ପଥର ମାଫିଆଙ୍କ ଦୌରାତ୍ମ୍ୟରେ ଚାଣ୍ଡିଲି ପାହାଡ଼ ହତଶିରୀ, ବ୍ଲାଷ୍ଟିଂରେ ଥରୁଛି ୮ ଗାଁ

ଟିଟିଲାଗଡ଼: ଟିଟିଲାଗଡ ତହସିଲ ଅନ୍ତର୍ଗତ ଦିଗସିରା ପଞ୍ଚାୟତ ନିମୁର୍ଲା ଚାଣ୍ଡିଲି ପାହାଡ ତଥା ଆଖପାଖ ଅଞ୍ଚଳରୁ ପ୍ରତିଦିନ ବିପୁଳ ପରିମାଣର ପଥର ଚାଲାଣ ହେଉଛି । ବେଆଇନ ଭାବରେ ବଡଧରଣର ବ୍ଲାଷ୍ଟିଂ ସହ ବଡ ବଡ କ୍ରସର ମେସିନ ଯୋଗେ ପଥର ସାଇଜ ସହ ଦୈନିକ ହଜାର ହଜାର ଟ୍ରିପ ପଥର ଚାଲାଣ ହୋଇ କୋଟିକୋଟି ଟଙ୍କାର ବେପାର ଚାଲିଛି।  ବିରାଟ ପାହାଡ ଏବେ ବିଶାଳ ଖାତରେ ପରିଣତ ହୋଇଛି ଓ ପ୍ରଶାସନ ଏହାକୁ ଦେଖି ମଧ୍ୟ ନ ଦେଖିବା ପରି ନିରବଦ୍ରଷ୍ଟା ସାଜିଛି ।

୨୦୦୮ରୁ ଏହି ଅଂଚଳରେ ଘରୋଇ ଏଆରଏସଏସ କମ୍ପାନୀ ପଥର ବ୍ଲାଷ୍ଟିଂ କାମ ଆରମ୍ଭ କରିଥିବା ଜଣାଯାଇଛି। ଏନେଇ ୨୦୧୦ରେ ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ କମ୍ପାନୀ ପକ୍ଷରୁ ଥାନାରେ ମିଥ୍ୟା ମାମଲା ଦାଖଲ କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ ପକ୍ଷରୁ ଏନେଇ ସେମସୟରେ ଗ୍ରାମର ପ୍ରାୟ ୫୪ ଜଣ ଲୋକଙ୍କ ନାମରେ ବିଭିନ୍ନ ସଙ୍ଗୀନ ଦଫାରେ ମାମଲା ରୁଜୁ ସହ ଗିରଫଦାରି ପାଇଁ ସିଲୁଆ ସମେତ ବିଭିନ୍ନ ଗ୍ରାମରେ ଲଗାତାର ଚଢଉ କରାଯାଇଥିଲା। ଫଳରେ ଭୟରେ ଗ୍ରାମ ଗୁଡିକ ପୁରୁଷ ଶୁନ୍ୟ ହୋଇପଡିଥିଲା। ୨୨ ଜଣ ଉଚ୍ଚ ନ୍ୟାୟାଳୟରୁ ଜାମିନରେ ଆସିଥିଲେ।

ସବୁଜ ବନାନୀରେ ପରିପୁର୍ଣ୍ଣ ଚାଣ୍ଡିଲି ପାହାଡ ତଥା ପାହାଡରେ ରହିଥିବା ଆଦିବାସୀ ଦେବାଦେବୀଙ୍କ ଗୁଡିର ସୁରକ୍ଷା ପାଇଁ ସେ ସମୟରେ ସଂଗ୍ରାମକୁ ଓହ୍ଲାଇଥିବା ବର୍ତମାନର ସରପଞ୍ଚ ଗୋଲକବିହାରି ସିଂଭୋଇ ପ୍ରାୟ ଦେଢ ବର୍ଷ ଧରି ଛତିଶଗଡ ରାଜ୍ୟ ସମେତ ଦୁରଦୁରାନ୍ତ ଗ୍ରାମରେ ଲୁଚି ଲୁଚି ବୁଲୁଥିବା ତାଙ୍କ ପୁର୍ବ ସ୍ମୃତି ବଖାଣିଛନ୍ତି। ଗ୍ରାମରେ ଏଭଳି ଆତଙ୍କ ନେଇ ସେ ସମୟରେ ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା, ସୁରେନ୍ଦ୍ର ସିଂଭୋଇ, ସ୍ୱର୍ଗତ ଅଭିମନ୍ୟୁ ସାହୁ, ଜିଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ବ୍ରଜ କିଶୋର ସିଂଭୋଇଙ୍କ ଉଦ୍ୟମ କ୍ରମେ କମ୍ପାନୀ କେସ ପ୍ରତ୍ୟାହାର କରିନେଇଥିବା ଜଣାଯାଇଛି। ତେବେ କମ୍ପାନୀ ପୂର୍ବ ଭଳି ପଥର ବ୍ଲାଷ୍ଟିଂ ଜାରି ରଖିଥିବା ଯୋଗୁଁ ପ୍ରାକୃତିକ ପରିବେଶ ଧ୍ୱଂସ ସହ ଗ୍ରାମାଞ୍ଚଳର ବନରାଜି ନେଇ ଜୈବ ବିବିଧତା ନଷ୍ଟ ହୋଇଚାଲିଥିବା ଅଭିଯୋଗ ହୋଇଛି।

ଏପରିକି କମ୍ପାନୀ ବେଆଇନ ଭାବରେ ବଡ ଧରଣର ବ୍ଲାଷ୍ଟିଂ କରୁଥିବାରୁ ଆଖପାଖ ଗୌଡତୁଲା, କୁର୍ସୁଡ, ବେନ୍ଦୁଲପଡା, ସର୍ଗିଗୁଡା, ବୁର୍ଡା, ଗୋଇକେଲା, ଫପସି, ସିଲୁଆ ଆଦି ଗ୍ରାମ ଥରି ଉଠୁଥିବା ଅଭିଯୋଗ ହୋଇଛି। ଏଭଳି ପ୍ରଚଣ୍ଡ ବ୍ଲାଷ୍ଟିଂ ଶବ୍ଦ ହେଉଛି ଯେ ତାହା ପ୍ରାୟ ୨୦ କିଲୋମିଟର ଦୁର ଟିଟିଲାଗଡ ସହରକୁ ମଧ୍ୟ ଶୁଣାଯାଉଥିବା ଆଲୋଚନା ହୋଇଛି। ବ୍ଲାଷ୍ଟିଂ ସମୟରେ ସତର୍କତା ନେଇ ପୁର୍ବ ସୂଚନା, ସାଇରନ ଭଳି କୌଣସି ସଙ୍କେତ ଦିଆଯାଉନାହିଁ। ଫଳରେ ଗାଈଗୋରୁ, ପାଖଆଖରେ ଖେଲୁଥିବା ଶିଶୁଙ୍କ ଜୀବନ ପ୍ରତି ଭୟ ରହିଛି। ଏପରିକି ପ୍ରଶାସନ ପକ୍ଷରୁ ପଥର ଉତୋଳନ, ବ୍ଲାଷ୍ଟିଂ ଆଦି ନେଇ ସ୍ଥାନୀୟ ଗ୍ରାମପଂଚାତୟକୁ କୌଣସି ସୁଚନା ପ୍ରଦାନ, ଆବଶ୍ୟକ ଅନୁମତି କିମ୍ବା ନୋ ଅବଜେକ୍ସନ ପ୍ରମାଣ ପତ୍ର ମଧ୍ୟ ଲୋଡା ଯାଉନଥିବା ସରପଂଚ ଶ୍ରୀ ସିଂଭୋଇ କହିଛନ୍ତି।

ବଡବଡିଆଙ୍କୁ ହାତ କରି ବ୍ୟବସାୟ ବେଧଡକ ଚଲାଇଥିବା କମ୍ପାନୀ ସରକାରଙ୍କ ସିଏସଆର ଆଇନ ମୁତାବକ ନିଜ ଲାଭାଂଶରୁ ସ୍ଥାନୀୟ ଅଂଚଳର ବିକାଶ ପାଇଁ ମଧ୍ୟ ଅଦ୍ୟାବଧି ଅଣିଟାଏ ମଧ୍ୟ ଖର୍ଚ୍ଚ କରିନଥିବା ଅଭିଯୋଗ ହୋଇଛି। ଏନେଇ ଟିଟିଲାଗଡ ଅତିରିକ୍ତ ତହସିଲଦାର କର୍ଣ୍ଣ ମଲ୍ଲିକଙ୍କୁ ଯୋଗାଯୋଗ କରିବାରୁ ୫ ବର୍ଷ ପାଇଁ କମ୍ପାନୀକୁ ପଥର କ୍ୱାରି ପାଇଁ ଲିଜ ଦିଆଯାଇଥିଲା। ବ୍ଲାଷ୍ଟିଂ ପାଇଁ ଜିଲାପାଳ ଅନୁମତି ପ୍ରଦାନ କରିଥାନ୍ତି। ତେବେ ସେ ନେଇ ଆମ କାର୍ଯ୍ୟାଳୟରେ କୌଣସି ସୂଚନା ନାହିଁ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।  ଏନେଇ ତହସିଲଦାର ଆନନ୍ଦ ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ କମ୍ପାନୀକୁ ବ୍ଲାଷ୍ଟିଂ ଲାଇସେନ୍ସ ମିଳିଛି କି ନାହିଁ ଏବଂ ଗ୍ରାମବାସୀଙ୍କ ଅଭିଯୋଗକୁ ନେଇ ଆମେ ତଦନ୍ତ କରିବୁ ବୋଲି କହିଛନ୍ତି।

ଅନ୍ୟପକ୍ଷରେ ଏଆରଏସଏସ୍ କମ୍ପାନୀ ସିଇଓ ସୁନୀଲ ଅଗ୍ରୱାଲଙ୍କ ମତାମତ ଲୋଡ଼ିବାକୁ ଉଦ୍ୟମ ହୋଇଥିଲା । ମାତ୍ର ସେ ଅସୁସ୍ଥ ଥିବା ଦର୍ଶାଇ କିଛି କହିବାକୁ ମନା କରି ଦେଇଥିଲେ ।

Comments are closed.