବଂ ଅଶିକ୍ଷା ବିରୋଧରେ ଲଢ଼ିବାକୁ ପ୍ରଧାନମନ୍ତ୍ରୀ ହୋଇଥିବା ଉଲ୍ଲେଖ କରିଛନ୍ତି। ସେ ତାଙ୍କ ପ୍ରତିଶୃତି ନିଶ୍ଚୟ ପୂରଣ କରିବେ। ଶାନ୍ତି ପ୍ରତିଷ୍ଠା ଲାଗି ମୋଦୀ ତାଙ୍କୁ ଏକ ସୁଯୋଗ ଦେବା ଉଚିତ ବୋଲି ସେ ଉକ୍ତ ବାର୍ତ୍ତାରେ ଦର୍ଶାଇଛନ୍ତି।

Leave A Reply