ନୂଆ ଭାରତ ଗଠନରେ ଷ୍ଟାର୍ଟ-ଅପ୍ ଏବଂ ଉଦ୍ୟୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି

ଇଣ୍ଟରନ୍ୟାଶନାଲ ମ୍ୟାନେଜମେଣ୍ଟ୍ ଇନଷ୍ଟିଚ୍ୟୁଟ ଭୁବନେଶ୍ୱରର ଅଷ୍ଟମ ଦୀକ୍ଷାନ୍ତ ସମାରୋହ

ଭୁବନେଶ୍ବର: ଇଣ୍ଟରନ୍ୟାଶନାଲ ମ୍ୟାନେଜମେଣ୍ଟ୍ ଇନଷ୍ଟିଚ୍ୟୁଟ ଭୁବନେଶ୍ୱର(ଆଇଏମ୍ଆଇ-ବି)ର ଅଷ୍ଟମ ଦୀକ୍ଷାନ୍ତ ସମାରୋହ ୨୦୨୧ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଉପକଣ୍ଠରେ ଥିବା ଶିକ୍ଷାନୁଷ୍ଠାନର ୧୬ ଏକର ପରିମିତ ସବୁଜିମା ଅଞ୍ଚଳରେ ଥିବା କ୍ୟାମ୍ପସ୍‌ରେ ହାଇବ୍ରିଡ୍ ମୋଡରେ ଅନୁଷ୍ଠିତ ହୋଇଛି। ଦୀକ୍ଷାନ୍ତ ସମାରୋହରେ ବେଦାନ୍ତ ରିସୋର୍ସ ଲିମିଟେଡର ପ୍ରତିଷ୍ଠାତା ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ଏହି ଅବସରରେ ଶିକ୍ଷାବିତ୍, ବରିଷ୍ଠ ସରକାରୀ କର୍ମଚାରୀ, କର୍ପୋରେଟ୍ ଜଗତର ବିଶିଷ୍ଟ ବ୍ୟକ୍ତି, ଆଇଏମ୍ଆଇ ଭୁବନେଶ୍ୱର ପ୍ରଶାସନିକ ବୋର୍ଡ ଏବଂ ଆର୍ପି-ସଞ୍ଜିବ୍ ଗୋଏଙ୍କା ଗ୍ରୁପ୍ର ଅଧିକାରୀ ଆଦି ୫୦୦ରୁ ଅଧିକ ଗଣମାଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।
ଆଇଏମ୍ଆଇ ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ରମେଶ ବେହଲ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହିତ ଶିକ୍ଷାନୁଷ୍ଠାନର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। କ୍ୟାମ୍ପସରେ ଦୀକ୍ଷାନ୍ତ ବ୍ୟାଚ୍‌ର ଶିକ୍ଷାର୍ଥୀଙ୍କୁ ଦେଖି ବେଶ୍ ଆନନ୍ଦ ଅନୁଭବ କରିଥିବା ପ୍ରକାଶ କରିଥିଲେ। ସେ ଦୀକ୍ଷାନ୍ତ ବ୍ୟାଚ୍ ଶିକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ, ୨୦୧୭-୨୦୨୦ ବ୍ୟାଚ୍ ଏକ ସ୍ୱତନ୍ତ୍ର ବ୍ୟାଚ୍। ଏଥିରେ ବେଦାନ୍ତ ଲିମିଟେଡ୍, ଝାରସୁଗୁଡ଼ାର ୪୦ ଜଣ କାର୍ଯ୍ୟନିର୍ବାହୀ ପିଜିଡିଏମ୍ ପ୍ରୋଗ୍ରାମ୍‌ରେ ଯୋଗଦେଇଥିଲେ। ଏବେ ସେମାନେ ଦକ୍ଷ ପରିଚାଳକ ଭାବେ କାର୍ଯ୍ୟ କରିବାକୁ ସକ୍ଷମ ହେବେ।
ଏହି ଅବସରରେ ଆଇଏମ୍ଆଇ ପ୍ରଶାସନିକ ବୋର୍ଡର ଅଧ୍ୟକ୍ଷ ସଞ୍ଜିବ୍ ଗୋଏଙ୍କା ଗ୍ରାଜୁଏଟିଂ ଶିକ୍ଷାର୍ଥୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଦୀକ୍ଷାନ୍ତ ଉତ୍ସବରେ ଅଧ୍ୟକ୍ଷତା କରିବା ପାଇଁ ସେ ଅବସରପ୍ରାପ୍ତ ଆଇଏଏସ୍ ସୁନୀଲ ମିତ୍ରାଙ୍କୁ ଅନୁରୋଧ କରିଥିଲେ। ଏହି ଅବସରରେ ଶ୍ରୀ ମିତ୍ରା ମ୍ୟାନେଜମେଣ୍ଟ୍ ଶିକ୍ଷାକୁ ନର୍ସରୀ ସହିତ ତୁଳନା କରିଥିଲେ। ଯେଉଁଠି ଶିକ୍ଷାର୍ଥୀମାନଙ୍କୁ ସମାଜର ବିକାଶ କରିବା ଭଳି ବୃହତ୍ ଲକ୍ଷ୍ୟ ହାସଲ ନିମନ୍ତେ ଆବଶ୍ୟକ ଶିକ୍ଷା ପ୍ରଦାନ କରାଯାଇଥାଏ।

ବେଦାନ୍ତ ରିସୋର୍ସ ଲିମିଟେଡର ପ୍ରତିଷ୍ଠାତା ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଚ୍ଚକୋଟୀର ଦୀକ୍ଷାନ୍ତ ଭାଷଣ ଉପସ୍ଥାପନ କରିଥିଲେ। ଅତି ଭାବଗର୍ଭକ ଭାବେ ସେ ଶିକ୍ଷାର୍ଥୀଙ୍କୁ ନିଜ ପ୍ରେରଣାଦାୟୀ ଅଭିଭାଷଣ ମାଧ୍ୟମରେ ଉତ୍ସାହିତ କରିବାର ଉଦ୍ୟମ କରିଥିଲେ। ସେ କିଭଳି ସ୍ୱପ୍ନକୁ ସତ୍ୟରେ ପରିଣତ କରିବା ପାଇଁ ମୁମ୍ବାଇ ଆସିଥିଲେ ସେ ସମ୍ପର୍କରେ ନିଜର ଅଭିଜ୍ଞତା ପରିପ୍ରକାଶ କରିଥିଲେ। ‘ଆଧୁନିକ ଭାରତର ଆଲୋକ ବର୍ତ୍ତିିକା’ ଭାବେ ସେ ଗ୍ରାଜୁଏଟିଂ ଶିକ୍ଷାର୍ଥୀଙ୍କୁ ଅଭିହିତ କରିଥିଲେ। ସମାଜ ପ୍ରତି ସ୍ୱଚ୍ଛ ମନୋଭାବ ପୋଷଣ କରୁଥିବା କମ୍ପାନୀରେ ଯୋଗଦେବା ଲାଗି ସେ ଶିକ୍ଷାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ। ନୂଆ ଭାରତ ଗଠନରେ ଷ୍ଟାର୍ଟ-ଅପ୍ ଏବଂ ଉଦ୍ୟୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ଷ୍ଟାର୍ଟ-ଅପ୍‌ଗୁଡ଼ିକ ଶିକ୍ଷାର୍ଥୀମାନଙ୍କ ପାଇଁ ନୂତନ ମନ୍ତ୍ର ଭାବେ କାର୍ଯ୍ୟ କରିବ ବୋଲି ପ୍ରକାଶ କରିଥିଲେ। ଷ୍ଟାର୍ଟ-ଅପ୍ରେ ବିପୁଳ ସୁଯୋଗ ରହିଛି। ଏଭଳି ସ୍ଥିତି ସେ ଜୀବନକାଳ ମଧ୍ୟରେ ପୂର୍ବରୁ କେବେ ଦେଖି ନ ଥିବା ସୂଚନା ଦେଇଥିଲେ। ଏଥିରେ ପ୍ରାଇଭେଟ୍ ନିବେଶ, ସରକାରୀ ସହାୟତା ଏବଂ ଅନ୍ୟମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଛି। ଫଳରେ ଜଣେ ଚାକିରି ନ ଖୋଜି ଷ୍ଟାର୍ଟ-ଅପ୍ ଦ୍ୱାରା ଅନ୍ୟମାନଙ୍କୁ ନିଯୁକ୍ତି ଯୋଗାଇ ଦେଇପାରିଥାନ୍ତି। ଏହା ସହିତ ସେ ଶିକ୍ଷାର ଆବଶ୍ୟକତା ସମ୍ପର୍କରେ ବର୍ଣ୍ଣନା କରି ଏକ୍ଷେତ୍ରରେ ଆଇଏମ୍ଆଇ ଭୁବନେଶ୍ୱରକୁ ବହୁବିଧ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ଓଡ଼ିଶା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସହିତ ରହିଥିବା ଦୀର୍ଘଦିନର ନିବିଡ଼ ସମ୍ପର୍କ ବିଷୟରେ ସେ ଆଲୋକପାତ କରିଥିଲେ। ଏହି ଅବସରରେ ସେ ଶିକ୍ଷାର୍ଥୀମାନଙ୍କୁ ନମ୍ର-ସାଧୁତା ଏବଂ ଜିଜ୍ଞାଷାକୁ ଗୁରୁତ୍ୱଦେବାକୁ ପରାମର୍ଶ ଦେଇଥିଲେ। ତାଙ୍କର ଏହି ୩ ମନ୍ତ୍ରକୁ ଉପସ୍ଥିତ ବ୍ୟକ୍ତି ବିଶେଷ ବେଶ୍ ପ୍ରଶଂସା କରିଥିଲେ।
ଏହି ଅବସରରେ ମେଡାଲ ବିଜେତାଙ୍କ ନାମ ଘୋଷଣା କରିଥିଲେ। ପିଜିଡିଏମ୍ ୨୦୧୮-୨୦ ବ୍ୟାଚର ମେଡାଲ ବିଜେତାଙ୍କ ମଧ୍ୟରେ ଶ୍ରୀ ବିଶାଳ ଚୌଧୁରୀଙ୍କୁ ଗୋଲ୍ଡ ମେଡ଼ାଲ, ସୁଶ୍ରୀ ମୈତ୍ରୀ ଜୈନ୍‌ ସିଲଭର ମେଡାଲ, ପ୍ରତୀକ ମହେଶ ରୁପାରେଲଙ୍କୁ ରାମ ପ୍ରସାଦ ଗୋଏଙ୍କା ବେଷ୍ଟ ଷ୍ଟୁଡେଣ୍ଟ୍ ମେଡାଲ, ଶ୍ରୀ ପ୍ରତୀକ ଚାୱଲାଙ୍କୁ ଡାଇରେକ୍ଟରର୍ସ ମେଡାଲ ଫର୍ ଓଭରଅଲ୍ କଣ୍ଟ୍ରିବ୍ୟୁଶନ ଟୁ ଦ ଇନଷ୍ଟିଚ୍ୟୁଟ ସମ୍ମାନ ପ୍ରଦାନ କରାଯାଇଥିଲା।
ସେହିପରି ୨୦୧୭-୨୦ ବ୍ୟାଚ୍‌ରେ ବିବେକ ସାକ୍ସସେନାଙ୍କୁ ଗୋଲ୍ଡ ମେଡାଲ ଏବଂ ସୁଶ୍ରୀ ସରିତା ଶୁଭଦର୍ଶିନୀ ଲାହାଙ୍କୁ ସିଲଭର ମେଡାଲ ପ୍ରଦାନ କରାଯାଇଥିଲା। ଆଇଏମ୍ଆଇ ଭୁବନେଶ୍ୱରର ପ୍ରୋଗ୍ରାମ୍ ଚେୟାର ପର୍ସନ ପ୍ରଫେସର ସୌରଭ ଶର୍ମା ପିଜିଡିଏମ୍ ୨୦୧୭-୨୦ ବ୍ୟାଚ୍ର ୪୦ ଜଣ ଶିକ୍ଷାର୍ଥୀ ଏବଂ ପିଜିଡିଏମ୍ ୨୦୧୮-୨୦ ବ୍ୟାଚ୍ର ୯୮ ଶିକ୍ଷାର୍ଥୀଙ୍କୁ ଡିଗ୍ରୀ ପ୍ରଦାନ କରିଥିଲେ। ସେହିପରି ସୁନୀଲ ମିତ୍ରା ଗ୍ରାଜୁଏଟିଂ ଶିକ୍ଷାର୍ଥୀଙ୍କୁ ଡିଗ୍ରୀ ପ୍ରଦାନ କରିଥିଲେ।
ପ୍ରଫେସର ଶର୍ମା ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ। ଶେଷରେ ସୁନୀଲ ମିତ୍ରା ଦୀକ୍ଷାନ୍ତ ସାମରୋହର ଉଦ୍ୟାପନ ସମ୍ପର୍କରେ ଘୋଷଣା କରିଥିଲେ। ଦୀକ୍ଷାନ୍ତ ସମାରୋହ ୟୁଟ୍ୟୁବ୍ ଏବଂ ଫେସବୁକ୍ରେ ଲାଇଭ୍ ଷ୍ଟ୍ରିମିଂ ହୋଇଥିଲା। ଫଳରେ ଗ୍ରାଜୁଏଟିଂ ଶିକ୍ଷାର୍ଥୀଙ୍କର ଅଭିଭାବକ, ବନ୍ଧୁବାନ୍ଧବ ଏବଂ ଅଂଶୀଦାରମାନେ ଭର୍ଚୁଆଲ ମୋଡ୍‌ରେ ଏହି ସମାରୋହରେ ଯୋଗଦେଇଥିଲେ। ଆଶା କରାଯାଉଛି ଯେ, ପରବର୍ତ୍ତୀ ଦୀକ୍ଷାନ୍ତ ସମାରୋହ ଫିଜିକାଲ ମୋଡ୍‌ରେ ଅନୁଷ୍ଠିତ ହେବ।

Comments are closed.