ରୋଗ ପ୍ରତିରୋଧକ କ୍ଷମତା ସହ ମାନସିକ ଶାନ୍ତି ପାଇବାର ସରଳ ଉପାୟ

ଆମ ଚାରିପାର୍ଶ୍ବର ସ୍ଥିତି ହିଁ ଅନେକ ସମୟରେ ମାନସିକ ଅସ୍ଥିରତା ବଢ଼ାଇଥାଏ। ସୁସ୍ଥ ଜୀବନଶୈଳୀ ନିମନ୍ତେ କେତୋଟି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ। ଆୟୁର୍ବେଦ ବିଶେଷଜ୍ଞଙ୍କ ମତରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ପ୍ରତ୍ୟହ ଯୋଗାସନ ସହ ସମୟ ଅନୁସାରେ ଭୋଜନ କରିବା ଉଚିତ। ଖାଦ୍ୟପାନୀୟରେ କେ​‌ତୋଟି ଜଡ଼ିବୁଟି ମିଶାଇ ଖାଇଲେ ଶରୀରର ଶକ୍ତି ବଢ଼ିବା ସହ ମାନସିକ ଚାପ ମଧ୍ୟ ଅନେକାଂଶରେ କମ୍ ହୋଇଥାଏ।
– ସର୍ଦି, ଥଣ୍ଡା, କାଶ, ଛିଙ୍କ ହେଉଥିଲେ ଦୈନିକ ସକାଳ ଜଳଖିଆ ଖାଇବା ପୂର୍ବରୁ ୫-୭ଟି ତୁଳସୀ ପତ୍ର ଚୋବାଇ ଖାଆନ୍ତୁ। ପ୍ରତ୍ୟେକ ବୟସର ଲୋକ ତୁଳସୀ ପତ୍ର ଖାଇପାରିବେ ବୋଲି ବିଶେଷଜ୍ଞଙ୍କ ମତ। ଏଥିରେ ଥିବା ପୋଷକତତ୍ତ୍ବ ଆମ ମସ୍ତିଷ୍କ କୋଷିକା ଉପରେ ଉତ୍ତମ ପ୍ରଭାବ ପକାଇଥାଏ।
– ଆଣ୍ଟିଅକ୍ସିଡାଣ୍ଟ ଭରପୂର ରସୁଣରେ ପୋଟାସିୟମ୍, ଭିଟାମିନ୍ ଏ, ଆଇରନ୍, କ୍ୟାଲସିୟମ୍ ଥିବାବେଳେ ନିୟମିତ ଏହା ଖାଇବା ଉଚିତ। ଖାଲିପେଟରେ ରସୁଣ ୪-୫ ପାଖୁଡ଼ା ଖାଇବା ସହ ଡାଲି ଛୁଙ୍କ, ତରକାରି ଛୁଙ୍କରେ ରସୁଣକୁ ବ୍ୟବହାର କରିବା ସ୍ବାସ୍ଥ୍ୟ ପାଇଁ ହିତକାରୀ।
– ଯେ କୌଣସି ବ୍ୟଞ୍ଜନ ପ୍ରସ୍ତୁତ କରିବା ସମୟରେ ଚିମୁଟାଏ ଡାଲଚିନି ଗୁଣ୍ଡ ମିଶାଇ ଦିଅନ୍ତୁ। ତରକାରି ସୁଆଦିଆ ଲାଗିବା ସହ ଏଥିରେ ଥିବା ପୋଷକ ତତ୍ତ୍ବ ଆମ ମାନସିକ ଚାପ ମଧ୍ୟ କମ୍ କରିଥାଏ।
– ଅଦାର ରସ ଆମ ପାଚନ ତନ୍ତ୍ରକୁ ଭଲ କରିବା ସହ ଶରୀରକୁ ଥଣ୍ଡା, ସର୍ଦ୍ଦିରୁ ରକ୍ଷା କରେ। ଲେମ୍ବୁରସରେ ଅଳ୍ପ ଅଦା ରସ ମିଶାଇ ପିଇବା ସ୍ବାସ୍ଥ୍ୟ ପାଇଁ ଭଲ।

Comments are closed.