ବିପଦ ହେଲାଣି ବେଆଇନ ଇଟା କାରବାର

ଦୋବଲ : ରାଜନୈତିକ ଚାପ ଓ ନିଜ ସ୍ୱାର୍ଥ ପାଇଁ ସୁପ୍ରିମକୋର୍ଟ, ଜଙ୍ଗଲ ଓ ପରିବେଶ ବିଭାଗର ନିର୍ଦ୍ଦେଶନାମାକୁ ଖୋଲାଖୋଲି ଉଲଙ୍ଘନ କରାଯାଉଛି।  ବେଧଡ଼କ ଭାବେ ଧାମନଗରର ବିଭିନ୍ନ ଗାଁରେ ଇଟା ପଡୁଛି । ଇଟା ଭାଟି ଜଳୁଛି। ଏଥର ଗତ ଡିସେମ୍ୱରରୁ ଚାରିଆଡ଼େ ବିଶେଷ କରି ନଈ କୂଳିଆ ଅଞ୍ଚଳରେ  ଇଟା ପଡୁଛି।  ଏହି କାରଣରୁ ରାଜ୍ୟ ସରକାର ବହୁ ପରିମାଣର ରାଜସ୍ୱ ହରାଉଛନ୍ତି । ପରିବେଶ ନଷ୍ଟ ହେଉଛି । ଲୋକେ ରୋଗରେ ପଡୁଛନ୍ତି।
ଧାମନଗର ତହସିଲ ଅଧିନ ମୁସ୍ତଫାପୁର, ଦୋବଲ, ଖଡ଼ିପଦା, ସୋହଡ଼ା, ପଧାନି, ଦଳାଙ୍ଗ ଓ ଆନନ୍ଦପୁର ପଞ୍ଚାୟତର ବହୁ ଜାଗାରେ ଇଟା ପଡୁଛି । ଆନନ୍ଦପୁର ପଞ୍ଚାୟତର କାଶିଆ ଛକ, ବୁଢ଼ା ମହାଦେବ ପାଖ, ପାହାଡ଼ପୁର ଶ୍ମଶାନ, ସଠଗାଁରେ ଇଟା ଭାଟି ମାଲିକମାନେ ବେପରୱା ହୋଇ ଇଟା ପକାଉଛନ୍ତି । ବିଶେଷକରି ଖଡ଼ାପଦା ପଞ୍ଚାୟତର କାଞ୍ଜିଆପାଳ, ଶୁକଦେବହୋସେନ, ମୁସ୍ତଫାପୁର ପଞ୍ଚାୟତର ଗେଙ୍ଗୁଟି କୂଳରେ ପ୍ରବଳ ମାତ୍ରାରେ ଇଟା ପଡୁଛି।
କାଂଜିଆପାଳରୁ ଖଡ଼ିପଦା ଯିବା ରାସ୍ତାରେ ମାହାରା ମୁହଁରେ ବେଆଇନ ଭାବେ ଇଟା ପକା ଯାଉଥିବାରୁ ମାହାର ମୁହଁ ଓସାର ହୋଇ ଏକ ମନୁଷ୍ୟକୃତ ନଦୀରେ ପରିଣତ ହୋଇଗଲାଣି । ଠିକ୍‍ ସେମିତି ନଦୀର ଉତ୍ତର ପଟେ ନଦୀପଠା ଖୋଳାଯାଇ ଇଟା ପଡୁଥିବାରୁ ନଦୀର ଓସାର ବୃଦ୍ଧି ପାଉଛି। ବଡ଼କଥା ହେଲା, ନଦୀ ଏହି ଜାଗାରେ ନଦୀ ଉତ୍ତର ମୁହାଁ ହୋଇଥିବାରୁ, ଇଟା ପଡ଼ି ଖାଲ ହୋଇଥିବା ସ୍ଥାନରେ ବନ୍ୟା ସମୟରେ ପାଣି ପଶି ଅତଡ଼ା ଖସୁଛି। ଆଉ ନଦୀର ଓସାର ବଢ଼ି ଚାଲିଛି। ଯାହା ଫଳରେ ଉତ୍ତର ପଟେ ଥିବା ଦୋବଲ ନଦୀବନ୍ଧ ଉପରେ ଏହାର କୁପ୍ରଭାବ ପଡୁଛି। ଏବେ ନଦୀ ଶଯ୍ୟା ଆସି ବନ୍ଧ ତଳି ଧରିଲାଣି। କାଂଜିଆପାଳ ଶୁକଦେବପୁରଠାରେ ମାହାରାକୁ ଲାଗି ଖାଲି ଜମିଗୁଡ଼ିକ ଖୋଳାଯାଇ ଇଠା ପକାଯାଉଥିବାରୁ ସମଗ୍ର ଅଞ୍ଚଳ ଗଢ଼ିଆ ହୋଇଗଲାଣି।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ୨୪ ଜୁନ୍‍ ୨୦୧୩ରେ କେନ୍ଦ୍ର  ଜଂଗଲ ଓ ପରିବେଶ ବିଭାଗ ମାଟି ଇଟା ନେଇ ନିୟମାବଳୀ ଜାରି କରିଥିଲେ। ଏହି ନିୟମାବଳୀ ଅନୁସାରେ ଜନବସତି ପାଖରେ ଅର୍ଥାତ ଜନବସତିଠାରୁ ଦେଢ଼ କିଲୋମିଟର ଭିତରେ ଇଟା ଭାଟି କରାଯିବ ନାହିଁ। ଇଟା ଭାଟି ପାଇଁ ୨ ମିଟରରୁ ଅଧିକ ଗଭୀରର ମାଟି ଖୋଳାଯିବ ନାହିଁ। ଏସବୁ ବ୍ୟତୀତ ଇଟା ପକାଇବା ଲାଗି ରାଜ୍ୟ ପରିବେଶ ବିଭାଗ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗଠାରୁ ଏନଓସି ଆଣିବାକୁ ହେବ।
ଠିକ ସେମିତି ରାଜ୍ୟ ସରକାରଙ୍କ ପରିବେଶ ଆଇନ ଅନୁସାରେ ଚାଷ ଜମିରେ ଇଟା ପକାଯାଇ ପାରିବ ନାହିଁ। ଡାକ୍ତରଖାନା, ରେଲୱେ ଲାଇନ, ସ୍କୁଲ ପାଖ ଏବଂ ସର୍ବସାଧାରଣ ଚଳପ୍ରଚଳ ହେଉଥିବା ଜାଗା ପାଖରେ ଇଟା ପଡ଼ି ପାରିବ ନାହିଁ। ଆଉ ଗୋଟିଏ ଇଟା ଫାର୍ମରୁ ଆଉ ଗୋଟିଏ ଇଟା ଫାର୍ମ ମଧ୍ୟରେ ଅତି କମରେ ଏକ କିଲୋମିଟର ଦୂରତା ରହିବା କଥା। ହେଲେ ଧାମନଗର ଅଞ୍ଚଳରେ ଏ ସମସ୍ତ ନିୟମକୁ ଉଲ୍ଲଂଘନ କରାଯାଇ ଇଟା ପକାଯାଉଛି।
ଅତ୍ୟଧିକ ଇଟା ପକାଯିବା ଓ ଇଟା ଭାଟି ଯୋଗୁଁ ପରିବେଶ ପ୍ରଦୂଷଣ ବଢୁଛି। ଖରାଦିନେ ଇଟା ଭାଟି ଯୋଗୁଁ ଆନନ୍ଦପୁର, କାଞ୍ଜିଆପାଳ, ଦୋବଲ ଏବଂ ଖଡ଼ିପଦା, ପଧାନୀ, ଡଳାଙ୍ଗ, ପ୍ରମୁଖ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଉଛି। ଗୋଟିଏ ପଟେ ତାପମାତ୍ରା, ଆରପଟେ ଇଟା ଭାଟି ଧୂଆଁ ଏବଂ ତତଲା ପାଉଁଶ ଉଡୁଥିବା ଯୋଗୁଁ ରାସ୍ତାରେ ଯିବା ସମ୍ଭବ ହେଉନାହିଁ। ଏହିସବୁ ସ୍ଥାନରେ ବେଆଇନ ଭାବେ ଇଟା ପଡୁଥିଲେ ବି ଧାମନଗର ତହସିଲ କି ପରିବେଶ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ।
ଏ ସଂପର୍କରେ ଧାମନଗର ତହସିଲଦାର କ୍ଷୀରୋଦ ପଣ୍ଡାଙ୍କୁ ପଚାରିବାରୁ, ସେ କହିଛନ୍ତି ଯେ, ଯେଉଁଠି ଇଟା ପଡୁଛି, ଖବର ମିଳିବା କ୍ଷଣି ଚଢାଉ କରାଯାଉଛି। ତା ସହିତ ଜରିମାନା ମଧ୍ୟ ଲଗାଯାଉଛି। ସମାଜସେବୀଙ୍କ ଅଭିଯୋଗ ଯେ, ତହସିଲ କାର୍ଯ୍ୟାଳୟର କର୍ମଚାରୀଙ୍କ ସହ ସୁସଂପର୍କ ରଖି ଇଟା ବେପାରୀମାନେ ତାଙ୍କ କାରବାର ଚଳାଇଛନ୍ତି। ଇଟା ପଡୁଛି ୨ ଲକ୍ଷ। ହେଲେ ଆରଆଇ ତାଙ୍କ ରିପୋର୍ଟରେ ୨୦ରୁ ୩୦ ହଜାର ଉଲ୍ଲେଖ କରୁଛନ୍ତି। ସେହି ଅନୁସାରେ ଜରିମାନା କଟାଯାଉଛି।

Comments are closed.