ବିନା ଅନୁମତିରେ ଅଫ୍ ଲାଇନ୍ ମଦ ବିକ୍ରି; ଘଣ୍ଟାକରେ ବୋହିନେଲେ ପେଟିପେଟି ମଦ

ଭୁବନେଶ୍ବର: ସରକାର ଯୋଗାଉଥିବା ଟଙ୍କିକିଆ ଚାଉଳ ଦୋକାନ ଆଗରେ ଯେତିକି ଭିଡ଼ ନଥିବ ତା’ଠୁ ବେଶୀ ଭିଡ଼ ଦେଖିବାକୁ ମିଳିଥିଲା ଆଜି ରାଜଧାନୀର ମଦ ଦୋକାନ ଆଗରେ । ସକାଳୁ ସକାଳୁ ମଦ ଦୋକାନ ଆଗରେ ଲମ୍ବା ଧାଡ଼ି । ସରକାର କେବଳ ଅନ୍ ଲାଇନ୍ ମଦ ବିକ୍ରି ନିମନ୍ତେ ଅନୁମତି ଦେଇଛନ୍ତି; ଅଫ୍ ଲାଇନ୍ ବେପାର ଉପରେ କଟକଣା ରହିଛି । ଏହା ସତ୍ତ୍ବେ ସକାଳୁ ସକାଳୁ ଦୋକାନ ଆଗରେ ଲମ୍ବା ଧାଡ଼ି, ଲୋକମାନେ ଟେକିନେଲେ ପେଟିପେଟି ମଦ । ଶେଷରେ ଖବର ପାଇ ପୁଲିସ ପହଞ୍ଚିଥିଲା ଓ ଦୋକାନ ବନ୍ଦ ହୋଇଥିଲା । ଏହା ସତ୍ତ୍ବେ କାଳେ ଦୋକାନ ଖୋଲିବ ସେଥିପାଇଁ ଅପରାହ୍ନ ପର୍ଯ୍ୟନ୍ତ ବିଭିନ୍ନ ମଦ ଦୋକାନ ଆଗରେ ଲୋକଙ୍କ ଢ଼େର ଗହଳି ଦେଖିବାକୁ ମିଳିଥିଲା ।

ରାଜଧାନୀର ସବୁ ଅଞ୍ଚଳରେ ଦେଖିବାକୁ ମିଳିଛି ଏହି ସ୍ଥିତି । ଖରାଦିନେ ଜଳକ୍ଲିଷ୍ଟ ଅଞ୍ଚଳରେ ଟ୍ୟାଙ୍କର ସାମ୍ନାରେ ପାଣି ପାଇଁ ଭିଡ଼ ପରି ଜୟଦେବ ବିହାର ସ୍ବାଇଁ ୱାଇନ୍ ସାମ୍ନା ଭିଡ଼ ଦେଖିବାକୁ ମିଳିଛି । ସେମିତି ବାପୁଜୀ ନଗର, ଷ୍ଟେସନ ରୋଡ଼, ଭିଏସ୍ଏସ୍ ନଗର ସହ ଅନ୍ୟ ଅଞ୍ଚଳରେ ବି ଭିଡ଼ କାହିଁରେ କଣ । ପୁରୁଣା ଷ୍ଟେସନ ବଜାର ଅଞ୍ଚଳରେ ତ ପୁଲିସକୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା । କିଛି ସ୍ଥାନରେ ଗଣମାଧ୍ୟମ ପ୍ରତିନିଧି ପହଞ୍ଚିବା ପରେ ଦୋକାନ ବନ୍ଦ ହୋଇ ଯାଇଥିଲା । ଲୋକମାନେ ଦୌଡ଼ି ପଳାଇଥିଲେ । ହେଲେ ମଦ ଦୋକାନ ଆଗରେ ତଥାକଥିତ ସାମାଜିକ ଦୂରତ୍ବକୁ ଲୋକ ଫୁଃ କରି ଉଡ଼ାଇ ଦେଇଛନ୍ତି ।ତେବେ ରାଜ୍ୟର ଅନ୍ୟସ୍ଥାନଗୁଡ଼ିକରେ ଅନ୍ ଲାଇନ୍ ମଦ ବିକ୍ରି ଆରମ୍ଭ ହୋଇଛି । କଟକରେ ଅନ୍ ଲାଇନ୍ ମଦ ଡ଼େଲିଭରୀ ଚାଲିଥିବା ସୂଚନା ମିଳିଛି ।

Comments are closed.