ଭାରତରୁ ଆସିବାକୁ ଥିବା ମୁସଲିମ ଶରଣାର୍ଥୀଙ୍କୁ ଜାଗା ଦେବୁ ନାହିଁ: ଇମ୍ରାନ

ଜେନିଭା: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅନ୍ତର୍ଜାତୀୟ ସ୍ତରରେ ବାରମ୍ବାର କାଶ୍ମୀର ପ୍ରସଙ୍ଗ ଉଠାଇ ନିଜ ପାଇଁ ସମର୍ଥନ ଯୋଗାଡ଼ କରିବାକୁ ପ୍ରୟାସ କରିଆସୁଛନ୍ତି। କିନ୍ତୁ ବର୍ତ୍ତମାନ ସେ ଭାରତରେ ଲାଗୁ ହୋଇଥିବା ନାଗରିକତା ଆଇନକୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିବାରେ ଲାଗିଛନ୍ତି। ନାଗରିକତା ଆଇନ ଲାଗୁ ହେବା ପରେ ଭାରତରୁ ଆସିଥିବା ଥିବା ମୁସଲମାନ ଶରଣାର୍ଥୀମାନଙ୍କୁ ପାକିସ୍ତାନରେ ଜାଗା ଦିଆଯିବ ନାହିଁ ବୋଲି ସେ କହିଛନ୍ତି। ସ୍ବିଜରଲାଣ୍ଡର ଜେନିଭାରେ ଆୟୋଜିତ ଗ୍ଲୋବାଲ ଫୋରମ ଅଫ ରିଫ୍ୟୁଜିରେ ଯୋଗଦେଇ ଇମ୍ରାନ କହିଛନ୍ତି, ଭାରତରେ ଏହି ଆଇନ ଲାଗୁ ହେବା ଫଳରେ ଲକ୍ଷ ଲକ୍ଷ ମୁସଲମାନଙ୍କୁ ଭାରତ ଛାଡ଼ିବାକୁ ପଡ଼ିବ ଏବଂ ଏହା ସେହି ଶରଣାର୍ଥୀମାନଙ୍କ ପାଇଁ ସମସ୍ୟା ହେବ, ଯାହା ଆଗରେ ବିଶ୍ଵର ସବୁ ସମସ୍ୟା ଛୋଟ ହୋଇଯିବ। ସେ ଆହୁରି କହିଛନ୍ତି ଯେ, ଏହି ଶରଣାର୍ଥୀ ସଙ୍କଟ ପାଇଁ ଦକ୍ଷିଣ ଏସିଆର ଦୁଇ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ବିବାଦ ସୃଷ୍ଟି ହୋଇପାରେ। ଇମ୍ରାନ କହିଛନ୍ତି, ବିବାଦୀୟ କାଶ୍ମୀରରେ ଭାରତ ଦ୍ବାରା ଲଗାଯାଇଥିବା କର୍ଫ୍ୟୁକୁ ଦୃଷ୍ଟିରେ ରଖି ଭାରତରୁ ଆସିବାକୁ ଥିବା ଅଧିକ ଶରଣାର୍ଥୀଙ୍କୁ ପାକିସ୍ତାନ ସ୍ଥାନ ଦେବନାହିଁ।

Comments are closed.