ଇମ୍ରାନ ଖାଁ ଜଣେ ମିଥ୍ୟାବାଦୀ ଓ ଅସାଧୁ ବ୍ୟକ୍ତି- ଶାହବାଜ ଶରିଫ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଜଣେ ମିଥ୍ୟାବାଦୀ ଓ ଅସାଧୁ ବ୍ୟକ୍ତି ବୋଲି ଆକ୍ଷେପ କରି କହିଛନ୍ତି ପାକିସ୍ତାନର ବିରୋଧୀ ଦଳ ନେତା ଶାହବାଜ ଶରିଫ । ସୂଚନାଯୋଗ୍ୟ ଯେ ପାକିସ୍ତାନର ସାମ୍ପ୍ରତିକ ରାଜନୈତିକ, ସାମାଜିକ ଓ ଆର୍ଥିକ ପରିସ୍ଥିତି ପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ନିଜ ଦଳର ନେତାମାନଙ୍କ ଦ୍ୱାରା ମଧ୍ୟ କଡା ସମାଲୋଚନାର ଶିକାର ହେଉଛନ୍ତି । ଏଭଳି ପରିସ୍ଥିତିରେ ତାଙ୍କ ବିରୋଧୀ ଦଳଗୁଡିକ ତାଙ୍କୁ ଅପମାନିତ କରିବା ଭଳି ମନ୍ତବ୍ୟ ଦେବା ଏବଂ ତାଙ୍କ ବିରୁଦ୍ଧରେ ଆଇନଗତ ପଦକ୍ଷେପ ଗ୍ରହଣ କରିବାକୁ ଧମକ ଦେବାପରେ ଇମ୍ରାନଙ୍କ ଉପରେ ଚାପ ବହୁଗୁଣ ବୃଦ୍ଧିପାଇଛି । ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ବିରୋଧୀ ଦଳ ନେତା ଶାହବାଜ ଶରିଫ ଶୁକ୍ରବାର ଦିନ ଇମ୍ରାନଙ୍କ ପ୍ରତି ନାନା ଅପମାନସୂଚକ ମନ୍ତବ୍ୟ ଦେଇଛନ୍ତି । ଇମ୍ରାନ ଖାଁଙ୍କ ରାଜନୈତିକ ଦଳ ତେହରିକ ଇ ଇନସାଫ କୋଟି କୋଟି ଟଙ୍କାର ପାଣ୍ଠି ଆତ୍ମସାତ କରିଥିବା ନେଇ ଦେଶର ନିର୍ବାଚନ କମିଶନଙ୍କର ତଦନ୍ତକାରୀ କମିଟି ଏକ ରିପୋର୍ଟ ଦେବାପରେ ପାକିସ୍ତାନର ବିରୋଧୀ ଦଳଗୁଡିକ ଦେଶବ୍ୟାପୀ ବିକ୍ଷୋଭ ସମାବେଶ ଆରମ୍ଭ କରିଦେଇଛନ୍ତି । ବିରୋଧୀ ଦଳ ପାକିସ୍ତାନ ମୁସଲିମ ଲିଗର ସଭାପତି ଶାହବାଜ ଶରିଫ କହିଛନ୍ତି, ଜଣେ ଚୋର କେବେହେଲେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ । ପାକିସ୍ତାନର ସମ୍ବିଧାନ ଅନୁଯାୟୀ ଏଭଳି ବ୍ୟକ୍ତି ପ୍ରଧାନମନ୍ତ୍ରୀ ପଦରେ ବସିପାରିବେ ନାହିଁ । ସେଥିପାଇଁ ଇମ୍ରାନ ତୁରନ୍ତ ଇସ୍ତଫା ଦେବାର ଆବଶ୍ୟକତା ରହିଛି ।

Comments are closed.