ଶନିବାର ସନ୍ଧ୍ୟାରୁ ସାମୁଦ୍ରିକ ଝଡ଼ବାତ୍ୟାର ସମ୍ଭାବନା

ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ତତସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଲଘୁଚାପ ବଳୟ ସୃଷ୍ଟି

ନୂଆଦିଲ୍ଲୀ : ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ତତସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଏହି ଲଘୁଚାପ ଘନୀଭୂତ ହୋଇ ମେ’ ୧୬ ସନ୍ଧ୍ୟାରେ ସାମୁଦ୍ରିକ ଝଡ଼ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ।
ଭାରତୀୟ ପାଣିପାଗ ବିଭାଗର ଝଡ଼ବାତ୍ୟା ପୂର୍ବାନୁମାନ ଡ଼ିଭିଜନ ପକ୍ଷରୁ କୁହାଯାଇଛି ଯେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ତତସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଗୁରୁବାର ସକାଳେ ଏକ ଲଘୁଚାପ ବଳୟ କ୍ଷେତ୍ର ସୃଷ୍ଟି ହୋଇଛି ।
ଏହା ଧୀରେ ଧୀରେ ଦକ୍ଷିଣ ବଙ୍ଗୋପ ସାଗରର କେନ୍ଦ୍ରୀୟ ଭାଗ ଉପରେ ଶୁକ୍ରବାର ସୁଦ୍ଧା ଅବପାତର ରୂପ ଧାରଣ କରିବାର ଆଶଙ୍କା ରହିଛି ଯାହାକି ଅଧିକ ଘନୀଭୂତ ହୋଇ ଶନିବାର ସକାଳ ସୁଦ୍ଧା ବଙ୍ଗୋପ ସାଗରର ଦକ୍ଷିଣ- ପଶ୍ଚିମ ଏବଂ ପଶ୍ଚିମ- କେନ୍ଦ୍ରୀୟ କ୍ଷେତ୍ରରେ ସାମୁଦ୍ରିକ ଝଡ଼ବାତ୍ୟାର ରୂପ ନେଇପାରେ । ରବିବାର ପର୍ଯ୍ୟନ୍ତ ଏହା ଉତ୍ତର – ପଶ୍ଚିମ ଦିଗକୁ ପ୍ରାରମ୍ଭିକ ପର୍ୟ୍ୟାୟରେ ଗତି କରିବ ଏବଂ ତାହା ପରେ ତା’ର ଗତିପଥ ବଦଳାଇ ଉତ୍ତର- ଉତ୍ତର ପୂର୍ବ ଦିଗକୁ ମୁହାଇଁବ ।

ଏଭଳି ଅବସ୍ଥା ଦକ୍ଷିଣ ବଙ୍ଗୋପ ସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଉପରେ ୧୬ ମେ’, ୨୦୨୦ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଚଳନ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବ ।

ଏହାର ପ୍ରଭାବରେ ଦକ୍ଷିଣ ଓ କେନ୍ଦ୍ରୀୟ ବଙ୍ଗୋପ ସାଗର ତଥା ଆଣ୍ଡାମାନ ସାଗରରେ ମେ’ ୧୫ ଠାରୁ ଆଗକୁ ପ୍ରତିକୂଳ ପାଗ ସୃଷ୍ଟି କରିପାରେ ।

ଚେତାବନୀ:

(୧) ବର୍ଷା (ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଉପରେ): ଏହାର ପ୍ରଭାବରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଅଧିକାଂଶ ସ୍ଥାନରେ ମେ’ ୧୫ ଓ ୧୬ ତାରିଖରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏହି ଦୁଇଦିନ ଆଣ୍ଡାମାନ ଦ୍ୱୀପର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।
(୨) ପବନ ପ୍ରବାହ ଚେତାବନୀ : ଏହାର ପ୍ରଭାବରେ ଦକ୍ଷିଣ ଏବଂ କେନ୍ଦ୍ରୀୟ ବଙ୍ଗୋପ ସାଗର କ୍ଷେତ୍ର ଉପରେ ମେ’ ୧୫ ତାରିଖ ଦିନ ଘଣ୍ଟାକୁ ୪୫ ରୁ ୫୫ କିଲୋମିଟର ବେଗରେ କୋହଲା ପବନ ପ୍ରବାହିତ ହେଇପାରେ । ୧୬ ତାରିଖ ଦିନ ସେହି କ୍ଷେତ୍ରରେ ଘଣ୍ଟାକୁ ୫୫ରୁ ୬୫ କିଲୋମିଟର ପର୍ଯ୍ୟନ୍ତ ଏବଂ ସ୍ଥଳ ବିଶେଷରେ ଘଣ୍ଟାକୁ ୭୫ କିଲୋମିଟର ପର୍ୟ୍ୟନ୍ତ ପବନ ବହିବ । ମେ’ ୧୬ ତାରିଖ ସନ୍ଧ୍ୟାଠାରୁ ବର୍ଷା ପବନର ମାତ୍ରା ଘଣ୍ଟାକୁ ୬୫ରୁ ୭୫ କିଲୋମିଟରରୁ ଆରମ୍ଭ ହୋଇ ୮୫ କିଲୋମିଟର ପର୍ୟ୍ୟନ୍ତ ହୋଇପାରେ । ମେ’ ୧୫ ଓ ୧୬ ତାରିଖ ଦିନ ଆଣ୍ଡାମାନ ସାଗର ଉପରେ ଏଭଳି ଅବସ୍ଥା ଜାରି ରହିବା ସହ ଘଣ୍ଟାକୁ ୪୫ ରୁ ୫୫ କିଲୋମିଟର ବେଗରେ କୋହଲା ପବନ ପ୍ରବାହିତ ହେବ ।
(୩) ସାମୁଦ୍ରିକ ଚେତାବନୀ: ମେ’ ୧୫ ଓ ୧୬ ତାରିଖ ଅପରାହ୍ଣରୁ ଦକ୍ଷିଣ ଏବଂ କେନ୍ଦ୍ରୀୟ ବଙ୍ଗୋପ ସାଗର କ୍ଷେତ୍ର ଓ ଆଣ୍ଡାମାନ ସାଗର ସମୁଦ୍ର ଅଶାନ୍ତରୁ ଅତି ଅଶାନ୍ତ ରହିବ ଏବଂ ମେ’ ୧୬ ତାରିଖ ସନ୍ଧ୍ୟାରେ ଦକ୍ଷିଣପଶ୍ଚି ଓ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପ ସାଗର କ୍ଷେତ୍ରର ଅତି ଅଶାନ୍ତ ରହିବାର ସମ୍ଭାବନା ରହିଛି ।
(୪) ମତ୍ସ୍ୟଜୀବୀମାନଙ୍କ ପାଇଁ ଚେତାବନୀ: ଏଭଳି ସ୍ଥିତିରେ ମେ’ ୧୫, ୨୦୨୦ରୁ ଦକ୍ଷିଣ ଓ କେନ୍ଦ୍ରୀୟ ବଙ୍ଗୋପ ସାଗରକୁ ମାଛ ଧରି ନଯିବାକୁ ମତ୍ସ୍ୟଜୀବୀ ମାନଙ୍କୁ ସତର୍କ କରି ଦିଆଯାଉଛି । ସେମାନେ ଶୁକ୍ରବାର ସକାଳ ସୁଦ୍ଧା କୂଳକୁ ଫେରି ଆସିବା ସକାଶେ ସେମାନଙ୍କୁ ପରାମର୍ଶ ଦିଆଯାଇଛି। ଏହି ଲଘୁଚାପ ବଳୟ କ୍ଷେତ୍ର ଉପରେ ନିରବଚ୍ଛିନ୍ନ ଭାବେ ଦୃଷ୍ଟି ରଖାଯାଇଛି ଏବଂ ରାଜ୍ୟ ସରକାରମାନଙ୍କୁ ତଦନୁସାରେ ନିୟମିତ ଭାବେ ସୂଚୀତ କରାଯାଉଛି ।
ଏ ସଂପର୍କରେ ଅଧିକ ଓ ସଦ୍ୟତମ ସୂଚନା ପାଇଁ  ୱେବସାଇଟ୍‌  www. rsmcnewdelhi.imd.gov.in ଏବଂ  www.mausam.imd.gov.in ପରିଦର୍ଶନ କରନ୍ତୁ ।

Comments are closed.