ତେହରିକ ଇ ଲାବାକ ଚାପରେ ମୁଣ୍ଡ ନୁଆଁଇଲେ ଇମ୍ରାନ ସରକାର; ମୁକ୍ତ ହେଲେ ୮୬୦ ଟିଏଲପି ସଦସ୍ୟ

ଲାହୋର: ତେହରିକ ଇ ଲାବାକ ପାକିସ୍ତାନ ମୌଳବାଦୀ ସଂଗଠନର ପ୍ରବଳ ଚାପ ଆଗରେ ହାର ମାନିଛନ୍ତି ପାକିସ୍ତାନର ଇମ୍ରାନ ଖାଁ ସରକାର । ଦେଶବ୍ୟାପୀ ଟିଏଲପିର ଆନ୍ଦୋଳନ ବିକ୍ଷୋଭକୁ ପାକିସ୍ତାନି ରେଞ୍ଜରଙ୍କ ଦ୍ୱାରା ଦମନ କରିବାର ଧମକ ମଧ୍ୟ କାଟୁ କଲାନାହିଁ । ଶେଷରେ ଏହି ସଂଗଠନର ୮୬୦ ଜଣ ସଦସ୍ୟଙ୍କୁ ପାକିସ୍ତାନ ସରକାର ମୁକ୍ତ କରିଛନ୍ତି । ଏହି ସଂଗଠନର ମୁଖ୍ୟ ସାଦ୍‌ ରିଜଭିଙ୍କୁ ମୁକ୍ତ କରିବାକୁ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ହିଂସାତ୍ମକ ଆନ୍ଦୋଳନ ଲାଗିରହିବା ପରେ ରବିବାର ଦିନ ସରକାର ଏବଂ ଟିଏଲପି ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ଶେଷରେ ଏହି ସଂଗଠନର ୮୬୦ ଜଣ ସଦସ୍ୟଙ୍କୁ ମଙ୍ଗଳବାର ମୁକ୍ତ କରିଦିଆଯାଇଛି । ସେମାନଙ୍କୁ ସାଧାରଣରେ ଆଇନ ଶୃଙ୍ଖଳା ବଜାୟ ରଖିବା ଆଇନ (ଏମପିଓ)ର ଧାରା ୩ ବଳରେ ଅଟକ ରଖାଯାଇଥିଲା । ତେବେ ସେମାନଙ୍କ ବିରୁଦ୍ଧରେ କିଛି ମାମଲା ରୁଜ୍ଜୁ କରାଯାଇନାହିଁ ।
ଜଣାଯାଇଛି ଯେ ୨୦୧୫ରେ ଟିଏଲପି ଗଠିତ ହୋଇଥିଲା ଏବଂ ଏହା ସଂଗଠନର ମୁଖ୍ୟ ରିଜଭିଙ୍କୁ ମୁକ୍ତ କରିବା ସହିତ ଫ୍ରାନ୍ସ ରାଷ୍ଟ୍ରଦୂତଙ୍କୁ ଦେଶରୁ ବହିଷ୍କାର କରିବା ଦାବିରେ ଆନ୍ଦୋଳନ ଆରମ୍ଭ କରିଥିଲା । ଗତବର୍ଷ ଫ୍ରାନ୍ସରେ ଧର୍ମୀୟ କାର୍ଟୁନ ପ୍ରକାଶନକୁ ବିରୋଧ କରି ଟିଏଲପି ଫ୍ରାନ୍ସ ସହିତ ସମସ୍ତ ସମ୍ପର୍କ ତୁଟାଇବାକୁ ଅଡି ବସିଥିଲା । ଟିଏଲପିର ପ୍ରତିଷ୍ଠାତା ସ୍ୱର୍ଗତ ଖାଦିମ ରିଜଭିଙ୍କ ପୁଅ ସାଦ୍‌ ରିଜଭିଙ୍କୁ ଗତ ଏପ୍ରିଲରୁ ପାକିସ୍ତାନର ପଞ୍ଜାବ ସରକାର ଏମପିଓ ବଳରେ ଅଟକ ରଖିଛନ୍ତି । ମଙ୍ଗଳବାର ଦିନ ଟିଏଲପିର ୮୬୦ ସଦସ୍ୟ ଛାଡ ପାଇବା ପରେ ମଧ୍ୟ ଏହି ସଂଗଠନ ପକ୍ଷରୁ କୁହାଯାଇଛି ଯେ ଏହାର ଆଉ ଅନେକ ସଦସ୍ୟ ଏବେ ବି ଅଟକ ରହିଛନ୍ତି । ସେମାନଙ୍କୁ ମୁକ୍ତ କରାନଯିବା ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନରୁ ଓହରିବେ ନାହିଁ । ମୋନଙ୍କ ସହିତ ଦଳର ମୁଖ୍ୟ ସାଦ୍‌ ହୁସେନ ରିଜଭିଙ୍କୁ ମୁକ୍ତ କରିବା ଦାବିରେ ସେମାନେ ଅଟଳ ରହିଛନ୍ତି ।

Comments are closed.