ପାଣିପାଗ ବିଭାଗ ପକ୍ଷରୁ ଫନୀ ପାଇଁ ସତର୍କ ସୂଚନା

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଫନୀ ପାଇଁ ସତର୍କ ସୂଚନା ଜରି କରାଯାଇଛି।

-ଶୁକ୍ରବାର ଅପରାହ୍ନରୁ ଓଡିଶାର ଦକ୍ଷିଣ ଉପକୂଳରେ ପବନର ବେଗ ଘଣ୍ଟାପ୍ରତି ୧୭୦-୧୮୦ କିମିରୁ ଆରମ୍ଭ ହୋଇ ସର୍ବାଧିକ ୨୦୦କିମିରେ ପହଞ୍ଚିଚିବାର ସମ୍ଭାବନା
-ଉପକୂଳ ଓଡିଶା ଓ ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା ଏବଂ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
-ମେ ୨ରୁ ୪ ମଧ୍ୟରେ ଓଡିଶା ଉପକୂଳରେ ସମୁଦ୍ର ପ୍ରବଳ ଅଶାନ୍ତ ରହିବ ଏବଂ ପ୍ରାୟ ୧.୫ ମିଟର ଉଚ୍ଚତାରେ ଜୁଆର ଉଠିବା ସମ୍ଭାବନା
-ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାମାନଙ୍କର ତଳିଆ ଅଞ୍ଚଳକୁ ସମୁଦ୍ର ପାଣି ମାଡି ଆସିବାର ସମ୍ଭାବନା
-ବିଶାଖାପାଟଣା ଓ ମଛଲିପଟନମଠାରେ ଫନୀକୁ ଡପଲର ରାଡ଼ାର ମାଧ୍ୟମରେ ଫନୀକୁ ଟ୍ରାକ କରାଯାଉଛି 

ନୂଆଦିଲ୍ଲୀ : ସାମୁଦ୍ରିକ ଝଡ ଫନୀ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୧୫କିମି ବେଗରେ ପୁନଶ୍ଚ ଉତ୍ତର ଉତ୍ତରପୂର୍ବ ଦିଗରେ ଗତିକରି ଗୁରୁବାର ସକାଳ ୮.୩୦ ସୁଦ୍ଧା ପୁରୀଠାରୁ ୪୨୦ କିମି ଦକ୍ଷିଣ-ଦକ୍ଷିଣପୂର୍ବ, ବିଶାଖାପାଟଣାଠାରୁ ୨୧୦କିମି ଦକ୍ଷିଣ-ଦକ୍ଷିଣପୂର୍ବ ଏବଂ ଦିଘାଠାରୁ ୬୧୦ କିମି
ଦକ୍ଷିଣ-ଦକ୍ଷିଣପୂର୍ବରେ କେନ୍ଦ୍ରିଭୂତ ରହିଛି।

ଏହା ଉତ୍ତର-ଉତ୍ତରପୁର୍ବ ଦିଗରେ ଗତିକରି ମେ ୩ ଅପରାହ୍ନରେ ଗୋପାଳପୁର ଓ ଚାନ୍ଦବାଲି ମଧ୍ୟରେ ପୁରୀ ପାର୍ଶ୍ବ ଦେଇ ଓଡିଶା ଉପକୂଳ ଅତିକ୍ରମ
କରିବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ବୃଦ୍ଧିପାଇ ଘଣ୍ଟା ପ୍ରତି ୧୭୦-୧୮୦କିମି ରହିବ ଏବଂ ସର୍ବାଧିକ ୨୦୦କିଲୋମିଟର ଛୁଇଁବାର ସମ୍ଭାବନା ରହିଛି। ବିଶାଖାପାଟଣା ଓ ମଛଲିପଟନମଠାରେ ଏହି ବାତ୍ୟାକୁ ଡପଲର ପାଣିପାଗ ରାଡାର ସହାୟତାରେ ଟ୍ରାକ କରାଯାଉଛି।
ଏହାର ପ୍ରଭାବରେ ଗୁରୁବାର ଓଡିଶାର ଦକ୍ଷିଣ ଉପକୂଳ ଏବଂ ଏହାର ନିକଟବର୍ତୀ ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଏବଂ କେତେକ ସ୍ଥାନରେ (ଗଞ୍ଜାମ ଓ ଗଜପତି ଜିଲ୍ଲା) ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଶୁକ୍ରବାର ବର୍ଷାର ବେଗ
ବୃଦ୍ଧି ପାଇବ ଏବଂ ଉପକୂଳ ଓଡିଶା ଓ ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା ଏବଂ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଶନିବାର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଏବଂ ଉତର ଓଡିଶାର ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଗୁରୁବାର ରାତିରୁ ଝଡର ପ୍ରଭାବରେ ପବନର ବେଗ ଘଣ୍ଟା ପ୍ରତି ୬୦-୭୦ କିମି ବେଗରେ ଆରମ୍ଭ ହୋଇ କ୍ରମେ ଏହା ସର୍ବାଧିକ ୮୫ କିମିରେ ପହଂଚିବାର ସମ୍ଭାବନା ରହିଛି।

ଶୁକ୍ରବାର ଅପରାହ୍ନରୁ ପରବର୍ତ୍ତୀ ୧୨ ଘଂଟା ଧରି ଓଡିଶାର ଦକ୍ଷିଣ ଉପକୂଳରେ ପବନର ବେଗ ଘଣ୍ଟା ପ୍ରତି ୧୭୦-୧୮୦ କିମିରୁ ଆରମ୍ଭ ହୋଇ ସର୍ବାଧିକ ୨୦୦କିମିରେ ପହଂଚିବାର ସମ୍ଭାବନା ରହିଛି।
ଅନ୍ୟ ଉପକୂଳବର୍ତୀ ଜିଲ୍ଲାମାନଙ୍କରେ ପବନର ବେଗ ଘଂଟାପ୍ରତି ୯୦-୧୦୦କିମି ବେଗରୁ ଆରମ୍ଭ ହୋଇ ସର୍ବାଧିକ ୧୧୫କିମିରେ ପହଂଚିବାର ସମ୍ଭାବନା ରହିଛି।
ମେ ୨ରୁ ୪ ମଧ୍ୟରେ ଓଡିଶା ଉପକୂଳରେ ସମୁଦ୍ର ପ୍ରବଳ ଅଶାନ୍ତ ରହିବ ଏବଂ ପ୍ରାୟ ୧.୫ ମିଟର ଉଚ୍ଚତାରେ ଜୁଆର ଉଠିବ। ଝଡ ସ୍ଥଳଭାଗ ଛୁଇଁବା ସମୟରେ ଜୁଆରର ଉଚ୍ଚତା ବୃଦ୍ଧି ପାଇବ ଏବଂ ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାମାନଙ୍କର ତଳିଆ ଅଂଚଳକୁ ସମୁଦ୍ର ପାଣି ମାଡି ଆସିବାର ସମ୍ଭାବନା ରହିଛି। ମେ ୧ରୁ ୪ ମଧ୍ୟରେ ସମୁଦ୍ର ମଧ୍ୟକୁ ଢ଼ଙ୍ଗା ନେଇ ଯିବା ପାଇଁ ମତ୍ସ୍ୟଜୀବିମାନଙ୍କୁ ବାରଣ କରାଯାଇଛି। ଯେଉଁମାନେ ପୂର୍ବରୁ ସମୁଦ୍ର ମଧ୍ୟକୁ ଯାଇଛନ୍ତି ସେମାନଙ୍କୁ ଯଥାଶୀଘ୍ର ଫେରିଆସିବା ପାଇଁ ସତର୍କ କରାଯାଇଛି।

Comments are closed.