ଖୋଲୁଛି ପାଠକଙ୍କ ଦୁର୍ନୀତିର ପେଡି : ପୁଅ ଆକାଶଙ୍କ ୩ଟି ଆକାଉଣ୍ଟରେ ୧୪.୭୭କୋଟି କାରବାର

ଥରକରେ ପରିବାର ପାଇଁ କିଣିଥିଲେ ୫ଲକ୍ଷର ଜୋତା

ଭୁବନେଶ୍ବର : ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କ ଦୁର୍ନୀତିର ଚେର୍ ଏସ୍‌ଆଇଟି ଖୋଜିବା ଲାଗି ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଥିବା ବେଳେ ବିଭାଗର ବରିଷ୍ଠ ଅଧିକାରୀମାନେ ତାଙ୍କ ବେଆଇନ୍ ସମ୍ପତ୍ତିର ଆୟ ଓ ବ୍ୟୟର ଆକଳନ କରୁଛନ୍ତି। ଭିଜିଲାନ୍ସ ବିଭାଗ ଯେତିକି ଖୋଜୁଛି, ଅଭୟକାନ୍ତଙ୍କ ବେଆଇନ୍‌ ଅର୍ଥ କାରବାରର ପରିମାଣ ସେତିକି ବଢ଼ିବାରେ ଲାଗିଛି। ଶ୍ରୀ ପାଠକଙ୍କ ତାଙ୍କ ବେନାମୀ ସମ୍ପତ୍ତିର କାରବାର ପୁଅ ଆକାଶ ପାଠକ ନାମରେ ଏକାଧିକ ଆକାଉଣ୍ଟ ଖୋଲି କରିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ଜଣାପଡିଛି। ଆକାଶଙ୍କ ୩ଟି ଆକାଉଣ୍ଟରେ ୧୪ କୋଟି ୭୭ ଲକ୍ଷ ଟଙ୍କାର କାରବାର ହୋଇଥିବା କୁହାଯାଉଛି। ସହିଦନଗର ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କରେ ଆକାଶଙ୍କ ନାଁରେ ଥିବା ଖାତାରେ କେବଳ ୮କୋଟି ୪୦ ଲକ୍ଷ ଟଙ୍କା ଦେଣନେଣ ହୋଇଛି। ସେହିପରି ଆକାଶଙ୍କ ପଟିଆସ୍ଥିତ ଏଚ୍‌ଡିଏଫ୍‌ସି ଶାଖାରେ ୫୦ ଲକ୍ଷ ଟଙ୍କା ଜମା କରାଯାଇଛି। ଅଭୟକାନ୍ତଙ୍କର ଫର୍ଚ୍ୟୁନ୍‌ ଟାୱାରସ୍ଥିତ ଏସ୍‌ବିଆଇ ଶାଖାରେ ଦରମା ଆକାଉଣ୍ଟ ରହିଛି। ଏହି ଆକାଉଣ୍ଟରେ ୧୦ ଲକ୍ଷ ଟଙ୍କା ଜମା କରାଯାଇଛି। ଯାହା ଦରମା ବାଦ୍‌ ଜମା କରାଯାଇଛି। ସେହି ଆକାଉଣ୍ଟରେ ୮ ଲକ୍ଷ ୬୨ ହଜାର ଟଙ୍କାର ସ୍ଥାୟୀ ଜମା ରହିଛି।

ଆକାଶଙ୍କ ନାମରେ ଭୁବନେଶ୍ବର ଓ ପୁଣେରେ ଥିବା ଆକାଉଣ୍ଟରେ ୯ କୋଟି ୪୮ ଲକ୍ଷ ଟଙ୍କା ଜମା କରାଯାଇଥିବାବେଳେ ଅନ୍ୟ କାହା ଜମା ମାଧ୍ୟମରେ ୫ କୋଟି ୨୯ ଲକ୍ଷ ଟଙ୍କା ତାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଛି। ତେବେ ମୋଟ ୧୪ କୋଟି ୭୭ ଲକ୍ଷ ଟଙ୍କା ଆକାଶଙ୍କ ଆକାଉଣ୍ଟରେ କାରବାର ହୋଇଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ଆକାଶଙ୍କ ନାମରେ କେଉଁଠାରେ ଏବଂ କେତୋଟି ଆକାଉଣ୍ଟ ରହିଛି ଏନେଇ ଭିଜିଲାନ୍ସ ବିଭାଗ ପ୍ରତ୍ୟେକ ବ୍ୟାଙ୍କକୁ ଚିଠି କରିଛି। ବର୍ତ୍ତମାନ ସୁଦ୍ଧା ଆଇସିଆଇସିଆଇ ଓ ଏଚ୍‌ଡିଏଫ୍‌ସିରେ ଆକାଉଣ୍ଟ ମିଳିଛି। ସେହିପରି ଏସ୍‌ଆଇଟିର ଟିମ୍‌ରେ ୩ ଅତିରିକ୍ତ ଏସ୍‌ପି, ୪ ଡିଏସ୍‌ପି, ୩ ଇନ୍ସପେକ୍ଟରଙ୍କ ସହିତ ବ୍ୟାଙ୍କ ପରାମର୍ଶଦାତା, ଚାର୍ଟର୍ଡ ଆକାଉଣ୍ଟାଣ୍ଟ ଓ ଫରେନ୍‌ସିକ୍‌ ଅଡିଟର ଆଦି ଏନେଇ ତଦନ୍ତ କରୁଥିବା ଜଣାପଡିଛି।

ଆକାଶ କେବଳ ପୁଣେରେ ମାସିକ ଲକ୍ଷାଧିକ ଟଙ୍କାର ଏକ ଫାର୍ମହାଉସ୍‌ ଭଡ଼ାରେ ନେଇଥିଲେ ତାହା ନୁହେଁ। ସେ ଭୁବନେଶ୍ବରର ଏକ ଜୋତା ଦୋକାନରୁ ଥରକରେ ୫ ଲକ୍ଷ ଟଙ୍କାର ଜୋତା କିଣିଥିଲେ। ନିଜ ପାଇଁ, ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କ ପାଇଁ ରାଜଧାନୀର ନିର୍ଦିଷ୍ଟ ଏକ ନାମୀ ବ୍ରାଣ୍ଡର ଜୋତା ଦୋକାନରୁ ଏସବୁ କିଣିଥିଲେ। ଡିସେମ୍ବରରେ ବାହାଘର ପାଇଁ ଦିନ ଧାର୍ଯ୍ୟ ହୋଇଥିବା ଭାବି ପତ୍ନୀଙ୍କୁ ସେ ଅନେକ ଦାମୀ ଉପହାର ଦେଇଛନ୍ତି। ପ୍ରାୟ ୧.୮୦ ଲକ୍ଷ ଟଙ୍କା ମୂଲ୍ୟର ଏକ ଭ୍ୟାନିଟି ବ୍ୟାଗ୍‌ ଆକାଶ ଉପହାର ଆକାରରେ ତାଙ୍କ ଭାବି ପତ୍ନୀଙ୍କୁ ଦେଇଛନ୍ତି। ସେହିପରି ପୋଷାକ ଓ ଗହଣା ଉପହାର ବି ଦେଇଥିବା ଜଣାପଡିଛି। ଏସବୁ ବିଲ୍‌କୁ ଭିଜିଲାନ୍ସ ଅଧିକାରୀ ଜବତ କରିଥିବା ଜଣାପଡିଛି।

ଅନ୍ୟପକ୍ଷରେ ଚାର୍ଟର ଫ୍ଲାଇଟ୍‌ରେ ବୁଲିବା ଏବେ ବାପପୁଅଙ୍କୁ ମହଙ୍ଗା ପଡ଼ିଛି। ଜନପଥର ୟୁନିଟ୍-୩ ସ୍ଥିତ ଓସିଏଚ୍‌ସି କ‌େ‌ମ୍ପ୍ଲକ୍ସରେ ଥିବା ସ୍କାଏ କିଙ୍ଗ ନାମକ ଟ୍ରାଭେଲ୍ସ ସଂସ୍ଥାର ମ୍ୟାନେଜିଂ ପାର୍ଟନର ପ୍ରଭାସ କୁମାର ଚୌଧୁରୀ ତାଙ୍କର ୬୫,୧୬,୨୩୩ ଟଙ୍କା ବକେୟା ଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ଏହି ବକେୟା ଟଙ୍କା ଦେବା ଲାଗି ଶ୍ରୀ ଚୌଧୁରୀ କହିବାରୁ ଉଭୟ ବାପପୁଅ ତାଙ୍କୁ ଧମକ ଦେଇଥିଲେ।

ଶ୍ରୀ ଚୌଧୁରୀ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଲକ୍‌ଡାଉନ୍‌ ସମୟରେ ଆକାଶ ସ୍କାଏ କିଙ୍ଗକୁ ଇ-ମେଲ୍‌ ମାଧ୍ୟମରେ ଅନେକବାର ହୋଟେଲ୍‌ ଆଣ୍ଡ୍‌ ଚାର୍ଟର ଫ୍ଲାଇଟ୍‌ ବୁକିଂ କରିଥିଲେ। ଉକ୍ତ ଇ-ମେଲ୍‌ରେ ସେ ନିଜକୁ ଟାଟା ମୋଟର୍ସ ଲିମିଟେଡର ଏମ୍‌ଡି ଭାବେ ପରିଚୟ ଦେଇଥିଲେ। ଏପରିକି ଇ-ମେଲ୍‌ରେ ଟାଟା ମୋର୍ଟସର ଲୋଗୋକୁ ବ୍ୟବହାର କରିଥିଲେ। ନିଜର ଜାଲ ପରିଚୟ ପତ୍ର ଦେଇ ସେ ଅନେକ ଥର ବୁକିଂ କରିଥିଲେ। ଜୁନ୍‌ ସୁଦ୍ଧା ସେ ଅନେକ ଜାଲ୍‌ କାଗଜପତ୍ର ଦେଇ ଚାର୍ଟର ଫ୍ଲାଇଟ୍‌ ଓ ହୋଟେଲ୍‌ ବୁକ୍‌ କରିଥିଲେ। ଏସବୁ ବାବଦରେ ୨, ୭୮,୩୯,୦୮୭ ଟଙ୍କା ବିଲ୍‌ ହୋଇଥିଲା। ତେବେ ଆକାଶ ୨,୧୩,୨୨,୮୫୪ ଟଙ୍କା ବିଲ୍‌ ପୈଠ କରିଥିଲେ। ବକେୟା ବିଲ୍‌ ଦେବା ଲାଗି ଶ୍ରୀ ଚୌଧୁରୀ ଅନେକ ଥର ଯୋଗାଯୋଗ କରିଥିଲେ। ଏତେ ପରିମାଣର ଟଙ୍କା ବକେୟା ଥିବାରୁ ତାଙ୍କୁ ଆଉ ସେବା ନ ଦେବା ଲାଗି କୁହାଯିବାରୁ ଆକାଶ ତାଙ୍କୁ ପରିଣତି ଭଲ ହେବନାହିଁ ବୋଲି ଧମକ ଦେଇଥିବା ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଶ୍ରୀ ଚୌଧୁରୀ ଭିଜିଲାନ୍ସ ଏସ୍‌ପିଙ୍କୁ ଭେଟି ଏ ସମ୍ପର୍କରେ ଅବଗତ କରାଇଛନ୍ତି।

Comments are closed.