ଜେଲରୁ ବାହାରିଲେ ଆଇଏଫଏସ ଅଭୟକାନ୍ତ ପାଠକ, ଦୀର୍ଘ ୬ ମାସ ପରେ ଜେଲରୁ ମୁକୁଳିଲେ

ଭୁବନେଶ୍ବର: ଜେଲରୁ ବାହାରିଲେ ଆଇଏଫଏସ ଅଭୟକାନ୍ତ ପାଠକ। ଦୀର୍ଘ ୬ ମାସ ପରେ ସେ ଜେଲରୁ ମୁକୁଳିଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିଲେ। ଗତ ନଭେମ୍ବର ୨୭ରେ ଗିରଫ କରିଥିଲା ଭିଜିଲାନ୍ସ। ଏହାବ୍ୟତୀତ ତାଙ୍କ ନାମରେ ୨ଟି ଠକେଇ ମାମଲା ମଧ୍ୟ ରହିଥିଲା। ଗତକାଲି ତୃତୀୟ ମାମଲାରେ ଜାମିନ ପାଇବା ପରେ ମୁକୁଳିଲେ।
ମିଳିଥିବା ସୂଚନା ଅନୁଯାୟୀ ବୈଦ୍ୟନାଥପୁର ଥାନା ମାମଲାରେ ୨ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ହାଇକୋର୍ଟ ପୂର୍ବତନ ଆଇଏଫ୍‌ଏସ ଅଭୟ ପାଠକଙ୍କୁ ହାଇକୋର୍ଟ ପକ୍ଷରୁ ଜାମିନ ମଞ୍ଜୁର କରାଯାଇଛି। ସମସ୍ତ ମାମଲାରେ ଜାମିନ ପାଇଥିବାରୁ ସେ ଜେଲରୁ ମୁକୁଳିବା ସମ୍ଭବ ହୋଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ତଥା ଠକେଇ ଅଭିଯୋଗରେ ଆଇଏଫଏସ ଅଭୟ ପାଠକ ଓ ପୁଅ ଆକାଶ ପାଠକ ଗତ ବର୍ଷ ଗିରଫ ହୋଇଥିଲେ। ଟାଟା କମ୍ପାନୀରେ ଚାକିରି କରାଇ ଦେବା ନାମରେ ହୋଇଥିବା ଠକେଇ ଅଭିଯୋଗରେ ଆଇଏଫ୍‌ଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶଙ୍କୁ ପୂର୍ବରୁ ହାଇକୋର୍ଟରୁ ଜାମିନ ମିଳିଥିଲା। ତେବେ ଅନ୍ୟ ମାମଲା ବିଚାରାଧୀନ ଥିବାରୁ ପାଠକ ବାପାପୁଅ ଜେଲରେ ଥିଲେ।


ଅଭୟକାନ୍ତ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହେବା ପରେ ଭିଜିଲାନ୍ସ ପକ୍ଷରୁ ବିଭିନ୍ନ ସ୍ଥାନରେ ରେଡ୍ କରାଯାଇଥିଲା। ଏହି ସମୟରେ ତାଙ୍କ ପୁଅ ମଧ୍ୟ ରାଡାର ମଧ୍ୟକୁ ଆସିଥିଲେ। ନିଜକୁ ଟାଟା ମୋଟର୍ସର ପରିଚାଳନା ନିର୍ଦେଶକ ରୂପେ ପରିଚୟ ଦେଇ ଅଭୟକାନ୍ତଙ୍କ ପୁଅ ଆକାଶ ପାଠକ ଗଞ୍ଜାମ ଜିଲାର ବହୁ ଯୁବକ ଯୁବତୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗହୋଇଥିଲା। ଏହି ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି। ଉଭୟ ପାଠକ ବାପପୁଅଙ୍କ ସମ୍ପତ୍ତି, ଦାମୀ ଗାଡ଼ି, ଦେଶର ବିଭିନ୍ନ ସ୍ଥାନରେ ଫ୍ଲାଟ, ଚାଟାର୍ଡ ଫ୍ଲାଇଟରେ ଉଡ଼ାଣ, ତଥା ସଉକ ଆଦି ଦେଖି ଭିଜିଲାନ୍ସ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାପରେ ଉଭୟ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଗିରଫ କରାଯାଥିଲା। ଏହାରି ଭିତରେ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ୧୯୮୭ ବ୍ୟାଚର ଏହି ଆଇଏଫ୍‌ଏସ୍‌ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ରାଜ୍ୟ ସରକାର କରିଥିବା ସୁପାରିଶ ଉପରେ ରାଷ୍ଟ୍ରପତି ମୋହର ମାରିଛନ୍ତି। ଅପରପକ୍ଷରେ ଆକାଠ ପାଠକଙ୍କ ନାମରେ ଥିବା କ୍ରାଇମବ୍ରାଞ୍ଚ ମାମଲାରେ ଜାମିନ ନାମଞ୍ଜୁର ହୋଇଯାଇଛି।

Comments are closed.