ଲାଜକୁଳୀ ଝିଅରୁ ସିଆର୍‍ପିଏଫ୍‍ ଆଇଜି

ଆଇପିଏସ୍‍ ଅଧିକାରୀ ଚାରୁ ସିହ୍ନା- ଦେଶରେ ଏକ ଚର୍ଚ୍ଚିତ ନାଁ। ନିକଟରେ ଆତଙ୍କବାଦ ଅଧ୍ୟୁଷିତ ଶ୍ରୀନଗର ସେକ୍ଟରରେ ସିଆର୍‍ପିଏଫର ପ୍ରଥମ ମହିଳା ଆଇଜି ଭାବେ ନିୟୋଜିତ ହୋଇଛନ୍ତି ସେ। ଲାଜକୁଳୀ ସ୍ୱଭାବରୁ ଏପରି ଦାମ୍ଭିକ ବ୍ୟକ୍ତିତ୍ୱର ଅଧିକାରିଣୀ ହୋଇଥିବା ଚାରୁଙ୍କ ସମ୍ପର୍କରେ…

ପିଲାଦିନରୁ ଖୁବ୍‍ ଶାନ୍ତ, ଚୁପ୍‍ଚାପ, ଲାଜକୁଳି ଝିଅଟିଏ ଥିଲେ ଚାରୁ ସିହ୍ନା। ସବୁବେଳେ ଏକପ୍ରକାର ଭୟ ଯେମିତି ତାଙ୍କୁ ଘାରି ରହୁଥିଲା। ତା’ ଭିତରେ ବି ସେ ଦେଶ ପାଇଁ କିଛି କରିବାକୁ ସ୍ୱପ୍ନ ଦେଖୁଥିଲେ। ଆର୍ଥିକ, ମାନସିକ ଏବଂ ଭାବନାତ୍ମକ ଦୃଷ୍ଟିରୁ ସ୍ୱାଧୀନ ହେବାକୁ ଚାହୁଁଥିଲେ। ହେଲେ, ଭିତରର ଭୟରୁ ମୁକୁଳିବା କଷ୍ଟ ହେଉଥିଲା। ପିତା ପ୍ରାୟ ସମୟ ପୁଟ୍ଟପର୍ତ୍ତିଠାରେ ଥିବା ସତ୍ୟସାଇ ବାବାଙ୍କ ଦରବାରକୁ ଯାଆନ୍ତି। ତାଙ୍କ ସହ ସେଠାକୁ ଯିବା ପରେ ବିଭିନ୍ନ ଲୋକଙ୍କ ସଂସ୍ପର୍ଶରେ ଆସିଲେ ଚାରୁ। ସେମାନଙ୍କ ଚାଲିଚଳଣରୁ ଜୀବନର ଏକ ନୂଆ ରୂପ ଦେଖିବାକୁ ପାଇଲେ ସେ। ତାଙ୍କ ଭିତରେ ଥିବା ଯୋଦ୍ଧାର ଆତ୍ମପ୍ରକାଶ ଘଟିଲା। ୧୯୯୬ ବେଳକୁ ଚୁପ୍‍ଚାପ ଝିଅ ଚାରୁ ପାଲଟି ଯାଇଥିଲେ ଆଇପିଏସ୍‍ ଅଧିକାରୀ ଚାରୁ ସିହ୍ନା। ସେ ୧୯୯୬ ବ୍ୟାଚ୍‍ର ତେଲଙ୍ଗାନା କ୍ୟାଡର ଆଇପିଏସ୍‍।
ତେବେ ଚାରୁଙ୍କ ଚାକିରି ଜୀବନ ଆରମ୍ଭରେ ଏ କ୍ଷେତ୍ରରେ କେବଳ ପୁରୁଷମାନଙ୍କର ପ୍ରଭାବ ଥିଲା। ମହିଳା ଆଇପିଏସ୍‍ ଅଧିକାରୀ ଚାରୁଙ୍କର ପ୍ରତ୍ୟେକ ଖବର ବିସ୍ତୃତ ଭାବେ ପ୍ରସାରଣ କରୁଥିଲା ଗଣମାଧ୍ୟମ। ଆରମ୍ଭରେ ଚାରୁଙ୍କୁ ଲାଗିଲା ଯେପରି ତାଙ୍କ ବ୍ୟକ୍ତିଗତ ଜୀବନ ଆଉ ରହିଲା ନାହିଁ। ହେଲେ, ପରେ ଏସବୁ ସାଧାରଣ କଥା ପାଲଟିଗଲା।

ତେଲଙ୍ଗାନାର ମେଡକ ଜିଲାରେ ନକ୍ସଲ ବିରୋଧୀ ଅଭିଯାନରେ ସେ ଓଏସ୍‍ଡି ଇନ୍‍ଚାର୍ଜ ରହିଥିଲେ। ଏହି ସମୟରେ ଏକାଧିକ ଅଭିଯାନ ତାଙ୍କ ନେତୃତ୍ୱରେ ହୋଇଥିଲା। ଆତ୍ମସମର୍ପଣ କରୁଥିବା ନକ୍ସଲଙ୍କ ଥଇଥାନରେ ମଧ୍ୟ ସକ୍ରିୟ ଭୂମିକା ଗ୍ରହଣ କରୁଥିଲେ ଚାରୁ। ମାଛଧରାଳି ଏବଂ ଚେଞ୍ଚୁ ଆଦିବାସୀଙ୍କ ସହ ଏଚ୍‍ଆଇଭି ଆକ୍ରାନ୍ତ ମହିଳାମାନଙ୍କର ମଧ୍ୟ ସହଯୋଗ କରୁଥିଲେ। ଜାତିସଂଘର କୋସୋଭୋ ମିଶନରେ ଯୋଗଦେବା ଲାଗି ସାରା ଦେଶରୁ ପୁଲିସ୍‍ ଅଧିକାରୀ ମନୋନୀତ ହେଉଥିବା ବେଳେ ଚାରୁ ପ୍ରବଳ ପିଠି ଯନ୍ତ୍ରଣାରେ ପୀଡିତ ଥିଲେ। ତେବେ କୌଣସି କାରଣରୁ ମନୋନୟନ ପ୍ରକ୍ରିୟା ଘୁଞ୍ଚିଚାଲିଲା ଏବଂ ସେ ମଧ୍ୟ ଏହି ମିଶନ୍‍ରେ ସାମିଲ ହୋଇପାରିଥିଲେ।

ଆନ୍ଧ୍ର ଓ ତେଲଙ୍ଗାନା ରାଜ୍ୟ ବିଭାଜନ ସମୟରେ ଚାରୁ ତେଲଙ୍ଗାନା କ୍ୟାଡର ବାଛିଲେ। ସେଠାରେ ସେ ଦୁର୍ନୀତି ନିବାରଣ ବିଭାଗର ନିର୍ଦେଶିକା ଭାବେ ଦାୟିତ୍ୱ ନେବା ପରେ ଦୃଢ ପଦକ୍ଷେପ ନେବାରେ ଲାଗିଲେ। ଏପରିକି ଯେଉଁମାନଙ୍କ ବିରୋଧରେ ମାମଲା ଆସି ଫାଇଲ୍‍ ତଳେ ରହିଯାଇଥିଲା, ସେଗୁଡିକୁ ବି ବାହାର କରି ସେ କଠୋର କାର୍ଯ୍ୟାନୁଷ୍ଠାନ ନେଲେ। ତାଙ୍କର ବଦଳି ହେବା ପରେ ଦୁର୍ନୀତି ବିରୋଧରେ ପଦକ୍ଷେପ ଏହାର ପ୍ରମୁଖ କାରଣ ବୋଲି ଚାରିଆଡେ ଚର୍ଚ୍ଚା ହେଲା। ସିଆର୍‍ପିଏଫ୍‍ ଆଇଜି ଭାବେ ଡେପୁଟେସନ୍‍ରେ ଆସିଲେ ଚାରୁ। ପରେ ବିହାର ସେକ୍ଟରରେ ସିଆର୍‍ପିଏଫ୍‍ ଆଇଜି ଭାବେ ତାଙ୍କୁ ନିୟୋଜିତ କରାଗଲା ଏବଂ ସେଠାରେ ମଧ୍ୟ ସେ ଏକାଧିକ ନକ୍ସଲ ବିରୋଧୀ ଅଭିଯାନର ନେତୃତ୍ୱ ନେଇଥିଲେ।

ବିହାରରୁ ସେ ଜାମ୍ମୁ ଗଲେ ଏବଂ ଏବେ ଶ୍ରୀନଗର ସେକ୍ଟର ସିଆର୍‍ପିଏଫର ପ୍ରଥମ ମହିଳା ଆଇଜି ଭାବେ ନିୟୋଜିତ ହୋଇଛନ୍ତି। ଶ୍ରୀନଗର ସେକ୍ଟର ସିଆର୍‍ପିଏଫ ଅଧୀନରେ ଆତଙ୍କବାଦ ପ୍ରବଣ ବଡଗାମ, ଗାନ୍ଦରବାଲ ଏବଂ ଶ୍ରୀନଗର ଅଞ୍ଚଳ ରହିଛି।
ହାଇଦ୍ରାବାଦର ସେଣ୍ଟ୍ରାଲ ୟୁନିଭର୍ସିଟିରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ହାସଲ କରିଥିବା ଚାରୁ ପଢିବା ଏବଂ ବୁଲିବାକୁ ଖୁବ୍‍ ଭଲ ପାଆନ୍ତି। ଖାଲି ସମୟରେ ସେ ନିଜ ପୋଷା କୁକୁରମାନଙ୍କ ସହ ଖେଳିଥାନ୍ତି।

Comments are closed.