ଟିକାର ରୋଗ ପ୍ରତିରୋଧକ ଶକ୍ତି : ୮୦% ଶରୀରରେ ପ୍ରଭାବୀ

ଭୁବନେଶ୍ବର : ରାଜ୍ୟରେ କରୋନା ଦ୍ବିତୀୟ ଲହର ନିୟନ୍ତ୍ରଣକୁ ଆସିଛି। ମହାମାରୀକୁ ପ୍ରତିହତ କରିବାକୁ ହେଲେ ଟିକାକରଣ ଉପରେ ଗୁରୁତ୍ବ ଦିଆଯାଉଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଟିକାକରଣକୁ ଜୋରଦାର କରାଯାଇ ଥିବାରୁ କରୋନା କୋପ ଆସ୍ତେ ଆସ୍ତେ ହ୍ରାସ ପାଉଛି। ତଥାପି କରୋନା ପାଖରୁ ଯାଇନାହିଁ। ରାଜ୍ୟରେ ପ୍ରାୟ ୭୦ରୁ ୮୦ ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ଟିକା କାମ କରୁଥିବା ବେଳେ ପ୍ରାୟ ୨୦ରୁ ୨୨ ପ୍ରତିଶତଙ୍କ କ୍ଷେତ୍ରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିପାରୁ ନଥିବା ଜେନମ ସି‌େ‌କ୍ବନ୍ସି ବିଶ୍ଳେଷଣରୁ ଜଣାପଡିଥିବା ଭୁବନେଶ୍ବରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏସ୍‌) ନିର୍ଦେଶକ ଡ. ଅଜୟ ପରିଡ଼ା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ, ଦୁଇଟି ମାତ୍ରା ଟିକା ନେବା ପରେ ତୃତୀୟ କି ବୁଷ୍ଟର ମାତ୍ର ଦିଆଯିବ ଯିବା ସେନେଇ ଅନୁଧ୍ୟାନ ଚାଲିଛି। ସମାନ କି ଅନ୍ୟ କେଉଁ ସଂସ୍ଥାର ଟିକା ଦିଆଯିବ ସେ ସଂକ୍ରାନ୍ତରେ ବିଶ୍ଳେଷଣ କରାଯାଉଛି। ଅଦ୍ୟାବଧି ଏ ସମ୍ବନ୍ଧରେ କିଛି ନିଷ୍ପତ୍ତି ନିଆଯାଇ ନାହିଁ। ଆଶା କରାଯାଉଛି ଆଗକୁ ଏହା ଉପରେ ସ୍ପଷ୍ଟ ହୋଇଯିବ। ପାର୍ବଣରେ ଲୋକ ସମାଗମ ହେଲେ ପୁଣି ଥରେ ସଂକ୍ରମଣ ବଢ଼ିବ। କେରଳର ଓନମ ପର୍ବ ଏହାର ଏକ ଉଦାହରଣ। ସେଠାକାର ଲୋକ କଟକଣା ପାଳନ ନକରି ପାର୍ବଣ ପାଳନ କରିବା ଦ୍ବାରା ସଂକ୍ରମଣ ବଢ଼ି ଚାଲିଛି। ଗଣେଶ ପୂଜାଠାରୁ କାଳୀପୂଜା ଯାଏ ସମସ୍ତଙ୍କୁ ସତର୍କ ହୋଇ ଚଳିବାକୁ ପଡିବ। ଦେଶର ଅନ୍ୟାନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶା ପରିସ୍ଥିତି ଏବେ ବହୁତ ଭଲ ରହିଛି। ରାଜ୍ୟରେ କରୋନା ଯୁକ୍ତାତ୍ମକ ସଂଖ୍ୟା ୬୦୦ ଭିତରେ ବାହାରୁଛନ୍ତି। ବର୍ତ୍ତମାନ ପରିସ୍ଥିତିକୁ ଦେଖିଲେ ଦେଶରେ କେରଳ ଏବଂ ଉତ୍ତର ପୂର୍ବ ଭାରତରୁ ୮୦ ପ୍ରତିଶତ ମାମଲା ଚିହ୍ନଟ ହେଉଛନ୍ତି। ମହାରାଷ୍ଟ୍ରରେ ମଧ୍ୟ ସାମାନ୍ୟ ସଂକ୍ରମଣ ବଢ଼ିଛି। ରାଜ୍ୟରେ ଟିକାକରଣକୁ ଜୋରଦାର କରାଯାଉଥିଲେ ମଧ୍ୟ ସମ୍ଭାବ୍ୟ ତୃତୀୟ ଲହରକୁ ଆଖି ଆଗରେ ରଖି ୧୮ବର୍ଷରୁ କମ ପିଲାଙ୍କ ପାଇଁ ଅଧିକ ସତର୍କ ରହିବାକୁ ପଡ଼ିବ। ତାଲାବନ୍ଦ ଓ ସପ୍ତାହାନ୍ତ ବନ୍ଦ ଖୋଲିବା ପରେ ଭୁବନେଶ୍ୱର ଗହଳି ଜମୁଛି। ବହୁ ସଂଖ୍ୟକ ଲୋକ ଯାତାୟାତ କରୁଛନ୍ତି। ସେଥିପାଇଁ ସହରରେ ଯୁକ୍ତାତ୍ମକ ହାର ଟିକିଏ ଅଧିକ ରହୁଛି। ଶୀର୍ଷ ଛୁଇଁବା ସମୟରେ ପାଖାପାଖି ୨ ହଜାର ସଂକ୍ରମିତ ବାହାରୁ ଥିଲେ। ଏବେ ଦୈନିକ ସଂକ୍ରମଣ ୨୦୦ ତଳକୁ ଖସି ଆସିଲାଣି। ଆଉ ୧୦ରୁ ୧୫ ଦିନ ମଧ୍ୟରେ ଭୁବନେଶ୍ୱରରେ ସଂକ୍ରମଣ ଆହୁରି କମି ଆସିବାର ସମ୍ଭାବନା ରହୁଛି।
ରାଜ୍ୟରେ ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ଘାତକ ହୋଇଛି। ଏହାର କାରଣ ହେଲା ଡେଲଟା ଭୂତାଣୁ। ଜିନମ ସି‌େ‌କ୍ବନ୍ସି ଏହି ତଥ୍ୟ ଜଣାପଡିଛି। ଜୀବ ବିଜ୍ଞାନ ପ୍ରତିଷ୍ଠାନ ତଥ୍ୟ କହୁଛି, ଅଗଷ୍ଟରୁ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ରାଜ୍ୟରୁ ୬୦୦ ନମୁନା ସଂଗ୍ରହ କରାଯାଇ ଜିନମ ସି‌େ‌କ୍ବନ୍ସି କରାଯାଇଥିଲା। ୬୦୦ରୁ ୪୨୫ ଡେଲଟା ଭୂତାଣୁ ଚିହ୍ନଟ ହୋଇଥିଲା। ଜାନୁଆରୀରୁ ସେପ୍ଟେମ୍ବର ପ୍ରଥମ ସପ୍ତାହ ଭିତରେ ୬ ହଜାର ନମୁନା ସଂଗ୍ରହ କରାଯାଇ ଜିନମ ସି‌େ‌କ୍ବନ୍ସି କରାଯାଇଥିଲା। ୭୦ ପ୍ରତିଶତରୁ ଅଧିକ ଡେଲଟା ଭୂତାଣୁ ଚିହ୍ନଟ ହୋଇଥିଲା। ହେଲେ ଜିନମ ସି‌େ‌କ୍ବନ୍ସିରେ କରୋନା ଭୂତାଣୁ ନୂଆ ବଦଳାଇଥିବା ଉପରେ ଜଣାପଡି ନାହିଁ।

Comments are closed.