ଦୁର୍ଦ୍ଦିନରେ ବୌଦ୍ଧର ମୂର୍ତ୍ତି କାରିଗର, ଜୀବିକା ହରାଇଲେଣି ଦେଢଶହ ପରିବାର

ବୌଦ୍ଧ: ରଙ୍ଗ, ତୂଳୀ ଓ ମାଟିରେ ବିଭିନ୍ନ ଦେବାଦେବୀଙ୍କ ରୂପ ଆଙ୍କି ତାହାକୁ ଜୀବନ୍ତ ରୂପ ଦେଉଥିବା ମୂର୍ତ୍ତି କାରିଗର ଏବେ ବୌଦ୍ଧଜିଲ୍ଲାରେ ଦୁର୍ଦ୍ଦିନରେ ଜୀବନ ଅତିବାହିତ କରୁଛନ୍ତି। ବୌଦ୍ଧ ଜିଲ୍ଲାରେ ଦେଢଶହରୁ ଊର୍ଦ୍ଧ୍ବ ପରିବାର ମାଟିରେ ମୂର୍ତ୍ତିକରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି। କରୋନା ମହାମାରୀ ସମୟରେ ଏବେ କାମ ନ ମିଳିବା ଯୋଗୁଁ ଏହି ପରିବାର ଗୁଡିକ ଏବେ ଆର୍ଥିକ ଅନାଟନ ମଧ୍ୟରେ ଗତି କରୁଛନ୍ତି। ଏମାନଙ୍କୁ ପ୍ରଶାସନ ପକ୍ଷରୁ କୌଣସି ପ୍ରୋତ୍ସାହନ ମିଳିନାହିଁ।

ସକାଳ ପାହିଲେ ବିଘ୍ନବିନାଶନ ଗଣେଶଙ୍କ ପୂଜା। ଏହି ସମୟରେ ଏହି ମୂର୍ତ୍ତି କାରୀଗରମାନଙ୍କ ହାତରେ ସମୟ ନଥାଏ। ମୁଖ୍ୟତଃ ଶିକ୍ଷାନୁଷ୍ଠାନଗୁଡିକରେ ଗଣେଶ ପୂଜା ହୋଇଥାଏ। କିନ୍ତୁ କରୋନା କଟକଣା ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ଚଳିତବର୍ଷ ମୂୁର୍ତ୍ତି କାରୀଗର ପରିବାରମାନେ ମଧ୍ୟ ହାତବାନ୍ଧି ବସିଛନ୍ତି। ଆଗକୁ ସମସ୍ତ ପାର୍ବଣର ଋତୁ ଆସିଥିବା ବେଳେ ଏହି ତିନି ଚାରିମାସ ସମୟ ମଧ୍ୟରେ ମୂର୍ତ୍ତି କାରିଗରୀ କାର୍ଯ୍ୟକରି ବର୍ଷ ଯାକର ପରିବାର ପ୍ରତିପୋଷଣ ପାଇଁ ବେଶ କିଛି ରୋଜଗାର କରିଥାନ୍ତି। କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ଏହି ମୂର୍ତ୍ତି କାରିଗର ପରିବାରମାନେ ଭବିଷ୍ୟତ ନେଇ ଆଶା ଓ ଆଶଙ୍କାରେ ରହିଛନ୍ତି। ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ଯୋଗୁଁ ସ୍ଥାନିୟ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି। ଯାହାଫଳରେ ଜିଲ୍ଲାରେ ଚଳିତ ବର୍ଷ ସମସ୍ତ ପର୍ବପର୍ବାଣୀ ମାନ୍ଦା ପଡିବା ନେଇ ଆଶଙ୍କା କରାଯାଉଛି।

ଜିଲ୍ଲାରେ ଖୁଦୁରୁକୁଣୀ ପୂଜା ଆରମ୍ଭ ହୋଇସାରିଥିବାବେଳେ ଚଳିତ ବର୍ଷ ଯେତେ ପରିମାଣରେ ମୂର୍ତ୍ତି ବିକ୍ରି ହେବା କଥା କରୋନା ପାଇଁ ସେତେ ପରିମାଣରେ ବିକ୍ରି ହୋଇ ନଥିବା କାରୀଗରମାନେ ପ୍ରକାଶ କରିଛନ୍ତି। ଗଣେଶ ପୂଜାରେ ଶିକ୍ଷାନୁଷ୍ଠାନ ଖୋଲିଲେ କିଛି ରୋଜଗାରର ଆଶା ରଖିଥିବା କାରୀଗରମାନଙ୍କୁ ନିରାଶ ହେବାକୁ ପଡିଛି। ଠିକ ସେହିପରି ଆଗକୁ ବିଶ୍ୱକର୍ମା ପୂଜା, ଦୁର୍ଗା ପୂଜା, କାଳୀପୂଜା ହେବାକୁ ଥିବାବେଳେ ଯଦି ସ୍ଥିତି ଏଭଳି ଲାଗିରହେ ତାହାହେଲେ ପୂଜା ଫିକା ପଡିବା ସହିତ ଏହି କାରୀଗର ପରିବାରମାନେ ଘୋର ଆର୍ଥିକ ସଙ୍କଟର ସମ୍ମୁଖିନ ହେବାର ସମ୍ଭାବନା ରହିଛି।

କିଛି କାରୀଗର ଜିଲାପାଳଙ୍କୁ ସାକ୍ଷାତ କରି ଜିଲାରେ ଚାଲିଥିବା ବିଭିନ୍ନ କାର୍ଯ୍ୟରେ ସ୍ଥାନୀୟ କାରୀଗରମାନଙ୍କୁ ନିୟୋଜିତ କଲେ ସେମାନଙ୍କୁ କିଛି ହେଲେ ରୋଜଗାର ମିଳିପାରନ୍ତା ବୋଲି ଅନୁରୋଧ କରିଥିଲେ। ଶେଷରେ ଜିଲାପାଳଙ୍କ ଉଦ୍ୟମକ୍ରମେ ବୌଦ୍ଧ ଏନଏସିର ବିଭିନ୍ନ ୱାର୍ଡରେ ହେବାକୁ ଥିବା ୱାଲ ପେଣ୍ଟିଂ କାର୍ଯ୍ୟ ଜିଲାର ଶିଳ୍ପୀ କାରୀଗରମାନଙ୍କୁ ପ୍ରଦାନ କରାଯାଇଛି। ଫଳରେ କିଛି କାରୀଗର ପରିବାର ସେଥିରେ ଉପକୃତ ହୋଇପାରିବେ। ଜିଲାପ୍ରଶାସନର ଏହି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯିବା ସହିତ ସେହିପରି ଜିଲ୍ଲାରେ ବିଭିନ୍ନ ବିଭାଗରେ ହେଉଥିବା ଶ୍ରମଭିତ୍ତିକ କାର୍ଯ୍ୟରେ ସ୍ଥାନୀୟ କୁଶଳୀ ଲୋକମାନଙ୍କୁ ନିୟୋଜିତ କରାଯାଇ ପାରିଲେ କରୋନା ମହାମାରୀ ସମୟରେ ସେମାନେ ପରିବାରର ବୋଝ ଉଠାଇପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Comments are closed.