ସେପ୍ଟେମ୍ବର-ଅକ୍ଟୋବରରେ ଶିଖର ସଂକ୍ରମଣ

କରୋନାର ତୃତୀୟ ଲହର ଉପରେ ଆଇଆଇଟି କାନପୁରର ଗବେଷକଙ୍କ ପୂର୍ବାନୁମାନ

ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ ସଂକ୍ରମଣର ତୃତୀୟ ଲହର ଆସିବା ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପୂର୍ବାନୁମାନ କରିସାରିଛନ୍ତି। ଏହି ତୃତୀୟ ଲହର ଉପରେ ଅଧିକ କିଛି ପୂର୍ବାନୁମାନ କରିଛନ୍ତି ଭାରତୀୟ ବୈଷୟିକ ପ୍ରତିଷ୍ଠାନ, କାନପୁର (ଆଇଆଇଟି-କେ)ର କିଛି ବିଶେଷଜ୍ଞ। ଆଇଆଇଟି-କେ ବିଶେଷଜ୍ଞଙ୍କ ପୂର୍ବାନୁମାନ ଅନୁଯାୟୀ ଆସନ୍ତା ସେପ୍ଟେମ୍ବରରୁ ଅକ୍ଟୋବର ମାସ ମଧ୍ୟରେ ଦେଶରେ କରୋନା ତୃତୀୟ ଲହର ଶିଖର ଛୁଇଁବ। ବିଶେଷଜ୍ଞମାନେ କହିଛନ୍ତି ଯେ ଜୁଲାଇ ୧୫ ତାରିଖ ବେଳକୁ ଭାରତର ପ୍ରାୟ ସମସ୍ତ ରାଜ୍ୟରେ ତାଲାବନ୍ଦ କଟକଣା ହଟିଯାଇଥିବ। କଟକଣା ହଟିବା ପରେ ବିଭିନ୍ନ ସ୍ଥାନରେ ପୁଣି ପୂର୍ବଭଳି ଜନଗହଳି ହେବ। ଲୋକେ କରୋନା ସତର୍କତା ଓ ନିୟମକୁ ଉଲ୍ଲଙ୍ଘନ କରିବେ। ଏହି ଜନଗହଳି ଓ କରୋନା ସତର୍କତାକୁ ଉପେକ୍ଷା ଦ୍ବାରା ଖୁବ୍‌ଶୀଘ୍ର କରୋନାର ତୃତୀୟ ଲହର ଆସିବ। କରୋନାର ତୃତୀୟ ଲହରକୁ ମୁକାବିଲା କରିବା ଲାଗି କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ସ୍ତରରେ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଉଛି। ଏଥିପାଇଁ ବିଭିନ୍ନ ସମୀକ୍ଷା ବୈଠକ ହେଉଛି। ତୃତୀୟ ଲହରକୁ ରୋକିବା ଲାଗି କେନ୍ଦ୍ର ସରକାର ଟିକାକରଣ ଅଭିଯାନକୁ ତ୍ବରାନ୍ବିତ କରିଛନ୍ତି। ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରାଯାଉଛି। ଆଇଆଇଟି-କେର ପ୍ରଫେସର ରାଜେଶ ରଞ୍ଜନ ଓ ପ୍ରଫେସର ମହେନ୍ଦ୍ର ବର୍ମାଙ୍କ ନେତୃତ୍ବରେ ଗବେଷକମାନେ କରିଥିବା ତିନିଟି ପୂର୍ବାନୁମାନ ଅନୁଯାୟୀ ଯେଉଁସବୁ ଅଞ୍ଚଳରୁ ତାଲାବନ୍ଦ କଟକଣା ହଟିବ ସେଠାରେ ଅକ୍ଟୋବର ବେଳକୁ ତୃତୀୟ ଲହର ଆସିବ। ତେବେ ଏଠାରେ ସଂକ୍ରମଣର ଶିଖର ଦ୍ବିତୀୟ ଲହର ତୁଳନାରେ କମ୍ ରହିବ। ଦ୍ବିତୀୟ ଦୃଶ୍ୟପଟ ହେଉଛି କରୋନାର ବିଭିନ୍ନ ପ୍ରଜାତିର ଭୂତାଣୁ ଅଧିକ ବେଗରେ ସଂକ୍ରମଣ କରିବ। ଯଦି ତାଲାବନ୍ଦ କିମ୍ବା ଅନ୍ୟ କଟକଣା ଲାଗୁ କରା ନଯାଏ ତେବେ ଦେଶରେ ଦୈନିକ ସଂକ୍ରମଣ ୫ଲକ୍ଷ ଅତିକ୍ରମ କରିବ। ତୃତୀୟ ଦୃଶ୍ୟପଟ ହେଉଛି ସଂକ୍ରମଣକୁ ବିଳମ୍ବିତ କରିବା। ସଂକ୍ରମଣ ରୋକିବାକୁ ଯଦି କିଛି କଠୋର ପଦକ୍ଷେପ ନିଆଯାଏ ତେବେ ଏହି ଶିଖର ଛୁଇଁବାକୁ ଅକ୍ଟୋବର ପର୍ଯ୍ୟନ୍ତ ବିଳମ୍ବିତ କରାଯାଇପାରିବ। କରୋନାର ତୃତୀୟ ଲହରକୁ ରୋକିବା ଦିଗରେ ଆଇଆଇଟିର ବିଶେଷଜ୍ଞମାନେ ଟିକାକରଣ ଉପରେ ବିଶେଷ ଗୁରୁତ୍ବ ଦେଇ ନାହାନ୍ତି। ଲୋକଙ୍କୁ ଗୋଟିଏ ନିର୍ଦିଷ୍ଟ ଅଞ୍ଚଳ ଓ ସୀମା ମଧ୍ୟରେ ରଖିବା ଦ୍ବାରା କରୋନାର ଶୃଙ୍ଖଳକୁ ଭଙ୍ଗ କରାଯାଇପାରିବ ବୋଲି ସେମାନେ କହିଛନ୍ତି। ଏଥିପାଇଁ ଲୋକଙ୍କ ପ୍ରବାସ ଉପରେ କଟକଣା ଲଗାଯାଉ। ଗୋଟିଏ ସ୍ଥାନର ଲୋକ ଅନ୍ୟସ୍ଥାନକୁ ଯାଇପାରିବେ ନାହିଁ।

ଅନ୍ୟପକ୍ଷରେ ଅକ୍ଟୋବର-ନଭେମ୍ୱର ଆଡକୁ ଦେଶରେ କରୋନାର ତୃତୀୟ ଲହର ଆସିବାକୁ ଯାଉଥିବାବେଳେ ଏହାକୁ ରୋକିବା ନେଇ ମଙ୍ଗଳବାର ନିତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଡାକ୍ତର ଭି.କେ ପଲ କେତେକ ଉପାୟ ବତାଇଛନ୍ତି। ସେ କହିଛନ୍ତି ଯେ ତୃତୀୟ ଲହର କିଭଳି ନ ଆସିବ ତା’ର ଉପାୟ ଆମ ହାତରେ ଅଛି। ସେ କହିଛନ୍ତି ଯେ ଯଦି ଆମେ କରୋନା ସତର୍କତା ଓ ନିୟମକୁ ଠିକ୍ ରୂପେ ଅନୁସରଣ କରିବା ଏବଂ ସମସ୍ତେ ଟିକା ନେବା, ତେବେ ତୃତୀୟ ଲହରକୁ ରୋକିପାରିବା। ଦେଶର ସମସ୍ତ ନାଗରିକଙ୍କୁ ସରକାର ମାଗଣା ଟିକା ଉପଲବ୍ଧ କରାଇବା ସହ ଏହା ସମସ୍ତଙ୍କ ନିକଟରେ ପହଞ୍ଚାଇବାର ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଅଧିକ ଟିକାଦାନ କେନ୍ଦ୍ର ଖୋଲାଯାଇଛି। ରାଜ୍ୟ ସରକାରଙ୍କୁ ପର୍ଯ୍ୟାପ୍ତ ଟିକା ଯୋଗାଇଦିଆଯାଉଛି। ତେଣୁ ସରକାରଙ୍କ ଏହି ସୁଯୋଗକୁ ସମସ୍ତେ ଉପଯୋଗ କରିବା ଦରକାର ବୋଲି ଡାକ୍ତର ପଲ୍‌ କହିଛନ୍ତି।

Comments are closed.