ଇଡକୋ ଅଧ୍ୟକ୍ଷ ଦାୟିତ୍ବ ନେଲେ ହେମନ୍ତ ଶର୍ମା

ବୃହତ୍‌ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ପୁଞ୍ଜି ଲଗାଣକୁ ଗୁରୁତ୍ବ

ଭୁବନେଶ୍ବର: ଭାରତୀୟ ପ୍ରଶାସନିକ ସେବା(ଆଇଏଏସ) ଅଧିକାରୀ ହେମନ୍ତ ଶର୍ମା ମଙ୍ଗଳବାର ଅପରାହ୍ଣରେ ଓଡିଶା ଶିଳ୍ପ ଭିତ୍ତିଭୂମି ଊନ୍ନୟନ ନିଗମ (ଇଡକୋ)ର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଇଡକୋ କାର୍ଯ୍ୟନିର୍ବାହୀ ନିର୍ଦେଶକ ଭୂପେନ୍ଦ୍ର ସିଂ ପୂନିଆ (ଆଇଏଏସ)ମଧ୍ୟ ଏହାର ପରିଚାଳନା ନିର୍ଦେଶକ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି। ପ୍ରଥମ ଦିବସରେ ଶ୍ରୀ ଶର୍ମା ଇଡ଼କୋର ବିଭିନ୍ନ କାର୍ଯ୍ୟକ୍ରମ ତଥା କାର୍ଯ୍ୟକଳାପର ସମୀକ୍ଷା କରିଥିଲେ। ବୈଠକରେ ସର୍ବପ୍ରଥମେ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଚଳିତ ୫-ଟି କାର୍ଯ୍ୟ ପ୍ରକ୍ରିୟାର ଯୋଜନା ଉପରେ ଗୁରୁତ୍ବାରୋପ କରିଥିଲେ। ୫-ଟିର ବିଭିନ୍ନ ନିୟମାବଳୀକୁ ଅନୁସରଣକରି କାର୍ଯ୍ୟ ସମ୍ପାଦନ କରିବାକୁ ଇଡ଼କୋ ଅଧିକାରୀ ଏବଂ କର୍ମଚାରୀଙ୍କୁ ଉଦବୋଧନ ଦେଇଥିଲେ। ବଡ ଶିଳ୍ପ ପ୍ରତିଷ୍ଠାନ ତଥା ଶିଳ୍ପ ଉଦ୍ଦ୍ୟୋଗୀ ମାନକୁ ରାଜ୍ୟରେ ବୃହତ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ପୁଞ୍ଜି ଲଗାଣ ନିମନ୍ତେ କିଭଳି ଆକର୍ଷିତ କରାଯାଇ ପାରିବ, ସେନେଇ ଗୁରୁତ୍ବ ଦିଆଯିବା ପାଇଁ କହିଥିଲେ।
ଇଜ୍ ଅଫ ଡୁଇଙ୍ଗ ବିଜିନେସ ପ୍ରକ୍ରିୟାକୁ ସରଳୀକରଣ ଏବଂ ତ୍ୱରାନ୍ୱିତ କରାଯାଇ ଉଭୟ ଆବଶ୍ୟକୀୟ ଜମି ଏବଂ ଉଚ୍ଚମାନର ଭିତ୍ତିଭୂମିକୁ ଖୁବ କମ ସମୟ ମଧ୍ୟରେ ଯୋଗାଇ ଦେବା ନିମନ୍ତେ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏଥିସହ, ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ପ୍ରତିଷ୍ଠାନ ଗୁଡିକର ଉନ୍ନତି ଓ ବିକାଶକୁ ପ୍ରାଧାନ୍ୟ ଦେବାକୁ ମଧ୍ୟ ପରାମର୍ଶ ଦେଇଥିଲେ। “ମୋ’ ସରକାର”ର ନିୟମାବଳୀକୁ ଅନୁସରଣ କରି ଇଡ଼କୋ କାର୍ଯ୍ୟାଳୟକୁ ଆସୁଥିବା ଅତିଥି ତଥା କୌଣସି ପ୍ରତିଷ୍ଠାନର ପ୍ରତିନିଧିଙ୍କୁ ସଦବ୍ୟବହାର ପ୍ରଦର୍ଶନ କରିବା ସହ, ସେମାନଙ୍କର କାର୍ଯ୍ୟ ହାସଲ ତଥା ଲକ୍ଷ୍ୟସାଧନକୁ ସହଜ, ସରଳ ଏବଂ ସମୟୋଚିତ ଭାବରେ ସମ୍ପାଦନ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଇଡ଼କୋ ମୁଖ୍ୟ ସାଧାରଣ ପରିଚାଳକ (ପ୍ରଶାସନ), ଡଃ. ଗଣେଶ୍ବର ଜେନା, ମୁଖ୍ୟ ସାଧାରଣ ପରିଚାଳକ (ଭୂମି), ବିଜୟ ଦାଶ, ମୁଖ୍ୟ ସାଧାରଣ ପରିଚାଳକ (ଏମ.ଏସ.ଏମ.ଇ), କୁଶଧର ମହାନ୍ତ, ମୁଖ୍ୟ ସାଧାରଣ ପରିଚାଳକ (ଅର୍ଥ), ସୁକାନ୍ତ ପ୍ରସାଦ ଦାଶ, ମୁଖ୍ୟ ସାଧାରଣ ପରିଚାଳକ (ପରିବେଶ), ଅଶୋକ ମିଶ୍ର, ମୁଖ୍ୟ ସାଧାରଣ ପରିଚାଳକ (ଯୋଜନା ଏବଂ ସମନ୍ବୟ)ବିଜୟ ଚନ୍ଦ୍ର ତ୍ରିପାଠୀ, ମୁଖ୍ୟ ସାଧାରଣ ପରିଚାଳକ (ସିଭିଲ) ଅଶ୍ବିନୀ କୁମାର ବିଶ୍ବାଳ, ଇଡ଼କୋ କର୍ମଚାରୀ ସଂଘର ପ୍ରତିନିଧି ବୃନ୍ଦ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

Comments are closed.