ପ୍ରଥମ ଏକ୍‍ଜିକ୍ୟୁଟିଭ ଏମବିଏ ବ୍ୟାଚ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କଲା ଆଇଆଇଏମ୍‍ ସମ୍ବଲପୁର

ସମ୍ବଲପୁର: ୨୦୨୧ ମାର୍ଚ୍ଚରେ କାର୍ଯ୍ୟରତ ବୃତ୍ତିଧାରୀଙ୍କ ପାଇଁ ଏକ୍‍ଜିକ୍ୟୁଟିଭ ଏମବିଏ ଡିଗ୍ରୀ ପାଠ୍ୟକ୍ରମ ପ୍ରଚଳନ କରିବା ପରେ ଆଇଆଇଏମ୍‍ ସମ୍ବଲପୁର ଏହାର ପ୍ରଥମ ବ୍ୟାଚ୍‍ ଏକ୍‍ଜିକ୍ୟୁଟିଭ ଏମବିଏ ଛାତ୍ରଛାତ୍ରୀଙ୍କୁ ଏକ ଭର୍ଚୁଆଲ ଉଦଘାଟନ କାର୍ଯ୍ୟକ୍ରମ ଜରିଆରେ ସ୍ୱାଗତ କରିଛି। ଏହି କାର୍ଯ୍ୟକ୍ରମରେ ମହିନ୍ଦ୍ରା ଇନସ୍ୟୁରାନ୍ସ ବ୍ରୋକର୍ସ ଲିମିଟେଡ, ମହିନ୍ଦ୍ରା ଫାଷ୍ଟ ଚଏସ ହ୍ୱିଲ ଲିମିଟେଡ ଏବଂ ମହିନ୍ଦ୍ରା ଷ୍ଟିଲ ସର୍ଭିସ ସେଣ୍ଟର ଲିମିଟେଡର ଚେୟାରମ୍ୟାନ ରାଜୀବ ଦୁବେ ମୁଖ୍ୟ ଅତିଥି, ସାମ୍‍ସଙ୍ଗ ଇଲେକ୍‍ଟ୍ରୋନିକ୍ସ, ମାନବ ସମ୍ବଳ ବିଭାଗ ଡାଇରେକ୍ଟର ସନ୍ଦୀପ ତ୍ୟାଗୀ ସମ୍ମାନନୀୟ ଅତିଥି ତଥା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ। ଉଦଘାଟନି କାର୍ଯ୍ୟକ୍ରମରେ ଆଇଆଇଏମ୍‍ ସମ୍ବଲପୁରର ଡାଇରେକ୍ଟର ପ୍ରଫେସର ମହାଦେଓ ଜୟସ୍ୱାଲ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଇଏମ୍‍ବିଏର ଚେୟାରପର୍ସନ ପ୍ରଫେସର ଶିଖା ଭରଦ୍ୱାଜ ଏକ୍‍ଜିକ୍ୟୁଟିଭ ଏମବିଏ ପାଠ୍ୟକ୍ରମ ସମ୍ପର୍କରେ ଅଧ୍ୟାପନା ମଣ୍ଡଳୀ, କର୍ମଚାରୀ, ଛାତ୍ରଛାତ୍ରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ପିଜିପିର ଚେୟାରପର୍ସନ ପ୍ରଫେସର ମର୍ଲିନ ନନ୍ଦି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଦୁଇ ବର୍ଷିଆ ପାଠ୍ୟକ୍ରମର ପ୍ରଥମ ବ୍ୟାଚ୍‍ରେ ୫୪ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ସେମାନେ ବ୍ୟାଙ୍କିଙ୍ଗ ଏବଂ ଫାଇନାନ୍ସ ଠାରୁ ନେଇ ଆଇଟି ଓ ଆଇଟିଇଏସ୍‍, ବିନିର୍ମାଣ ଏବଂ ଅନ୍ୟାନ୍ୟ ବହୁବିଧ କ୍ଷେତ୍ରରୁ ଆସିଛନ୍ତି। ଏସବିଆଇ, ଆଇସିଆଇସିଆଇ, ଟିସିଏସ, ଡିଲଏଟ, ଆମାଜନ, ଆଇବିଏମ, ଜେକେ ସିମେର୍ଟ, ଟାଟା ଷ୍ଟିଲ, ଆଲଷ୍ଟୋମ, କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ଆଦି ସଂସ୍ଥାନର କର୍ମଚାରୀମାନେ ଏହି ଏକ୍‍ଜିକ୍ୟୁଟିଭ ଏମବିଏ ପାଠ୍ୟକ୍ରମ ପ୍ରଥମ ବ୍ୟାଚର ଅଂଶବିଶେଷ ହୋଇଛନ୍ତି। ଏଥିରେ ନାମଲେଖାଇଥିବା ଛାତ୍ରଛାତ୍ରୀଙ୍କର ହାରାହାରି କାର୍ଯ୍ୟ ଅଭିଜ୍ଞତା ୯.୭ ବର୍ଷ ରହିଛି ଏବଂ ସେମାନେ ସେମାନଙ୍କର ସଂପୃକ୍ତ ସଂସ୍ଥାଗୁଡିକରେ ମଧ୍ୟମ ଠାରୁ ନେଇ ବରିଷ୍ଠ ସ୍ତରର ଏକ୍‍ଜିକ୍ୟୁଟିଭ ସ୍ତରରେ କାର୍ଯ୍ୟ କରୁଛନ୍ତି। ଏହି ବ୍ୟାଚ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜର୍ମାନୀରୁ ଦୁଇଜଣ ରହିଛନ୍ତି।

Comments are closed.