କେରଳ ଇଡୁକ୍କୀ ରାଜମାଲା ଭୂସ୍ଖଳନ ଘଟଣା : ମୃତ୍ୟୁ ସଂଖ୍ୟା ୪୨ କୁ ବୃଦ୍ଧି
ଉଦ୍ଧାର ଅଭିଯାନ ଜାରି ରଖିଛି ପ୍ରଶାସନ

ଥିରୁଅନନ୍ତପୁରମ୍ : କେରଳର ଇଡୁକ୍କୀ ଜିଲ୍ଲାର ରାଜମାଲା ଅଞ୍ଚଳରେ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୪୨ କୁ ବୃଦ୍ଧି ପାଇଛି। ଶୁକ୍ରବାର ଦିନ ପ୍ରବଳ ବର୍ଷା ଯୋଗୁଁ ଘଟିଥିବା ଏହି ଅଘଟଣ ପରେ ରବିବାର ଦିନ ଆହୁରି ୧୬ଟି ମୃତଦେହ ଉଦ୍ଧାର କରାଯାଇଛି, ଫଳରେ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଘଟଣାସ୍ଥଳରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନଡିଆରଏଫ), ପୁିଲିସ ଏବଂ ଅଗ୍ନିଶମ ବିଭାଗ ଦ୍ୱାରା ଏକ ବଡ଼ ଧରଣର ସର୍ଚ୍ଚ ଅପରେସନ ଚାଲିଛି। ସେହିପରି ସ୍ନିଫର କୁକୁରମାନଙ୍କର ମଧ୍ୟ ସାହାଯ୍ୟ ନିଆଯାଉଛି। ଅନେକ ଲୋକ ଏଠାରେ ନିଖୋଜ ଥିବା କୁହାଯାଉଛି ଏବଂ ସେମାନଙ୍କୁ ଖୋଜିବା ପାଇଁ ପ୍ରଶାସନ ଉଦ୍ଧାର ଅଭିଯାନ ଜାରି ରଖିଛି।
ସୂଚନାଯୋଗ୍ୟ, ଶୁକ୍ରବାର ଦିନ ଏଠାରେ ପ୍ରବଳ ବର୍ଷା ପରେ ଚା ବଗିଚାରେ ଭୂସ୍ଖଳନ ଘଟିଥିଲା, ଯେଉଁଥି ପାଇଁ ସେଠାରେ କାର୍ଯ୍ୟ କରୁଥିବା ଶ୍ରମିକମାନେ କାଦୁଅରେ ପୋତି ହୋଇଯାଇଥିଲେ। ପାଣିର ଦ୍ରୁତ ପ୍ରବାହ ଏବଂ ମାଟି ଓଦା ହେତୁ ସେଠାରେ ନିର୍ମିତ ଶ୍ରମିକ ବସ୍ତି ମଧ୍ୟ ନଷ୍ଟ ହୋଇଗଲା। ଏଥିରେ ମାଟି ତଳେ ଚାପି ହୋଇଯାଇଥିବା ଅନ୍ୟ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିଲା। କୁହାଯାଉଛି ଯେଉଁ ସ୍ଥାନରେ ଭୂସ୍ଖଳନ ଘଟିଛି ସେଠାରେ ୪ଟି ଶିବିରରେ ୮୦ରୁ ଅଧିକ ଶ୍ରମିକ ରହୁଥିଲେ। ତେଣୁ ମାଟିତଳେ ଆହୁରି ଅଧିକ ଶ୍ରମିକ ଫଶିଥିବା ଆଶଙ୍କା କରାଯାଉଛି।