ଓଡ଼ିଶା ବିକାଶରେ ‘ସମାଜ’ ଭୂମିକା ଗୁରୁତ୍ୱପୂର୍ଣ୍ଣ, ଇ-ଆଲୋଚନାଚକ୍ରରେ ବିଶିଷ୍ଟ ବ୍ୟକ୍ତିଙ୍କ ମତ

ଢେଙ୍କାନାଳ: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେଉ କି ସ୍ୱାଧୀନତା ସଂଗ୍ରାମ, ସବୁ କ୍ଷେତ୍ରରେ ଦୈନିକ ‘ସମାଜ’ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିିଥିଲା। ସେହିପରି ସାମାଜିକ ସଂସ୍କାରଠାରୁ ଆରମ୍ଭ କରି ଓଡ଼ିଆ ଭାଷା, ସାହିତ୍ୟ, ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ବିକାଶ କ୍ଷେତ୍ରରେ ‘ସମାଜ’ର ବେଶ୍‌ ଅବଦାନ ରହିଛି ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି।

ଭାରତୀୟ ଜନ ସଞ୍ଚାର ସଂସ୍ଥାନ ପକ୍ଷରୁ ଦୈନିକ ‘ସମାଜ’ର ଶହେ ବର୍ଷ ପୂର୍ତ୍ତି ଅବସରରେ “ଆଧୁନିକ ଓଡ଼ିଶା ଗଠନରେ ‘ସମାଜ’ର ଭୂମିକା” ଶୀର୍ଷକ ଇ-ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଗୁଗୁଲ୍‍ ମିଟ୍‍ ମଞ୍ଚରେ ଅନୁଷ୍ଠିତ ଏହି ଇ-ଆଲୋଚନାଚକ୍ରରେ ‘ସମାଜ’ର କାର୍ୟ୍ୟକାରୀ ସମ୍ପାଦକ ସୁଶାନ୍ତ କୁମାର ମହାନ୍ତି ବକ୍ତା ଭାବେ ଯୋଗଦେଇ ଓଡ଼ିଆ ଜାତିର ଐତିହ୍ୟ, ପରମ୍ପରା, ସାହିତ୍ୟ, ସଂସ୍କୃତି, ଶିକ୍ଷା ଓ ସ୍ୱାଭିମାନର ସୁରକ୍ଷା କରିବା ଦିଗରେ ‘ସମାଜ’ର ମୁଖ୍ୟ ଭୂମିକା ଥିଲା। ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆଙ୍କ ସ୍ୱର ହେଉଛି ଏହି ଖବରକାଗଜ। ‘ସମାଜ’କୁ ସମସ୍ତେ ନିଜର ଖବରକାଗଜ ବୋଲି ମନେ କରନ୍ତି। ଓଡ଼ିଶା ଯାହା ଆଜି ଦେଖୁଛି, ‘ସମାଜ’ ତାକୁ ହିଁ ଦେଖେଇଛି। ସ୍ୱତନ୍ତ୍ର ପ୍ରଦେଶ ଗଠନରେ, ଭାରତ ସ୍ୱାଧୀନତା ପାଇବାରେ ‘ସମାଜ’ର ଭୂମିକା ଉଲ୍ଲେଖନୀୟ। ପରବର୍ତ୍ତୀ ସମୟରେ ଓଡ଼ିଶାର ହିତ ପାଇଁ ବିଭିନ୍ନ କଲ୍ୟାଣମୂଳକ କାର୍ୟ୍ୟ କରିଛି ଏହି ଖବରକାଗଜ। ସେହିପରି ବନ୍ୟା, ବାତ୍ୟା ମରୁଡ଼ି ପରି ପ୍ରାକୃତିକ ବିପର୍ୟ୍ୟୟ ସମୟରେ ରିଲିଫ କମିଟି ମାଧ୍ୟମରେ ଲୋକଙ୍କ ପାଖରେ ‘ସମାଜ’ ହିଁ ଠିଆ ହୋଇଥାଏ। ପ୍ରଶାସନ ଠିଆ ହେବା ଆଗରୁ ‘ସମାଜ’ ଲୋକଙ୍କ ପାଖରେ ପହଞ୍ଚିଯାଏ। ନିଃସହାୟ ଲୋକଙ୍କୁ ସହାୟତା ଦେବା, ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ଆଦି କ୍ଷେତ୍ରରେ ମଧ୍ୟ ଏହି ସଂସ୍ଥା ଉତ୍ସର୍ଗିକୃତ ବୋଲି କହିଥିଲେ।

ଅନ୍ୟତମ ବକ୍ତାଭାବେ ‘ସମାଜ’ର ପୂର୍ବତନ କାର୍ୟ୍ୟକାରୀ ସମ୍ପାଦକ ଡଃ ସତ୍ୟ ରାୟ ଯୋଗଦେଇ ‘ସମାଜ’ ସବୁବେଳେ ମୂଲ୍ୟବୋଧଭିତ୍ତିକ ଖବର ପରିବେଷଣକୁ ଗୁରୁତ୍ୱ ଦେଇଥାଏ। ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଠାରୁ ଆରମ୍ଭ କରି ଗୋଦାବରୀଶ ମିଶ୍ର, ଲିଙ୍ଗରାଜ ମିଶ୍ର, ଉଦୟନାଥ ଷଡ଼ଙ୍ଗୀ, ରାଧାନାଥ ରଥ ସମସ୍ତେ ନିରପେକ୍ଷ ତଥା ନିର୍ଭୀକ ଭାବରେ ସମ୍ବାଦ ପରିବେଷଣକୁ ଗୁରୁତ୍ୱ ଦେଉ ଥିଲେ। ଏହି ଶ୍ରେଷ୍ଠ ସମ୍ପାଦକମାନେ ମିଥ୍ୟା ଓ ଅତିରଞ୍ଜିତ ସମ୍ବାଦକୁ କୌଣସି ପରିସ୍ଥିତିରେ ପ୍ରଶ୍ରୟ ଦେଉ ନ ଥିଲେ। ‘ସମାଜ’ କେବଳ ସାମ୍ବାଦିକତା କ୍ଷେତ୍ରରେ ନୁହେଁ, ବରଂ ସମାଜସେବା, ସ୍ୱାଧୀନତା ସଂଗ୍ରାମ କ୍ଷେତ୍ରରେ ମଧ୍ୟ ଅନେକ ଅବଦାନ ରଖିଛି। ଓଡ଼ିଆ ଜାତିର ମୁଖପତ୍ର ଥିଲା ‘ସମାଜ’। ଲୋକଙ୍କ ସମସ୍ୟାକୁ ପ୍ରଶାସନ ଓ ସରକାରଙ୍କ ନିକଟରେ ଉପସ୍ଥାପନ କରି ତା’ର ସମାଧାନ ପାଇଁ ଅନବରତ ଚେଷ୍ଟା କରୁଥିଲା ଏହି ଖବରକାଗଜ। ସେଥିପାଇଁ ‘ସମାଜ’ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଆଜି ବି ଅଟଳ ରହିଛି ବୋଲି ସେ ପ୍ରକାଶ କରିଛନ୍ତି।

ଉତ୍କଳ ଶିକ୍ଷା ସଂସଦର ଉପସଭାପତି ପୀତାମ୍ବର ବାରିକ ଯୋଗଦେଇ କହିଲେ ଯେ ଆମେ ‘ସମାଜ’କୁ ଆମର ସମାଜ ବୋଲି ଭାବୁ। ଏହା ସମସ୍ତଙ୍କ ସହ ଅଙ୍ଗାଙ୍ଗୀଭାବେ ଜଡ଼ିତ। ଶିକ୍ଷା ବିଶେଷତଃ ଓଡ଼ିଆ ଭାଷା ଶିକ୍ଷା କ୍ଷେତ୍ରରେ ‘ସମାଜ’ର ଭୂମିକା ଗୁରୁତ୍ୱପୂର୍ଣ୍ଣ। କୋଲ୍‍କାତାର ଉପାନ୍ତ ଅଞ୍ଚଳରେ ମଧ୍ୟ ‘ସମାଜ’ ପହଞ୍ଚି ଓଡ଼ିଆଙ୍କ ପାଇଁ ଅନେକ ଉଲ୍ଲେଖନୀୟ କାର୍ୟ୍ୟ କରିଛି। କଲକାତାରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଗଣମାଧ୍ୟମ ଓ ଅନ୍ୟ ସଂସ୍ଥା ଅପେକ୍ଷା ‘ସମାଜ’ ସହ ଅଧିକ ଜଡ଼ିତ ବୋଲି ସେ ମତବ୍ୟକ୍ତ କରିଛନ୍ତି।

‘ଦି ଇଣ୍ଟଲେକ୍ଟ’ ଅନୁଷ୍ଠାନର ସଭାପତି ଦେବେନ୍ଦ୍ରନାଥ ରାଉତ ସମାଜ ସଂସ୍କାରକ ଭୂମିକା ନିର୍ବାହ କରିବାରେ ‘ସମାଜ’ ଗୋଟିଏ ଶ୍ରେଷ୍ଠ ଅନୁଷ୍ଠାନ। ଆଗରୁ ଖବରକାଗଜର ଅର୍ଥ କହିଲେ ‘ସମାଜ’ ବୁଝାଯାଉଥିଲା। ‘ସମାଜ’ ଆଉ ଖବରକାଗଜ ଅଲଗା ଆମେ ପିଲାବେଳେ ଅନୁଭବ କରିପାରୁ ନଥିଲୁ। ଓଡ଼ିଶାରେ ପ୍ରୌଢ଼ ଶିକ୍ଷା ସଫଳ ହେବାରେ ‘ସମାଜ’ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। କେବଳ ଶିକ୍ଷା ନୁହେଁ; ସାମାଜିକ, ସାଂସ୍କୃତିକ ସବୁ କ୍ଷେତ୍ରରେ ଏହି ଖବରକାଗଜର ଅବଦାନ ଯଥେଷ୍ଟ। ଜାତିପ୍ରଥା ଭାବନା କମ୍‍ କରିବା ଦିଗରେ ମଧ୍ୟ ଏହି ଖବରକାଗଜ ଅନେକ ଆଖିଦୃଶିଆ କାର୍ୟ୍ୟ କରିଛି। ଜାତିପ୍ରଥା ବିରୋଧରେ ନିୟମିତ ଲେଖା ଖବରକାଗଜରେ ପ୍ରକାଶିତ ହେଉଥିଲା ଏବଂ ପ୍ରଭାବ ପକାଇ ପାରିଥିଲା। ଫଳରେ ଅନେକାଂଶରେ ଜାତିପ୍ରଥା ଭାବନା କମିପାରିଥିଲା। ଏବେ ଗଣମାଧ୍ୟମ ସଂସ୍ଥାର ସଂଖ୍ୟା ବଢୁଥିଲେ ମଧ୍ୟ ଏହିପରି ସଂସ୍କାରମୂଳକ ପ୍ରସଙ୍ଗକୁ କମ୍‍ ଗୁରୁତ୍ୱ ଦିଆଯାଉଛି। ଏଣୁ ସାମ୍ବାଦିକ ତଥା ଯୁବପିଢ଼ି ଏହାକୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି କହିଥିଲେ।

ଆଇଆଇଏମ୍‍ସିର ଆଞ୍ଚଳିକ ନିର୍ଦେଶକ ଡଃ ମୃଣାଳ ଚାଟାର୍ଜୀ ପ୍ରାରମ୍ଭିକ ଭାଷଣ ପ୍ରଦାନ କରି ଆର୍‍ଏନ୍‍ଆଇ ହିସାବ ଅନୁସାରେ ଭାରତରେ ୧୨ ହଜାରରୁ ଅଧିକ ଦୈନିକ ଖବରକାଗଜ ଅଛି। ତେବେ ସ୍ୱାଧୀନତା ପୂର୍ବରୁ ବାହାରି ଆଜି ଯାଏ ପ୍ରକାଶନ ଜାରି ରଖିଥିବା ଖବରକାଗଜ ସଂଖ୍ୟା ମାତ୍ର ୫୦ରୁ ୬୦। ସେଥିମଧ୍ୟରୁ ଶହେ ବର୍ଷ ପୂରି ଥିବା ଖବରକାଗଜ ପାଖାପାଖି ୨୦ଟି। ଆମର ସୌଭାଗ୍ୟ ଦୈନିକ ‘ସମାଜ’ ଏଥିମଧ୍ୟରୁ ଅନ୍ୟତମ। ଏଠି ଖବରକାଗଜର ବୟସ କଥା ପଡ଼ିନି। ବରଂ ଗୋଟିଏ ଖବରକାଗଜ କିପରି ସମାଜକୁ ଦିଗ୍‍ଦର୍ଶନ ଦେଇପାରେ, ଗୋଟିଏ ଭାଷାକୁ ପ୍ରତିଷ୍ଠିତ କରିପାରେ, ଭାଷାକୁ ଦିଗ୍‍ଦର୍ଶନ ଦେଇ ତାକୁ ବଳିଷ୍ଠ ଓ ସମୃଦ୍ଧ କରିପାରେ ଆଦି ବିଷୟରେ ଦୃଷ୍ଟି ଦିଆଯାଉ। ନିଶ୍ଚିତ ଭାବେ ଏ ସବୁ କ୍ଷେତ୍ରରେ ‘ସମାଜ’ ଉଲ୍ଲେଖନୀୟ କାର୍ୟ୍ୟ କରିଛି।

ସେହିପରି ଓଡ଼ିଶାକୁ ଓଡ଼ିଶା କରିବାରେ, ଏହାକୁ ଉନ୍ନତ କରିବାରେ ଏ ଖବରକାଗଜର ଅବଦାନ ରହିଛି। ତେବେ ଶତ ବାର୍ଷିକୀ ଅବସରରେ କେଉଁ କେଉଁ କ୍ଷେତ୍ରରେ ‘ସମାଜ’ର ଅବଦାନ ରହିଛି, କେଉଁ କଥାକୁ ଲୋକେ ଆହୁରି ମନେ ରଖିବା ଦରକାର ପଡ଼ୁଛି ତାହା ଜାଣିବା ଏହି ଇ-ଆଲୋଚନାଚକ୍ରର ଉଦ୍ଦେଶ୍ୟ। ଆଇଆଇଏମ୍‍ସିର ସହକାରୀ ପ୍ରଫେସର ଡଃ ଜ୍ୟୋତି ପ୍ରକାଶ ମହାପାତ୍ର କାର୍ୟ୍ୟକ୍ରମ ସଞ୍ଚାଳନ କରିଥିଲେ। ଏହି ଅବସରରେ ମୃଣାଳଙ୍କ ଶ୍ରାବ୍ୟ ଉପନ୍ୟାସ ‘ଚୋରିଚାରି’ ଉନ୍ମୋଚିତ ହୋଇଯାଇଛି। ନିଜେ ଔପନାସିକ ମୃଣାଳ ଏଥିରେ କଣ୍ଠଦାନ କରିଛନ୍ତି। ବର୍ତ୍ତମାନ ରେଡିଓ ଭୁବନେଶ୍ୱରରେ ଏହାର ପ୍ରସାରଣ ହେଉଛି। ସକାଳ ୮ଟା, ରାତ୍ର ୭ଟା ଓ ରାତି ୧୨ଟାରେ ଏହାର ପ୍ରସାରଣ ହେଉଛି। ଏହି ରମ୍ୟରଚନାଭିତ୍ତିକ ଉପନ୍ୟାସଟି ଶ୍ରୋତାମାନଙ୍କୁ ରେଡିଓ ମଞ୍ଚରେ ବାନ୍ଧି ରଖୁଛି। କାର୍ୟ୍ୟକ୍ରମରେ ସହକାରୀ ପ୍ରଫେସର ସମ୍ବିତ ପାଲ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.