ବିମୁଦ୍ରୀକରଣର ପ୍ରଭାବ

0
-: ଅରୁଣ ଜେଟ୍‍ଲୀ

ଆଜି ଆମେ ବିମୁଦ୍ରୀକରଣର ଦୁଇ ବର୍ଷ ପୂରଣ କରୁଛୁ। ଅର୍ଥବ୍ୟବସ୍ଥାକୁ ଔପଚାରିକ କରିବା ଦିଗରେ କେନ୍ଦ୍ର ସରକାର ନେଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଶୃଙ୍ଖଳା ମଧ୍ୟରୁ ବିମୁଦ୍ରୀକରଣ ଏକ ପ୍ରମୁଖ ପଦକ୍ଷେପ।

ସରକାର ପ୍ରଥମେ ଭାରତ ବାହାରେ ଥିବା କଳାଧନକୁ ଟାର୍ଗେଟ କରିଥିଲେ। ଜୋରିମାନା ଟିକସ ପଇଠ କରି ଏହି ସବୁ ସମ୍ପତିକୁ ଦେଶ ଭିତରକୁ ଆଣିବା ଲାଗି ସମ୍ପତି ଧାରକମାନଙ୍କୁ କୁହାଯାଇଥିଲା। ଯେଉଁମାନେ ଏହା କରିବାରେ ବିଫଳ ହୋଇଛନ୍ତି ସେମାନଙ୍କୁ କଳାଧନ ଆଇନ ଅଧୀନରେ ଦଣ୍ଡିତ କରାଯାଇଛି। ବିଦେଶରେ ଥିବା ଜମା ଏବଂ ସମ୍ପତିର ବିବରଣୀ ଯାହା ସରକାରଙ୍କୁ ମିଳିଲା, ସେସବୁର ଉଲ୍ଲଙ୍ଘନକାରୀମାନଙ୍କୁ ଦଣ୍ଡିତ କରାଗଲା।

ରିଟର୍ଣ୍ଣ ଦାଖଲ କରିବା ଏବଂ ଟିକସ ଆଧାରକୁ ସମ୍ପ୍ରସାରଣ କରିବାର ସୁବିଧା ପ୍ରଦାନ ଲାଗି ଉଭୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଟିକସ କ୍ଷେତ୍ରରେ ପ୍ରଯୁକ୍ତିର ଉପଯୋଗ କରାଗଲା।

ଆର୍ଥିକ ଅନ୍ତର୍ଭୂକ୍ତୀକରଣ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଯାହା ଦ୍ୱାରା ସମାଜର ଦୁର୍ବଳ ବର୍ଗର ଲୋକମାନେ ମଧ୍ୟ ଔପଚାରିକ ଅର୍ଥବ୍ୟବସ୍ଥାର ଅଂଶବିଶେଷ ହୋଇପାରିଲେ। ଜନଧନ ଜମାଖାତା ଦ୍ୱାରା ବହୁସଂଖ୍ୟକ ଲୋକ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହ ଯୋଡ଼ି ହୋଇପାରିଲେ। ଆଧାର ଆଇନ ଦ୍ୱାରା ସରକାରଙ୍କ ସହାୟତା ବ୍ୟବସ୍ଥା ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଜରିଆରେ ସିଧାସଳଖ ହିତାଧିକାରୀମାନଙ୍କ ଜମାଖାତାକୁ ପହଁଚିଗଲା। ପରୋକ୍ଷ ଟିକସ କ୍ଷେତ୍ରରେ, ଜିଏସଟି ଦ୍ୱାରା ଟିକସ ପ୍ରକ୍ରିୟା ଆହୁରି ସରଳ ହୋଇପାରିଲା। ବର୍ତମାନ ଟିକସ ବ୍ୟବସ୍ଥାକୁ ଫାଙ୍କିବା ଦିନକୁ ଦିନ ଅଧିକ କଷ୍ଟକର ହୋଇପଡ଼ୁଛି।

ନଗଦର ଭୂମିକା

ଭାରତ ଏକଦା ନଗଦ ଆଧିପତ୍ୟ ଅର୍ଥବ୍ୟବସ୍ଥା ଥିଲା। ନଗଦ ଦ୍ୱାରା ସନ୍ଦେହଜନକ କାରବାର ହେଉଥିଲା। ଏହା ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଏଡ଼ାଇବା ସହିତ ଅଧିଗ୍ରହିତାଙ୍କୁ ଟିକସ ଫାଙ୍କିବାର ସୁଯୋଗ ଦେଉଥିଲା। ବିମୁଦ୍ରୀକରଣ ଦ୍ୱାରା ନଗଦଧାରୀମାନେ ବ୍ୟାଙ୍କରେ ଟଙ୍କା ଜମା କରିବା ଲାଗି ବାଧ୍ୟ ହେଲେ। ବିପୁଳ ପରିମାଣର ଟଙ୍କା ଜମା ହେଲା ଏବଂ ଜମାକାରୀଙ୍କ ପରିଚୟ ମିଳିଲା। ୧୭.୪୨ ଲକ୍ଷ ଖାତାଧାରୀଙ୍କ କାରବାର ସନ୍ଦେହଜନକ ମନେ ହେବାରୁ ସେମାନଙ୍କ ଠାରୁ ଅନଲାଇନରେ ଜବାବ  ଗ୍ରହଣ କରାଗଲା। ଉଲ୍ଲଙ୍ଘନକାରୀ ଦଣ୍ଡ ଭୋଗିଲେ। ଏହି ଟଙ୍କା ମଧ୍ୟରୁ ଅଧିକାଂଶ ପରବର୍ତୀ ନିବେଶ ଲାଗି ମ୍ୟୁଚୁଆଲ ଫଣ୍ଡରେ ଉପଯୋଗ କରାଗଲା। ଏହା ଔପଚାରିକ ବ୍ୟବସ୍ଥାର ଅଂଶବିଶେଷ ହେଲା।

ବିବାଦାସ୍ପଦ ବିତର୍କ

ବିମୁଦ୍ରୀକରଣକୁ ଏକ ତଥ୍ୟହୀନ ଅଭିଯୋଗ କରାଗଲା ଯେ ବ୍ୟାଙ୍କରେ ସବୁତକ ନଗଦ ଟଙ୍କା ଜମାଖାତାକୁ ଆସିଗଲା। ନଗଦ ଟଙ୍କା ଜବତ କରିବା ବିମୁଦ୍ରୀକରଣର ଲକ୍ଷ୍ୟ ନଥିଲା। ଏହା ପଛରେ ବଡ଼ ଲକ୍ଷ୍ୟଟି ଥିଲା ସବୁ ନଗଦ ଟଙ୍କାକୁ ଔପଚାରିକ ଅର୍ଥବ୍ୟବସ୍ଥା ଅଧୀନକୁ ଆଣିବା ଏବଂ ନଗଦଧାରୀମାନଙ୍କୁ ଟିକସ ଦେବା ଲାଗି ବାଧ୍ୟ କରିବା। ଭାରତକୁ ନଗଦରୁ ଡିଜିଟାଲ କାରବାର ବିଶିଷ୍ଟ ଅର୍ଥବ୍ୟବସ୍ଥାରେ ପରିଣତ କରିବା ଲାଗି ବ୍ୟବସ୍ଥାରେ ଏପରି ବ୍ୟାପକ ପରିବର୍ତନର ଆବଶ୍ୟକତା ରହିଥିଲା। ଉଚ୍ଚ ଟିକସ ରାଜସ୍ୱ ଏବଂ ଏକ ଉଚ୍ଚ ଟିକସ ଆଧାର ଉପରେ ଏହାର ପ୍ରଭାବ ନିଶ୍ଚିତ ଭାବେ ଥିଲା।

 ଡିଜିଟାଇଜେସନର ପ୍ରଭାବ

୨୦୧୬ରେ ଏକକ ପରିଶୋଧ ଆଦାନପ୍ରଦାନ ବ୍ୟବସ୍ଥା (ୟୁପିଆଇ) ଆରମ୍ଭ କରାଗଲା। ଯାହାଦ୍ୱାରା ଦୁଇଟି ମୋବାଇଲ ସେଟ ମଧ୍ୟରେ ବାସ୍ତବ ସମୟରେ ପଇଠ ବ୍ୟବସ୍ଥା କରାଗଲା। ଏହି କାରବାର ଅକ୍ଟୋବର, ୨୦୧୬ରେ ୦.୫ ବିଲିୟନ ଟଙ୍କା ଥିବା ବେଳେ ସେପ୍ଟେମ୍ବର ୨୦୧୮ରେ ୫୯୮ ବିଲିୟନ ଟଙ୍କାରେ ପହଞ୍ଚିଛି। ୟୁପିଆଇର ଉପଯୋଗ କରି ତ୍ୱରିତ ପଇଠ କରିବା ଲାଗି ଏନପିସିଆଇ ଦ୍ୱାରା ଭାରତ ଇଂଟରଫେସ ଫର ମନି (ଭୀମ୍) ଆପ ବିକଶିତ କରାଗଲା। ବର୍ତମାନ ଏହାକୁ ୧.୨୫ କୋଟି ଲୋକ ଉପଯୋଗ କରୁଛନ୍ତି। ଭୀମ୍ କାରବାରର ମୂଲ୍ୟ ସେପ୍ଟେମ୍ବର ୨୦୧୬ରେ ୦.୦୨ ବିଲିୟନ ଟଙ୍କାରୁ ବୃଦ୍ଧି ପାଇ ସେପ୍ଟେମ୍ବର ୨୦୧୮ରେ ୭୦.୬ ବିଲିୟନରେ ପହଞ୍ଚିଛି। ସର୍ବମୋଟ ୟୁପିଆଇ କାରବାର ମଧ୍ୟରୁ ଭୀମ୍ କାରବାର ଭାଗ ୪୮% ପ୍ରତିଶତ।

ପଏଣ୍ଟ ଅଫ ସେଲ (ପିଓଏସ) ଏବଂ ଇ-କମର୍ସ ଉଭୟ ପାଇଁ ରୂପେ କାର୍ଡ ଉପଯୋଗ କରାଯିବା

ସେପ୍ଟେମ୍ବର, ୨୦୧୬ରେ ବିମୁଦ୍ରୀକରଣ ପୂର୍ବରୁ ପିଓଏସରେ ଏହି କାରବାର ୮ ବିଲିୟନ ଟଙ୍କା ଥିବା ବେଳେ ସେପ୍ଟେମ୍ବର ୨୦୧୮ରେ ୫୭.୩ ବିଲିୟନ ଟଙ୍କାରେ ପହଞ୍ଚିଛି  ଏବଂ ଇ-କମର୍ସରେ ଏହି କାରବାର ୩ ବିଲିୟନ ଟଙ୍କାରୁ ବୃଦ୍ଧି ପାଇ ୨୭ ବିଲିୟନ ଟଙ୍କାରେ ପହଞ୍ଚିଛି। ଆଜି ସ୍ୱଦେଶୀ ଭାବେ ବିକଶିତ ରୂପେ ଏବଂ ୟୁପିଆଇ ଭଳି ପରିଶୋଧ ବ୍ୟବସ୍ଥା କାରଣରୁ ଭାରତରେ ଭିସା ଏବଂ ମାଷ୍ଟର କାର୍ଡ ସେମାନଙ୍କ ସ୍ଥିତି ହରାଉଛନ୍ତି। ଡେବିଟ ଏବଂ କ୍ରେଡିଟ କାର୍ଡ ଜରିଆରେ ଭାରତୀୟ କାର୍ଡଗୁଡ଼ିକର ବଜାର ଅଂଶଧନ ୬୫%କୁ ବୃଦ୍ଧି ପାଇଛି।

ପ୍ରତ୍ୟକ୍ଷ ଟିକସ ଉପରେ ପ୍ରଭାବ

ବ୍ୟକ୍ତିଗତ ଆୟକର ସଂଗ୍ରହରେ ବିମୁଦ୍ରୀକରଣରର ପ୍ରଭାବ ଅନୁଭୂତ ହୋଇଥିଲା। ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୨୦୧୮-୧୯ ଆରର୍ଥିକ  ବର୍ଷରେ ଏହି ସଂଗ୍ରହ (୩୧-୧୦-୨୦୧୮ ସୁଦ୍ଧା) ୨୦.୨% ଅଧିକ ଥିଲା। ଏପରିକି କର୍ପୋରେଟ ଟିକସ ସଂଗ୍ରହ ମଧ୍ୟ ପୂର୍ବାପେକ୍ଷା ୧୯.୫% ଅଧିକ ଥିଲା। ବିମୁଦ୍ରୀକରଣ ପୂର୍ବ ଦୁଇ ବର୍ଷରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ଯଥାକ୍ରମେ ୬.୬% ଏବଂ ୯% ବଢ଼ିଥିଲା। ବିମୁଦ୍ରୀକରଣ ପରବର୍ତ୍ତୀ ଦୁଇବର୍ଷରେ ଏହି ବୃଦ୍ଧି ୧୪.୫% (୨୦୧୬-୧୭ରେ ବିମୁଦ୍ରୀକରଣର ପ୍ରଭାବୀ ହେବା ବର୍ଷର ଭାଗ)ଏବଂ ୨୦୧୭-୧୮ ଆର୍ଥିକ ବର୍ଷରେ ୧୮% ରହିଥିଲା। ସେହିପରି ୨୦୧୭-୧୮ରେ ଟିକସ ରିଟର୍ଣ୍ଣ ସଂଖ୍ୟା ୬.୮୬ କୋଟିରେ ପହଞ୍ଚିଥିଲା। ଏହା ବିଗତ ବର୍ଷ ତୁଳନାରେ ୨୫% ଅଧିକ ଥିଲା। ଚଳିତବର୍ଷ, ୩୧-୧୦-୨୦୧୮ ସୁଦ୍ଧା ବର୍ତମାନସୁଦ୍ଧା ୫.୯୯ କୋଟି ରିଟର୍ଣ୍ଣ ଦାଖଲ ହୋଇସାରିଲାଣି ଯାହାକି ଗତ ଆର୍ଥିକ ବର୍ଷ ତୁଳନାରେ ୫୪.୩୩% ଅଧିକ। ଚଳିତ ବର୍ଷ ଅତିରିକ୍ତ ୮୬.୩୫ ଲକ୍ଷ ଟିକସଦାତା ଯୋଡ଼ି ହୋଇଛନ୍ତି।

ମେ ୨୦୧୪ରେ ବର୍ତ୍ତମାନର ସରକାର ଯେତେବେଳେ ନିର୍ବାଚିତ ହେଲେ, ଆୟକର ରିଟର୍ଣ୍ଣ ଦାଖଲ କରୁଥିବା ଦାଖଲକାରୀମାନଙ୍କ ସଂଖ୍ୟା ୩.୮ କୋଟି ଥିଲା। ଏହି ସରକାରଙ୍କର ପ୍ରଥମ ଚାରି ବର୍ଷରେ ଏହା ୬.୮୬ କୋଟିକୁ ବୃଦ୍ଧି ପାଇଛି। ଏହି ସରକାରଙ୍କ ପ୍ରଥମ ପାଂଚ ବର୍ଷ ପୂରଣ ହେବା ବେଳକୁ ଆମେ ଟିକସଦାତାଙ୍କ ସଂଖ୍ୟା ଦ୍ୱିଗୁଣିତ କରିବାର ନିକଟରେ ପହଞ୍ଚିସାରିଥିବୁ।

ପରୋକ୍ଷ ଟିକସ ଉପରେ ପ୍ରଭାବ

ବିମୁଦ୍ରୀକରଣ ଏବଂ ଜିଏସଟିର କାର୍ଯ୍ୟାନ୍ୱୟନ ଦ୍ୱାରା ବ୍ୟାପକ ଭାବେ ନଗଦ କାରବାରକୁ ହ୍ରାସ କରିଛି। ଡିଜିଟାଲ କାରବାରରେ ବୃଦ୍ଧି ଏବେ ପ୍ରତିଫଳିତ ହେଉଛି। ଅର୍ଥବ୍ୟବସ୍ଥାର ଏହି ଔପଚାରିକତା ଫଳରେ ଟିକସଦାତାଙ୍କ ସଂଖ୍ୟାର ଆଧାର ଜିଏସଟି ଲାଗୁ ହେବା ପୂର୍ବରୁ ୬.୪ ମିଲିୟନ ଥିବା ବେଳେ ଜିଏସଟି ଲାଗୁ ହେବା ପରେ ବୃଦ୍ଧି ପାଇ ୧୨ ମିଲିୟନରେ ପହଞ୍ଚିଛି। ଏହା ଅର୍ଥବ୍ୟବସ୍ଥାରେ ପରୋକ୍ଷ ଟିକସ ବୃଦ୍ଧିକୁ ବ୍ୟାପକ କରିପାରିଛି। ଏହା ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଲାଭାନ୍ୱିତ କରିଛି। ଜିଏସଟି ଲାଗୁ ହେବା ପରେ, ପ୍ରତ୍ୟେକ ରାଜ୍ୟର କରାଧାନରେ ବାର୍ଷିକ ୧୪% ବୃଦ୍ଧି ବାଧ୍ୟତାମୂଳକ ହୋଇଯାଇଛି। ବର୍ତ୍ତମାନ ଟିକସଦାତାମାନଙ୍କୁ ସେମାନଙ୍କ ବ୍ୟବସାୟିକ କାରବାରକୁ ଘୋଷଣା କରିବାକୁ ପଡ଼ୁଥିବାରୁ ଏହା କେବଳ ପରୋକ୍ଷ ଟିକସ ହିସାବକୁ ପ୍ରଭାବିତ କରୁନାହିଁ, ବରଂ ଟିକସ ନିର୍ଦ୍ଧାରଣରେ ଏଥିରୁ ଆସିବାକୁ ଥିବା ଆୟକର ପରିମାଣ ମଧ୍ୟ ଉନ୍ମୋଚିତ ହୋଇପାରୁଛି। ୨୦୧୪-୧୫ରେ, ଜିଡିପିକୁ ପରୋକ୍ଷ ଟିକସର ଅନୁପାତ ୪.୪% ଥିଲା। ଜିଏସଟି ପରେ ଏହା ପାଖାପାଖି ୧ ପ୍ରତିଶତ ବୃଦ୍ଧି ପାଇ ୫.୪%ରେ ପହଞ୍ଚିଛି। କ୍ଷୁଦ୍ର ଟିକସଦାତାମାନଙ୍କୁ ୯୭,୦୦୦ କୋଟି ଟଙ୍କାର ଆୟକର ରିହାତି ଏବଂ ଜିଏସଟି ପ୍ରଦାନକାରୀମାନଙ୍କୁ ୮୦, ୦୦୦ କୋଟି ଟଙ୍କାର ରିହାତି ପ୍ରଦାନ କରିବା ସତ୍ୱେ ଟିକସ ସଂଗ୍ରହ ବୃଦ୍ଧି ପାଇଛି। ଟିକସର ଦର, ଉଭୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଟିକସ କ୍ଷେତ୍ରରେ, ହ୍ରାସ କରାଯାଇଛି, କିନ୍ତୁ ଟିକସ ସଂଗ୍ରହ ବୃଦ୍ଧି ପାଇଛି। ଟିକସ ଆଧାର ସମ୍ପ୍ରସାରିତ ହୋଇପାରିଛି। ଜିଏସଟି ପୂର୍ବରୁ ୩୩୪ଟି ଉତ୍ପାଦ ଉପରେ ୩୧% ଟିକସ ଦେବାକୁ ପଡ଼ୁଥିଲା ଏବେ ସେସବୁରେ ଟିକସ ହ୍ରାସ କରାଯାଉଛି।

ସରକାର ଏସବୁ ସମ୍ବଳକୁ ଉନ୍ନତ ଭିତିଭୂମି ନିର୍ମାଣ, ସାମାଜିକ କ୍ଷେତ୍ର ଏବଂ ଗ୍ରାମୀଣ କ୍ଷେତ୍ରରେ ଉପଯୋଗ କରିଛନ୍ତି। ଯାହା ହେଉ ଆମେ ଆଜି ଗାଁକୁ ସଂଯୋଗ କରୁଥିବା ରାସ୍ତା, ପ୍ରତି ଘରକୁ ବିଦ୍ୟୁତ ସଂଯୋଗ, ଗ୍ରାମୀଣ ସ୍ୱଚ୍ଛତା ପ୍ରସାର ୯୨%କୁ ବୃଦ୍ଧି, ଏକ ସଫଳ ଆବାସ ଯୋଜନା, ୮ କୋଟି ଗରିବ ପରିବାରଙ୍କୁ ଗ୍ୟାସ ସଂଯୋଗ ଦେଖିପାରୁଛୁ। ୧୦ କୋଟି ପରିବାରଙ୍କୁ ଆୟୁଷ୍ମାନ ଯୋଜନା ଅଧୀନରେ ସାମିଲ କରାଯାଇଛି, ରିଆତି ଖାଦ୍ୟ ପାଇଁ ୧,୬୨,୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି, କୃଷକମାନଙ୍କ ପାଇଁ ଏମଏସପିରେ ୫୦% ବୃଦ୍ଧି ଏବଂ ଏକ ସଫଳ ବୀମା ଯୋଜନା ପ୍ରଚଳନ କରାଯାଇଛି। ଅର୍ଥବ୍ୟବସ୍ଥାର ଔପଚାରିକତା ଫଳରେ ୧୩ କୋଟି ଉଦ୍ୟୋଗୀମାନଙ୍କୁ ମୁଦ୍ରା ଋଣ ଯୋଗାଣ କରାଯାଇଛି। ମାତ୍ର କିଛି ସପ୍ତାହ ମଧ୍ୟରେ ସପ୍ତମ ବେତନ ଆୟୋଗ ଲାଗୁ କରାଯାଇଛି ଏବଂ ଶେଷରେ ଓଆରଓପି ଲାଗୁ ହୋଇଛି।

ଅଧିକ ଔପଚାରୀକରଣ, ଅଧିକ ରାଜସ୍ୱ, ଲୋକମାନଙ୍କ ପାଇଁ ଅଧିକ ସମ୍ବଳ, ଅଧିକ ଭିତିଭୂମି ଏବଂ ଆମ ନାଗରିକମାନଙ୍କ ପାଇଁ ଏକ ଉନ୍ନତ ମାନର ଜୀବନ।

 କେନ୍ଦ୍ର ଅର୍ଥମନ୍ତ୍ରୀ

Comments
Loading...