ଆବଶ୍ୟକ ହେଲେ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍‌ ଗୋଟିଏ ଷ୍ଟାଡ଼ିୟମରେ ଖେଳାଯିବ

ମେଲବୋର୍ଣ୍ଣ : ଚଳିତବର୍ଷ ଶେଷ ବେଳକୁ ଭାରତୀୟ କ୍ରିକେଟ୍‌ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ଘରୋଇ ଦଳ ସହ ୪ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳିବାର କାର୍ଯ୍ୟକ୍ରମ ରହିଛି। ଗୁରୁବାର କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ତରଫରୁ ଯେଉଁ ଖେଳସୂଚୀ ଜାରି ହୋଇଛି ସେଥିରେ ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ସ୍ଥାନ ପାଇଛି। ଖେଳସୂଚୀ ଅନୁଯାୟୀ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଡିସେମ୍ବର ୩ରୁ ୭ ଯାଏ ବ୍ରିସବେନ୍‌, ଦ୍ବିତୀୟ ଟେଷ୍ଟ ମ୍ୟାଚ‌ ଡିସେମ୍ବର ୧୧ରୁ ୧୫ ପର୍ଯ୍ୟନ୍ତ ଆଡିଲେଡ୍‌, ତୃତୀୟ ଟେଷ୍ଟ ଡିସେମ୍ବର ୨୬ରୁ ୩୦ ପର୍ଯ୍ୟନ୍ତ ମେଲବୋର୍ଣ୍ଣ ଓ ଚତୁର୍ଥ ଟେଷ୍ଟ ଆସନ୍ତା ବର୍ଷ ଜାନୁଆାରୀ ୩ରୁ ୭ ତାରିଖ ପର୍ଯ୍ୟନ୍ତ ସିଡନୀରେ ଖେଳାଯିବ ।
ଅନ୍ୟପକ୍ଷରେ କରୋନା ସଂକ୍ରମଣଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ହେଲେ ୪ଟି ଯାକ କ୍ରିକେଟ୍‌ ମ୍ୟାଚ୍ ଗୋଟିଏ ଷ୍ଟାଡ଼ିୟମରେ ଖେଳାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କ୍ରିକେଟ୍‌ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟନିର୍ବାହୀ କେଭିନ୍‌ ରବର୍ଟସ୍‌। ଶୁକ୍ରବାର ସାମ୍ବାଦିକଙ୍କ ସହ ଆଲୋଚନା କାଳରେ କେଭିନ୍‌ କହିଛନ୍ତି ବର୍ତ୍ତମାନ ଅଷ୍ଟ୍ରେଲିଆ ସରକାରଙ୍କ ତରଫରୁ ଲକ୍‌ଡାଉନ୍‌କୁ ନେଇ କେତେକ କଟକଣା ଉଠାଇ ନିଆଯାଇଛି। ଫଳରେ ଦୁଇ ରାଜ୍ୟ ମଧ୍ୟରେ ଗମନାଗମନ ସମ୍ଭବପର ହୋଇପାରୁଛି। ତେବେ ଆସନ୍ତା ଡିସେମ୍ବର ବେଳକୁ ଦେଶରେ କରୋନାକୁ ନେଇ କେଉଁ ପ୍ରକାର ପରିସ୍ଥିତି ରହିଥିବ ତାହା ବର୍ତ୍ତମାନ ଠାରୁ କହି ହେବ ନାହିଁ। ଯଦି ଡିସେମ୍ବର ବେଳକୁ ଅଷ୍ଟ୍ରେଲିଆରେ ପରିସ୍ଥିତି ବିଗିଡି ଥାଏ ତେବେ ଭାରତ ବିପକ୍ଷ ୪ଟି ଯାକ ଟେଷ୍ଟ ମ୍ୟାଚ୍‌ ଗୋଟିଏ ଷ୍ଟାଡ଼ିୟମରେ ଆୟୋଜନ ପାଇଁ କ୍ରିକେଟ୍‌ ଅଷ୍ଟ୍ରେଲିଆ ପ୍ରସ୍ତୁତ ।
ଅନ୍ୟ ଏକ ଘଟଣାକ୍ରମରେ ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ର କୌଣସି ମ୍ୟାଚ୍‌ ପର୍ଥରେ ଆୟୋଜିତ ହେଉନଥିବାରୁ ଏହାକୁ ନେଇ କ୍ରିକେଟ୍‌ ଅଷ୍ଟ୍ରେଲିଆକୁ ସମାଲୋଚନା କରିଛନ୍ତି ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ କ୍ରିକେଟ୍ ଆସୋସିଏସନ୍‌ ମୁଖ୍ୟ କ୍ରିଷ୍ଟିନା ମ୍ୟାଥୁସ୍ ‌।

Comments are closed.