ବେଆଇନ ପଥର ଉତ୍ତୋଳନ ମାମଲା ; ସାଢେ ୭ କୋଟି ଜୋରିମାନା ପରେ ପୁଣି ଚଢଉ, ହାଇୱା ସହ ଜେସିବି ଜବତ!

ଟିଟିଲାଗଡ଼ : ଟିଟିଲାଗଡ ତହସିଲ ଅନ୍ତର୍ଗତ ଦିଗସିରା ପଞ୍ଚାୟତ ନିମୁର୍ଲା ଚାଣ୍ଡିଲି ପାହାଡରେ ବେଆଇନ ପଥର ଉତ୍ତୋଳନ ସହ ଚୋରା କାରବାର ଅଭିଯୋଗ ନେଇ ଉପଜିଲାପାଳ ସୋମେଶ ଉପାଧ୍ୟାୟ, ଅତିରିକ୍ତ ତହସିଲଦାର କର୍ଣ୍ଣ ମଲ୍ଲିକ ଅଚାନକ ଚଢଉ କରିଥିଲେ। ଉପ ଜିଲାପାଳଙ୍କ ଚଢଉ ସମୟରେ ବେଆଇନ ଘୋଷିତ ତଥା ସିଲ କରାଯାଇଥିବା ବ୍ଲାଷ୍ଟିଂ ସ୍ଥଳରେ ହାଇୱା ଯୋଗେ ପଥର ଚାଳାଣ କରାଯାଉଥିବା ଦେଖିବାକୁ ମିଳିଥିଲା। ଏନେଇ ଉପ ଜିଲାପାଳ ପ୍ରାୟ ଦଶରୁ ଉଦ୍ଧ୍ୱର୍ ହାଇୱା, ଜେସିବି ମେସିନ ଆଦି ଜବତ କରିଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ଚାଣ୍ଡଲି ପାହାଡ ତଥା ଆଖପାଖ ଅଞ୍ଚଳରେ ବେଆଇନ ପଥର ଉତ୍ତୋଳନ ନେଇ ‘ସମାଜ’ରେ ଖବର ପ୍ରକାଶିତ ହୋଇଥିଲା। ଗତ ୯ ସେପ୍ଟେମ୍ବରରେ ଉପ ଜିଲାପାଳ ଚଢଉ କରିବା ସହ ବେଆଇନ ଭାବରେ କ୍ରସର ସ୍ଥାପନ କରିଥିବା ଅଭିଯୋଗରେ ଏଆର୍‌ଏସ୍ଏସ୍ କମ୍ପାନୀ ଉପରେ ପ୍ରାୟ ୭.୫ କୋଟି ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଥିଲେ। ୨୦୦୮ରୁ ଏହି ଅଞ୍ଚଳରେ ବେଆଇନ ଭାବରେ ପଥର ବ୍ଲାଷ୍ଟିଂ ସହ କୋଟି କୋଟି ଟଙ୍କାର କାରବାର ଚାଲିଥିବା ଅଭିଯୋଗ ହୋଇଆସୁଛି। ଚାଣ୍ଡିଲି ପାହାଡଟି କଳାହାଣ୍ଡି ଓ ବଲାଙ୍ଗିର ଜିଲା ସୀମାନ୍ତରେ ରହିଛି। ଟିଟିଲାଗଡ ଅଞ୍ଚଳରୁ କେହି ଅଧିକାରୀ ଏହି ସ୍ଥାନକୁ ଯିବାକୁ ହେଲେ ବିଭିନ୍ନ ବ୍ଲକ, ଜିଲା ଆଦି ପାର ହୋଇ ନୂଆପଡା ଭବାନୀପାଟଣା ରାସ୍ତାରେ ଯିବାକୁ ପଡିଥାଏ। ଏଭଳି ସ୍ଥଳେ ଜୁଲାଇ ୩ ତାରିଖରେ ଟିଟିଲାଗଡରେ ଉପ ଜିଲାପାଳ ଶ୍ରୀ ଉପାଧ୍ୟାୟ ‘ସମାଜ’ରେ ପ୍ରକାଶିତ ଖବରକୁ ନେଇ ତଦନ୍ତ ଆରମ୍ଭ କରିଥିଲେ। ପଥର ଉତ୍ତୋଳନକୁ ବିରୋଧ କରିବା ନେଇ କିଭଳି ୫୪ ଜଣ ଗ୍ରାମବାସୀଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରାଯାଇଥିଲବା ବେଳେ ୨୨ ଜଣ ଉଚ୍ଚନ୍ୟାୟାଳୟରୁ ଜାମିନରେ ଆସିଥିଲେ। ପୁଲିସ କାର୍ଯ୍ୟାନୁଷ୍ଠାନ ଭୟରେ ସରପଞ୍ଚ ଗୋଲକବିହାରୀ ସିଂଭୋଇ ସମେତ ବହୁ ଲୋକ ଦୀର୍ଘ ଦେଢ ବର୍ଷ ଧରି ନିଜ ଗାଁ ଛାଡି ଲୁଚି ବୁଲିବା ଆଦି ନେଇ ଟିଟିଲାଗଡ ବ୍ଲକ ସରପଞ୍ଚ ସଂଘ ଉପଜିଲାପାଳଙ୍କୁ ଅବଗତ କରିଥିଲେ। ପୂର୍ବରୁ ବଲାଙ୍ଗିର ଜିଲାପାଳ, ଏଡିଏମ, ଟିଟିଲାଗଡ ଉପଜିଲାପାଳ, ତହସିଲଦାରଙ୍କ ଠାରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଅଭିଯୋଗ ହୋଇଥିଲା।

ସେପ୍ଟେମ୍ବର ୯ରେ ଉପ ଜିଲାପାଳ ଓ ଟିଟିଲାଗଡ ତହସିଲଦାର ଆନନ୍ଦ ପଣ୍ଡା ଚଢଉ ବେଳେ ପଥର ବ୍ଲାଷ୍ଟିଂ ସହ କ୍ରସର ସ୍ଥାପନ ସମ୍ପୁର୍ଣ୍ଣ ବେଆଇନ ଭାବରେ ଚାଲିଥିବା ଜାଣିଥିଲେ। ଖଣି ବିଭାଗ ଓ ରାଜସ୍ୱ ବିଭାଗ ମିଳିତ ଆକଳନରେ ଟିକସ ଠକେଇ ନେଇ କମ୍ପାନୀ ଉପରେ ୭.୫କୋଟି ଜୋରିମାନା ଲଗାଇଥିଲେ। ତେବେ କାରବାରକୁ ବନ୍ଦ ନକରି କମ୍ପାନୀ କାର୍ଯ୍ୟ କରିଚାଲିଥିବା ଅଭିଯୋଗ ପରେ ଉପ ଜିଲାପାଳ ପୁଣି ଚଢଉ କରିଥିବା ଜଣାଯାଇଛି। ଚଢଉ ସମୟରେ ରାସ୍ତା କାମରେ ବ୍ୟବହାର ପାଇଁ ଡବ୍ଲୁଏମ୍ଏମ୍, ପିଚୁ ମିକ୍ସିଂ ଆଦି କାର୍ଯ୍ୟ ହୋଇ ହାଇୱା ଗାଡିରେ ଲୋଡ ଚାଲିଥିବା ଆଲୋଚନା ହୋଇଛି। ତେବେ ଏସମ୍ପର୍କରେ ଉପଜିଲାପାଳ ହିଁ ସବୁ କିଛି ସୂଚନା ଦେବେ ବୋଲି ଚଢଉରେ ସାମିଲ ଥିବା ଅତିରିକ୍ତ ତହସିଲଦାର ଶ୍ରୀ ମଲ୍ଲିକ କହିଛନ୍ତି। ଉପଜିଲାପାଳ ଶ୍ରୀ ଉପାଧ୍ୟାୟ ସମସ୍ତ ବିଷୟ ଆକଳନ ଚାଲିଛି ପରେ ଜଣାଇବେ ବୋଲି ଗଣମାଧ୍ୟମକୁ କହିଛନ୍ତି।

Comments are closed.