୫ ଦିନ ବିଳମ୍ବରେ ପହଞ୍ଚିବ ମୌସୁମୀ, ଜୁନ ୬ରେ କେରଳ ଛୁଇଁବ : ଆଇଏମଡି

ନୂଆଦିଲ୍ଲୀ : ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ପରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‍ଡି) ବୁଧବାର ଚଳିତ ବର୍ଷ ଦକ୍ଷିଣ- ପଶ୍ଚିମ ମୌସୁମୀ ବିଳମ୍ବରେ ପହଞ୍ଚିବା ନେଇ ପୂର୍ବାନୁମାନ କରିଛି। ଆଇଏମଡି ପୂର୍ବାନୁମାନ ଅନୁସାରେ ଚଳିତ ବର୍ଷ ଜୁନ ୬ରେ ମୌସୁମୀ କେରଳ ଛୁଇଁବ। ଅର୍ଥାତ ମୌସୁମୀ ପ୍ରାୟ ୫ ଦିନ ବିଳମ୍ବରେ ପହଞ୍ଚିବ। ମୌସୁମୀ ଆଣ୍ଡାମାନ- ନିକୋବର ଦ୍ୱୀପପୁଞ୍ଜରେ ବି ବିଳମ୍ବରେ ପହଞ୍ଚିବ। ୧୮ରୁ ୧୯ ମେ’ ମଧ୍ୟରେ ମୌସୁମୀ ଆଣ୍ଡାମାନ- ନିକୋବର ଛୁଇଁବ ବୋଲି ଅନୁମାନ କରାଯାଉଛି।
ଭାରତର ଜୀବନ ରେଖା କୁହାଯାଉଥିବା ମୌସୁମୀର ପ୍ରଭାବ ସିଧାସଳଖ ଭାବେ ଭାରତର ଅର୍ଥବ୍ୟବସ୍ଥା ଉପରେ ପଡିଥାଏ। କୃଷକଙ୍କଠାରୁ ନେଇ ସରକାରଙ୍କ ବଜେଟ ଉପରେ ମୌସୁମୀର ପ୍ରଭାବ ଦେଖାଯାଇଥାଏ। ମୌସୁମୀ ଦୁର୍ବଳ ରହିଲେ କୃଷି ଉତ୍ପାଦନ କମ ହେବ ଓ କୃଷକଙ୍କ ଅବସ୍ଥା ଅଧିକ ଖରାପ ହୋଇଯିବ। ଏଥିରୁ ଦରଦାମ ବଢିବ ଓ ଏହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ଚୁଲି ହାଣ୍ଡି ଉପରେ ପଡିବ। ମୌସୁମୀ ବିଳମ୍ବରେ ପହଞ୍ଚିଲେ ବି ଚଳିତ ବର୍ଷ ସ୍ୱାଭାବିକ ବର୍ଷା ହେବ ବୋଲି ଆଶା କରାଯାଉଛି। ସ୍କାଏମେଟ ପୁର୍ବାନୁମାନ ଅନୁସାରେ ଚଳିତ ବର୍ଷ ଦୀର୍ଘ କାଳୀନ ହାର (ଏଲପିଏ) ଅନୁସାରେ ୯୩% (୫% କମ୍‍ କିମ୍ବା ଅଧିକ) ବର୍ଷା ହେବ। ଏହି କ୍ରମରେ ମଧ୍ୟଭାରତରେ ୯୧% ବର୍ଷା, ପୂର୍ବୋତ୍ତରରେ ୯୨%, ଦକ୍ଷିଣ ଭାରତରେ ୯୫% ଏବଂ ପଶ୍ଚିମୋତ୍ତରରେ ୯୬% ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟ, ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼ରେ ମରୁଡ଼ି ହେବାର ଆଶଙ୍କା ରହିଛି।
ସେହିପରି ଦିଲ୍ଲୀ- ଏନସିଆର, ପଞ୍ଜାବ, ପଶ୍ଚିମ ଉତ୍ତରପ୍ରଦେଶ, ଚଣ୍ଡିଗଡ଼ରେ ମୌସୁମୀ ଜନିତ ବର୍ଷା ସ୍ୱାଭାବିକ ରହିବାର ସମ୍ଭାବନା ଅଛି। ଜୁନ ୨୯ରେ ଦିଲ୍ଲୀ-ଏନସିଆରରେ ମୌସୁମୀ ପହଞ୍ଚିବ ବୋଲି ଅନୁମାନ କରାଯାଇଛି।

Comments are closed.